ସମ୍ପ୍ରତି ଭାରତର କିଛି ପଡୋଶୀ ରାଷ୍ଟ୍ର ନିମନ୍ତେ ଭାରତର ଚିନ୍ତା ବଢି ଯାଇଛି ଓ ରାଷ୍ଟ୍ର ହେଉ ବା ରାଜ୍ୟ ହେଉ ବା ନିଜ ଘର ହେଉ ସବୁଠାରେ ପଡୋଶୀଙ୍କ ଗୁରୁତ୍ୱ ରହିଛି। ସାଧାରଣତଃ ପଡୋଶୀଙ୍କ ପାଇଁ, ପଡୋଶୀଙ୍କୁ ନେଇ ପଡୋଶୀଙ୍କ ଦ୍ୱାରା ଚିନ୍ତା ବଢିଥାଏ। ଶାନ୍ତ ଜୀବନଯାପନ ନିମନ୍ତେ ପଡୋଶୀଙ୍କ ସହିତ ମଧୁର ସମ୍ପର୍କ ଅନିବାର୍ଯ୍ୟ। ଆମ ପଡୋଶୀ ରାଷ୍ଟ୍ର ବାଂଲାଦେଶ ଏବଂ ପାକିସ୍ତାନ ବର୍ତ୍ତମାନ ହାତ ଧୋଇ ଭାରତ ପଛରେ ପଡ଼ି ଯାଇଛନ୍ତି। ନାନା ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ଦ୍ୱାରା ଭାରତର କ୍ଷତି ଘଟାଇ ଚାଲିଛନ୍ତି। ବର୍ତ୍ତମାନ ବାଂଲାଦେଶର ରାଜନୀତି ଉପରେ କିଛି ଆଲୋକପାତ କରିବା।
ଅଶାନ୍ତ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଗତ ୧୭ ନଭେମ୍ବର ୨୦୨୫ ତାରିଖ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛି। ଗତବର୍ଷ ଜୁଲାଇ ୨୪ ତାରିଖରେ ବାଂଲାଦେଶ ଛାତ୍ର ଆନ୍ଦୋଳନ ପ୍ରତିରୋଧ କରିବାକୁ ଯାଇ ଛାତ୍ରଙ୍କ ମୃତ୍ୟୁ ପାଇଁ ଶେଖ୍ ହସିନାଙ୍କୁ ଦାୟୀ କରାଯାଇଛି। ନରହତ୍ୟା ମାମଲା ସହିତ ଅନ୍ୟାନ୍ୟ ମାମଲାକୁ ବିଚାର କରି ଅଦାଲତ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଅସଦୁ ଜମାନ୍ ଖାଁଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବର୍ତ୍ତମାନ ଶେଖ୍ ହସିନା ଭାରତରେ ରାଜନୈତିକ ଶରଣ ନେଇ ଅବସ୍ଥାନ କରୁଛନ୍ତି। ବାଂଲାଦେଶ ସରକାର ବନ୍ଦୀ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଶେଖ୍ ହସିନାଙ୍କୁ ବାଂଲାଦେଶକୁ ଫେରାଇ ଦେବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଶେଷ କାରଣ ତଥା ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ଶେଖ୍ ହସିନାଙ୍କ ଅମଳରେ ୨୦୧୦ ମସିହାରେ ଗଠିତ ହୋଇଥିବା ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ / କୋର୍ଟ ଶେଷରେ ଶେଖ୍ ହସିନାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛି। ଆଇ.ସି.ଟି ଦ୍ୱାରା ଦଣ୍ଡିତ ଅପରାଧୀ ଚାହିଁଲେ ଦେଶର ସର୍ବୋଚ୍ଚ ଅଦାଲତ/ ସୁପ୍ରିମ କୋର୍ଟରେ ଆଇ.ସି.ଟି ର ନିେର୍ଦଶ ଉପରେ ଅପିଲ କରି ପାରିବେ। ତେବେ ନିମ୍ନ ଅଦାଲତର ବିଚାର ସମୟରେ ଯଦି ଅପରାଧୀ ଅଦାଲତରେ ଉପସ୍ଥିତ ଥା’ନ୍ତି ତେବେ ଏହା ସମ୍ଭବ ହେବ। ଶେଖ୍ ହସିନା ବର୍ତ୍ତମାନ ଭାରତର ରାଜନୈତିକ ଶରଣାର୍ଥୀ ତେଣୁ ସେ ବାଂଲାଦେଶର ସୁପ୍ରିମ କୋର୍ଟରେ ନିଜ ପକ୍ଷ ରଖି ପାରିବେ ନାହିଁ। ଯଦି ନିଜେ ବାଂଲାଦେଶରେ ଉପସ୍ଥିତ ହେବେ ତେବେ ନିଶ୍ଚିତ ଭାବେ ଗିରଫ୍ ବା ଅକାଳ ମୃତ୍ୟୁ ହେବାର ଆଶଙ୍କାକୁ ଏଡାଇ ଯାଇ ହେବ ନାହିଁ। କାରଣ ବାଂଲାଦେଶର ଅନ୍ତରୀଣ ସରକାର ଶେଖ୍ ମୁଜିବୁରଙ୍କ ପରିବାରକୁ ବାଂଲାଦେଶରୁ ନିଶ୍ଚିହ୍ନ କରିଦେବାକୁ ଚେଷ୍ଟିତ। କ୍ଷମତା ଲୋଭୀ ୟୁନୁସ୍ ସରକାର ଦେଶରେ ଅରାଜକତା ସୃଷ୍ଟିକରି ବାଂଲାଦେଶୀ ନାଗରିକଙ୍କ ଭିତରେ ଭାରତ ବିରୋଧୀ ଚିନ୍ତାଧାରା ସୃଷ୍ଟି କରିଛନ୍ତି। ୟୁନୁସ୍ ଅତୀତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ୍ ସହିତ ହାତ ମିଳାଇ ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଯାହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିବ। ଜଣେ ନୋବେଲ ପୁରସ୍କାର ବିଜେତା ବ୍ୟକ୍ତି ଯେ ଏତେ ନିମ୍ନ ସ୍ତରକୁ ଖସିଯାଇ ପାରନ୍ତି ଏହା ତା’ର ଜ୍ୱଳନ୍ତ ଉଦାହରଣ। ମହମ୍ମଦ ୟୁନୁସ୍, ଅତୀତରେ ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଲୁଟି ଅପରାଧୀ ସାବ୍ୟସ୍ତ ହୋଇ ବିଦେଶ ପଳାୟନ କରିଥିଲେ। ସେହି ୟୁନୁସ୍ ଆମେରିକା ସରକାରଙ୍କ ପକ୍ଷରୁ ସହାୟତା ପାଇ ଗତ ବର୍ଷରୁ ବାଂଲାଦେଶର ଶାସନ ମଙ୍ଗ ଧରିଛନ୍ତି।
ବାଂଲାଦେଶରେ ଘଟିଯାଇଥିବା ଆନ୍ଦୋଳନ, ଜେନ ଜି /ଛାତ୍ର ଆନ୍ଦୋଳନ, ବିରୋଧୀଙ୍କ ଦମନ, ଛାତ୍ର ମୃତ୍ୟୁ, ହସିନାଙ୍କ ଇସ୍ତଫା ଦେଇ ଭାରତକୁ ପଳାୟନ, ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ କରିବା ଠାରୁ ଆରମ୍ଭ କରି ଭାରତ ବିରୋଧୀ ଚିନ୍ତାଧାରା ସୃଷ୍ଟି କରିବା ପଛରେ ଏକ ପ୍ରକାର ପ୍ରାୟୋଜିତ କାର୍ଯ୍ୟକ୍ରମ ଚାଲିଛି। ଆମେରିକା ସରକାରକୁ ଯଦି ଶେଖ୍ ହସିନା ସେଣ୍ଟ ଲୁଇସ୍ ଦ୍ବୀପ ବିକ୍ରିକରି ଦେଇଥା’ନ୍ତେ ତେବେ ଆଜି ମଧ୍ୟ ସେ ଶାସନ ଗାଦି ଅଳଙ୍କୃତ କରିଥା’ନ୍ତେ ଏବଂ ୟୁନୁସ୍ ନିର୍ବାସିତ ଭାବେ ବିଦେଶରେ ଅବସ୍ଥାନ କରୁଥା’ନ୍ତେ। ବଙ୍ଗ ବନ୍ଧୁ ଶେଖ୍ ମୁଜିବୁର୍ ରେହେମାନଙ୍କ ସୁପୁତ୍ରୀ ଦେଶର ସ୍ୱାର୍ଥ ପାଇଁ ସେଣ୍ଟ ମାର୍ଟିନ୍ ଦ୍ବୀପ ଆମେରିକାକୁ ଦେବାକୁ ରୋକ୍ଠୋକ୍ ମନା କରି ଦେଲେ। ଆମେରିକାର କୂଟନୀତି ଦ୍ୱାରା ଶେଷରେ ହସିନା କ୍ଷମତା ହରାଇ ରାଜନୈତିକ ଶରଣାର୍ଥୀ ଭାବେ ଭାରତରେ ଆଶ୍ରିତ।
ବନ୍ଦୀ ପ୍ରତ୍ୟର୍ପଣ ଚୁକ୍ତି ଦ୍ୱାରା ଭାରତ ତା’ର ଜଣେ ରାଜନୈତିକ ଶରଣାର୍ଥୀଙ୍କୁ ଆଦୌ ବାଂଲାଦେଶକୁ ହସ୍ତାନ୍ତର କରିବ ନାହିଁ। ଅତୀତରେ ଚୀନ୍ ଅଧିକୃତ ତିବ୍ବତର ଧର୍ମଗୁରୁ ଦଲାଇ ଲାମା ଭାରତରେ ରାଜନୈତିକ ଶରଣ ନେଇଥିଲେ, ଚୀନ୍ର ଅନେକ ଅନୁରୋଧ /ଧମକ ସେତ୍ତ୍ବ ଭାରତ ଦଲାଇ ଲାମାଙ୍କୁ ଆଜି ପର୍ଯ୍ୟନ୍ତ ଚୀନ୍କୁ ହସ୍ତାନ୍ତର କରି ନାହିଁ। ଏହି ଚୁକ୍ତି କ’ଣ?
ପ୍ରତ୍ୟର୍ପଣ ହେଉଛି ଦୁଇଟି ଦେଶ ମଧ୍ୟରେ ଏକ ଆଇନଗତ ବ୍ୟବସ୍ଥା ଯାହା ଦ୍ୱାରା ପ୍ରତ୍ୟର୍ପଣ ଯୋଗ୍ୟ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ବିଚାର ପାଇଁ ସ୍ଥାନାନ୍ତର କରାଯାଏ। ପ୍ରତ୍ୟର୍ପଣ ଚୁକ୍ତିନାମା ଅନୁଯାୟୀ ପ୍ରତ୍ୟର୍ପଣ ଚାହୁଁଥିବା ଦେଶକୁ ଦର୍ଶାଇବାକୁ ପଡ଼ିବ ଯେ ସେ ଚାହୁଁ ଥିବା ବ୍ୟକ୍ତି ଟିର ଅପରାଧ ଯଥେଷ୍ଟ ଗମ୍ଭୀର। ଭାରତ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ ଏବଂ ଦକ୍ଷିଣ କୋରିଆ ଭଳି ଅନେକ ଦେଶ ସହିତ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ଯେପରି ପଳାତକ ଅପରାଧୀମାନେ ଦଣ୍ଡ ପାଇବାରୁ ଖସି ନ ପାରିବେ ତାହା ନିଶ୍ଚିତ କରିବା ପାଇଁ ସରକାରଙ୍କ ନୀତି ହେଉଛି ଯଥାସମ୍ଭବ ଅଧିକ ଦେଶ ସହିତ ଚୁକ୍ତି ସ୍ୱାକ୍ଷର କରିବା। ଭାରତ ୪୭ ଟି ଦେଶ ସହିତ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷର କରିଛି। ଯୁକ୍ତରାଷ୍ଟ୍ର, ଆମେରିକା ଏବଂ କାନାଡା ଭଳି ପ୍ରମୁଖ ଅଂଶୀଦାର ସମେତ ଦେଶ ସହିତ ପ୍ରତ୍ୟର୍ପଣ ବ୍ୟବସ୍ଥା ଅଦ୍ୟାବଧି ଅଛି। ଏହି ଚୁକ୍ତିନାମାଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ସ୍ୱାକ୍ଷର କରିଥିବା ଦେଶଗୁଡିକ ମଧ୍ୟରେ ଏକ ଆଇନଗତ ଢାଞ୍ଚା ପ୍ରଦାନ କରେ। ପଳାତକ ଅପରାଧୀଙ୍କୁ ଦଣ୍ଡ ପ୍ରଦାନ ନିଶ୍ଚିତ କରିବା ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରକୃତ ପକ୍ଷେ ଦେଖିବକୁ ଗଲେ ଏହି ପ୍ରକ୍ରିୟା ଖୁବ୍ ଜଟିଳ ତଥା ସମୟ ସାପେକ୍ଷ, ଅନେକ କ୍ଷେତ୍ରରେ ଏହା ସମ୍ଭବ ହୁଏ ନାହିଁ।
ବାଂଲାଦେଶ ଜନତା ନିଜ ଅତୀତକୁ ଭୁଲିଯାଇ ଧର୍ମର ଦ୍ୱାହି ଦେଇ ବନ୍ଧୁ ରାଷ୍ଟ୍ର ଭାରତକୁ ବିରୋଧ କରି ଆସୁଛନ୍ତି। ୧୯୭୧ ମସିହାରେ ଭାରତର ସହଯୋଗ ଦ୍ୱାରା ବାଂଲାଦେଶର ଜନ୍ମ ହୋଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ବର୍ବର ପାକିସ୍ତାନୀ ସୈନ୍ୟମାନେ ପୂର୍ବ ପାକିସ୍ତାନ (ବାଂଲାଦେଶ)ର ମା’, ଭଉଣୀମାନଙ୍କର ଇଜ୍ଜତ ଲୁଟି ଥିଲେ, ଅନ୍ୟାୟ ଅତ୍ୟାଚାର କରୁଥିଲେ, ଶୋଷଣରେ ଲିପ୍ତ ଥିଲେ। ସେତେବେଳେ ସେମାନେ ଭାଷା ଭିତ୍ତିକ ଶତ୍ରୁତାକୁ ଦେଖୁଥିଲେ। ସେହି ଶତ୍ରୁମାନେ ବର୍ତ୍ତମାନ ବାଂଲାଦେଶୀମାନଙ୍କୁ ଉସୁକାଇ ଭାରତର ଶତ୍ରୁ କରି ପାରିଛନ୍ତି। ବଙ୍ଗଳା ଦେଶରେ ବିରୋଧୀ ବିଦେଶୀ ଶତ୍ରୁ, ଆତଙ୍କୀ ଗୋଷ୍ଠୀ ଭାରତକୁ ନିଶାଣ କରୁଛନ୍ତି। ଧନ୍ୟ ବାଂଲାଦେଶୀ, ଧନ୍ୟ ତୁମ ଧର୍ମ ଏବଂ ବେଇମାନି। ତୁମ ଆଚରଣ ତୁମକୁ ଆଜି ବିଶ୍ୱ ଦରବାରରେ ନିନ୍ଦିତ କରୁଛି।
ବିଷ୍ଣୁପ୍ରସାଦ ଦାସ
ଝାଞ୍ଜିରୀ ମଙ୍ଗଳା, କଟକ



