ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ରାତି ୯ଟା ସମୟରେ ରାଜୀବ ଭବନସ୍ଥିତ ଓସଡମା କାର୍ଯ୍ୟାଳୟରେ ବାତ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ମାଝୀ ସେଠାରେ ଉପସ୍ଥିତ ରହି ନିୟନ୍ତ୍ରଣ କକ୍ଷ କାର୍ଯ୍ୟ ତଦାରଖ କରିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ, ଶୂନ୍ୟ ଜୀବନ ହାନି ଲକ୍ଷ୍ୟ ନେଇ ରାଜ୍ୟ ସରକାର କାମ କରୁଛନ୍ତି। ପ୍ରତ୍ୟେକ ଆଶ୍ରୟସ୍ଥଳରେ ସବୁ ବର୍ଗର ଲୋକଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ୧୭୮୧୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେହିପରି ୨୧୯୮ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଉ ୬୫୧ ଗର୍ଭବତୀଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରହିବ। ସେହିପରି ଶକ୍ତି, ପୂର୍ତ୍ତ, କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ବ ବଣ୍ଟନ କରାଯାଇଛି। ରେଳ ମନ୍ତ୍ରୀ ମୋ ସହ ଫୋନ୍ରେ ଆଲୋଚନା କରି ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ପରିସ୍ଥିତି ଭଲ ରହିଲେ ବାତିଲ ହୋଇଥିବା ଟ୍ରେନ୍ ଚଳାଚଳ ଆରମ୍ଭ ପାଇଁ ଅନୁମତି ଦିଆଯିବ। ବନ୍ୟା, ବାତ୍ୟା ପରିଚାଳନା ଦିଗରେ ଓଡ଼ିଶାର ବେଶ୍ ଭଲ ଦକ୍ଷତା ରହିଛି। ତେଣୁ ରାଜ୍ୟବାସୀ ଆତଙ୍କିତ ନ ହୋଇ ସତର୍କ ରହିବା ଆବଶ୍ୟକ।
ମୁଖ୍ୟମନ୍ତ୍ରୀ କହିଥିଲେ ଆଜି ସନ୍ଧ୍ୟା ୭ରେ ଆନ୍ଧ୍ର ପ୍ରଦେଶର ଆମଲାପୁରମ୍ଠାରେ ବାତ୍ୟା ମନ୍ଥା ସ୍ଥଳ ଭାଗ ସ୍ପର୍ଶ କରିଛି। ତେବେ ପୂର୍ବାନୁମାନ ଅନୁସାରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ। ଦିନ ବେଳା ଦକ୍ଷିଣ ଗଜପତି, ଗଞ୍ଜାମ ଜିଲାରେ ପ୍ରାୟ ୧୦୦ ମିମି ବର୍ଷା ହୋଇଛି। ମାଲକାନଗିରିରେ ତାହାର ବିଶେଷ ପ୍ରଭାବ ଦେଖାଯାଇ ନାହିଁ। ଅଦ୍ୟାବଧି କିଛି ବଡ଼ ଅଘଟଣର ସୂଚନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



