ଜାମ୍ମୁ: ଦେଶଭକ୍ତି ପ୍ରଦର୍ଶନ ପାଇଁ ସବୁ ଭାରତୀୟ ଗର୍ବରେ ‘ଜୟ ହିନ୍ଦ’ କହିଥାନ୍ତି। କିନ୍ତୁ ଏହି ଶବ୍ଦର ମଜାକ ଉଡ଼ାଇଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ବିମାନ ଉଡ଼ାଣ ପୂର୍ବରୁ ବିମାନର ସମସ୍ତ କ୍ରୁ ସଦସ୍ୟ ଏବଂ ପାଇଲଟ ‘ଜୟ ହିନ୍ଦ’ କରିବା ଲାଗି ଏୟାର ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଆଗକୁ ନିର୍ବାଚନ ଆସୁଥିବା ବେଳେ ମୋଦୀ ସରକାର ଦେଶଭକ୍ତିର ଜୋଶ୍ ଦେଖାଇବା ପାଇଁ ଆକାଶକୁ ବି ଛାଡ଼ିଲେ ନାହିଁ।
ସୂଚନା ମୁତାବକ, ଏୟାର ଇଣ୍ଡିଆର ଅପରେଶନ ନିର୍ଦେଶକ ଅମିତାଭ ସିଂହ ଏକ ସର୍କୁଲାର ଜାରି କରି କହିଥିଲେ ଯେ, ପ୍ରତିଥର ବିମାନ ଉଡ଼ାଣ କରିବା ନେଇ ଘୋଷଣା କରିବା ପୂର୍ବରୁ କ୍ରୁ ସଦସ୍ୟ, କକପିଟ୍ ସଦସ୍ୟ ଜୋଶର ସହିତ ‘ଜୟ ହିନ୍ଦ’ କହିବେ।
ଏହାର ଦିନକ ପରେ ମେହବୁବା ଟୁଇଟ୍ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମୁଁ ଆଶ୍ଚର୍ଯ୍ୟ ଯେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ରହିଛି, ଏଭଳି ସମୟରେ ସରକାର ଦେଶଭକ୍ତିର ଜୋଶରେ ଆସି ଆକାଶକୁ ବି ଛାଡ଼ନାହାନ୍ତି।’
ତେବେ ଏୟାର ଇଣ୍ଡିଆ ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶରେ ବର୍ତ୍ତମାନର ମାହୋଲକୁ ଦୃଷ୍ଟିରେ ରଖି ଏହି ସର୍କୁଲାର ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ୨୦୧୬ରେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ପାଇଲଟମାନଙ୍କ ପାଇଁ ଏପରି ସର୍କୁଲାର ଜାରି କରିଥିଲେ।



