ନୂଆଦିଲ୍ଲୀ: ଚଳିତ ମହିଳା ଦିନିକିଆ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତିଶୋଧମୂଳକ ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଉକ୍ତ ମ୍ୟାଚରେ ଭାରତ ରେକର୍ଡ ୩୩୯ ରନକୁ ପିଛା କରି ବିଜୟୀ ହୋଇଥିଲା। ତେବେ ଏହି ପ୍ରତିଶୋଧମୂଳକ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଜେମିମା ରଡ୍ରିଗ୍ବେଜ। ଉକ୍ତ ମ୍ୟାଚରେ ଜେମିମା ୧୩୪ଟି ବଲ ଖେଳି ୧୪ଟି ଚୌକା ସହ ୧୨୭ରନ କରି ଅପରାଜିତ ରହିଥିଲେ। ଭାରତ ବିଜୟ ପରେ ଜେମିମା ସିଧା ଷ୍ଟାଡ଼ିୟମରେ ଉପସ୍ଥିତ ଥିବା ବାପାଙ୍କ ପାଖକୁ ଯାଇଥିବାର ଦେଖା ଯାଇଥିଲା। ଏହି ସମୟର ଅନେକ ଭାବବିହ୍ବଳଭରା ଭିଡ଼ିଓ ପ୍ରସାରିତ ହେବାରେ ଲାଗିଛି। ଯେଉଁଥିରେ ଜେମିମା ତାଙ୍କ ବାପାଙ୍କୁ ଧରି କାନ୍ଦୁଥିବାର ଦେଖିବାକୁ ମିଳୁଛି।
ଗୁରୁବାର ଡି ୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ସେମିଫାଇନାଲ ମ୍ୟାଚକୁ ଷ୍ଟାଡ଼ିୟମରେ ଜେମିମାଙ୍କ ପରିବାର ବସି ଦେଖିଥିଲେ। ଭାରତ ଜିତିବା ପରେ ଜେମିମା ପ୍ରଥମେ ନିଜ ପରିବାରକୁ ଭେଟିବାକୁ ଯାଇଥିଲେ। ସେ ତାଙ୍କ ବାପାଙ୍କୁ ଆଲିଙ୍ଗନ କରି କାନ୍ଦିବାରେ ଲାଗିଥିଲେ। ତା ପରେ ତାଙ୍କ ଭାଇ ଆସି ଜେମିମାଙ୍କ ପାଦ ଛୁଇଁ ଅାଲିଙ୍ଗନ କରିଥିଲେ। ଭାରତ ଜିତିବା ପରେ ଜେମିମା ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଜେମିମା ୫ଟି ଫଟୋ ସେୟାର କରିଛନ୍ତି। ଯାହା ମଧ୍ୟରୁ ପ୍ରଥମଟି ସେ ତାଙ୍କ ବାପାଙ୍କୁ ଅଲିଙ୍ଗନ କରୁଥିବାର ଦେଖାଯାଇଛି। ଜେମିମା ତାଙ୍କ ସାଥି ଖେଳାଳି ଅରୁନ୍ଧତି ରେଡ୍ଡିଙ୍କ ଫଟୋକୁ ମଧ୍ୟ ସେୟାର କରିଛନ୍ତି। ଏହି ପୋଷ୍ଟ ସେୟାର କରି ଜେମିମା ଲେଖିଛନ୍ତି; ମୁଁ ଯେତେବେଳେ ନିଜ ଉପରେ ବିଶ୍ବାସ କରୁନଥିଲି: ଏହି ଲୋକମାନେ ମୋ ଉପରେ ବିଶ୍ବାସ କରିଥିଲେ। ମୁଁ ଖୁସି ଯେ ସେମାନେ ମୋ ଜାବନରେ ଅଛନ୍ତି ।



