ସାକ୍ଷୀଗୋପାଳ: ଅଳାଁ ନବମୀ ପାଇଁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଭକ୍ତ ୩କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡା ହେବା ପରେ ଠାକୁରାଶୀ ଶ୍ରୀରାଧାରାଣୀଙ୍କ ଦର୍ଶନ କରିଛନ୍ତି । ବର୍ଷକରେ କେବଳ ଏହି ଗୋଟିଏ ଦିନ ରାଧାଙ୍କ ପାଦ ଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଆଜି ଭୋର ୫ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ପ୍ରଶାସନ ଦ୍ୱାରା ନିର୍ମିତ ବ୍ୟାରିକେଡ ମଧ୍ୟରେ ଶୃଙ୍ଖଳିତ ଭାବେ ଯାଇ ମାଙ୍କ ପାଦ ଦର୍ଶନ କରିଛନ୍ତି ।
ସାକ୍ଷୀଗୋପାଳର ଏହି ରାଧାରାଣୀ ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି । ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ । ପବିତ୍ର ଅଁଳା ନବମୀ ତିଥିରେ ଗୋଟିଏ ଦିନ ନିମନ୍ତେ ରାଧାରାଣୀ ଓଡ଼ିଆଣୀ ବେଶ ହୋଇ କାଣୀଆ କଛା ମାରିଥାନ୍ତି । ଯାହା ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ ଏବଂ ଭକ୍ତ ମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ ।
ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯାଇଥିଲା । ଏହି ବେଶରେ ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣୀଆ କଛା ମାରିଥିଲେ । କାନିରେ ଅରୁଆ ଚାଉଳ, ଦୁବ ଓ ଗୁଆ ବନ୍ଧା ଯାଇଥିଲା । ଠାକୁରାଣୀ ପାଦରେ ଅଳତା ଓ ଆଖିରେ କଜ୍ଜ୍ୱଳ ଲଗାଇଥିଲେ ।
ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳା ଫଳ ମାଳ, ଓ ଡାଇମଣ୍ଡ କଟା ଚାପସରୀ, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗ ପାଟିଆ ମାଳ, ସୁବର୍ଣ୍ଣ ଚକି ମାଳ, ସୁବର୍ଣ୍ଣ କମରପଟି ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ର ହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରୀଆ ମାଳ, ସୁବର୍ଣ୍ଣ ତାବିଜ ମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖି ମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କୀ, ପାପଦ୍ମ, ଓ ଚୁପୁଲି ଶୋଭା ପାଉଥିଲା ।



