ସଂସଦ ହେଉ କି ବିଧାନସଭା, ଏହା ଗଣତନ୍ତ୍ରର ଆଦ୍ୟ ମନ୍ଦିର। ଜନତାଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧି ସେଠାକୁ ଯାଆନ୍ତି ଲୋକଙ୍କ ମୌଳିକ ସମସ୍ୟା, ଶାସନକୁ ସୁଦୃଢ ଓ ଲୋକକଲ୍ୟାଣମାର୍ଗୀ କରାଇବା ପାଇଁ ଆବଶ୍ୟକ ପଡୁଥିବା ଆଇନ ପ୍ରଣୟନ ଲାଗି। ଏଠାରେ ଉଚ୍ଚାଙ୍ଗ ବିତର୍କ, ଉତ୍ତମ ଆଲୋଚନା ଓ ବିଭିନ୍ନ ପ୍ରସଙ୍ଗରେ ସମାଧାନର ସୂତ୍ର ମିଳେ। ବିଭିନ୍ନ ଚିଠା ବିଧେୟକ ପ୍ରସ୍ତାବ ଉପରେ ସଘନ ଚର୍ଚ୍ଚା, ବିଚାର ବିମର୍ଶ ଓ ସଂଶୋଧନ ପରେ ବିଲ୍କୁ ଗୃହୀତ କରାଯାଇ ପରବର୍ତ୍ତୀ କାଳରେ ଆଇନରେ ରୂପାନ୍ତର କରାଯାଏ। ମାତ୍ର ସଂପ୍ରତି ସଂସଦ ହେଉ କି, ପ୍ରଦେଶିକ ବିଧାନସଭାରେ ସେଭଳି ଉତ୍ତମ ଆଲୋଚନା ଓ ବିତର୍କ ଦେଖିବାକୁ ମିଳୁନି। ଅନେକ ସମୟରେ ଚର୍ଚ୍ଚା ଓ ଆଲୋଚନାକୁ ଭଣ୍ଡୁର କରୁଛନ୍ତି। ନିଜକୁ ଅଡୁଆ ପ୍ରସଙ୍ଗରୁ ମୁକୁଳାଇବା ଲାଗି ପ୍ରାୟୋଜିତ ଭାବେ ବିଭିନ୍ନ ଦଳୀୟ ବିଧାୟକ ଗୃହ ମୁଲତବୀ କରାଉଥିବା ନଜିର କିଛି କମ୍ ନୁହେଁ ! ସଂପ୍ରତି ଓଡ଼ିଶା ବିଧାନସଭାର ସ୍ବଳ୍ପକାଳୀନ ମୌସୁମି ଅଧିବେଶନ ଗତ ଗୁରୁବାରଠାରୁ ଆରମ୍ଭ ହୋଇଛି। ମାତ୍ର ୭ ଦିନିଆ ଏହି ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଦୁଃଖର କଥା, ପ୍ରଥମ ୪୮ ଘଣ୍ଟା କିନ୍ତୁ ସଂପୂର୍ଣ୍ଣ ବରବାଦ ହୋଇଛି। ପ୍ରଥମ ଦିନ ସାଧାରଣତଃ ଦିବଂଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପରମ୍ପରା ଦୃଷ୍ଟିରୁ ଗୃହ ମୁଲତବୀ ହେବା ସ୍ବାଭାବିକ କଥା; କିନ୍ତୁ ଦ୍ବିତୀୟ ଦିନ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସତ୍ତ୍ବେ ବିଧାନସଭା ପୂର୍ବାହ୍ଣ ଓ ଅପରାହ୍ଣ ଅଧିବେଶନରେ ମୋଟ ମାତ୍ର ୮ ମିନିଟ୍ ଚାଲିବା ଦୁର୍ଭାଗ୍ୟଜନକ। ଯେଉଁ ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ହଟ୍ଟଗୋଳ କରିଛନ୍ତି, ତାହା ନିଶ୍ଚିତ ରୂପେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ରାଜ୍ୟରେ ସାର ସଙ୍କଟକୁ ନେଇ କୃଷକ ବିଲବାଡିରେ କାମ କରିବ କ’ଣ, ଲାମ୍ପସ ଓ ପାକ୍ସରେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଛିଡା ହୋଇଛି। ଏଣେ ସରକାର ରାଜ୍ୟରେ ସାର ସମସ୍ୟା ନାହିଁ; ବରଂ ବଣ୍ଟନ ବ୍ୟବସ୍ଥାରେ କିଛିଟା ତ୍ରୁଟି ରହିଛି ବୋଲି ଯୁକ୍ତି କରୁଛନ୍ତି। ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ବାଚସ୍ପତିଙ୍କ ଠାରେ ଦାବି କରିଛନ୍ତି। କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିବାବେଳେ ବିଜେଡି ମଧ୍ୟ ସ୍ବତନ୍ତ୍ର ଆଲୋଚନା ଦାବି କରୁଛି। ଏହା ଭିତରେ କିନ୍ତୁ ସାର ପ୍ରସଙ୍ଗରେ କିଏ ଚାଷୀଙ୍କ ସହ ରହିଛି, ତାହାକୁ ନେଇ ବିରୋଧୀଙ୍କ ଶ୍ରେୟ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଉଭୟ ଦଳ ଦ୍ବିତୀୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ କରିବାରୁ ଆଲୋଚନା ଧୋଇ ଯାଇଛି। ଦୁଇଟି ପର୍ଯ୍ୟାୟରେ ମାତ୍ର ୪ ମିନିଟ୍ ଲେଖାଏଁ ପ୍ରଶ୍ନକାଳ ଚାଲିବା ଆମ ସଂସଦୀୟ ଗଣତନ୍ତ୍ରର ଦୁର୍ଭାଗ୍ୟଜନକ ସ୍ଥିତିକୁ ଦର୍ଶାଉଛି।
ବିଧାନସଭା ଅଧିବେଶନ କାଳରେ ପ୍ରଶ୍ନକାଳ ହେଉଛି, ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ରାଜ୍ୟର ୧୪୭ ବିଧାୟକଙ୍କୁ ନିଜ ନିଜ ଅଞ୍ଚଳର ସମସ୍ୟା, ପ୍ରସଙ୍ଗ ଏବଂ ବିଭିନ୍ନ ପ୍ରକଳ୍ପ ସଂପର୍କରେ ପ୍ରଶ୍ନ ଉଠାଇବାର ସୁଯୋଗ ମିଳିଥାଏ। ମନ୍ତ୍ରୀଙ୍କଠାରୁ ଉତ୍ତର ଲୋଡିବା ସହ ବାଚସ୍ପତିଙ୍କ ରୁଲିଂ ତଥା ନିର୍ଦେଶ ବି ମିଳିଥାଏ। ମାତ୍ର ପ୍ରଶ୍ନକାଳ ଯଦି ନ ଚାଲିବ, ତେବେ ବିଧାୟକ ସେମାନଙ୍କ ଅଞ୍ଚଳର ଦାବି ଓ ସମସ୍ୟା ଜଣାଇବାର ସୁଯୋଗରୁ ବଞ୍ଚିତ ହେବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଥର ବହୁ ବିଧାୟକ ନୂତନ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି। ଗୃହରେ ଯଦି ସକାରାତ୍ମକ ଆଲୋଚନା ନହେବ ଓ ଏଭଳି ସମୟ ଅପଚୟ ହେବ, ତାହେଲେ ନବନିର୍ବାଚିତ ବିଧାୟକ କିଭଳି ଅନୁଭୂତି ଓ ଅଭିଜ୍ଞତା ହାସଲ କରିବେ? ଶିଖିବେ ଓ ଜାଣିବେ କ’ଣ? ଜନତାଙ୍କ ସମସ୍ୟାର କିଭଳି ସମାଧାନ ହେବ ? ଅନେକ ସମୟରେ ହୋ-ହଲ୍ଲା କାରଣରୁ ଜରୁରୀ କାର୍ଯ୍ୟ, ବିଧେୟକ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଶାସକ ଦଳ ସଂଖ୍ୟାବଳରେ ବାଚନିକ ଭୋଟରେ ତଥା ଗିଲୋଟିନ୍ ଜରିଆରେ ଗୃହୀତ କରାଇ ନେଇଥାଏ। ଏହାଦ୍ବାରା ବିଧେୟକ ଉପରେ ଚର୍ଚ୍ଚା ଆଲୋଚନାରୁ ବିଧାୟକମାନେ କେବଳ ବଞ୍ଚିତ ହୁଅନ୍ତିନି; ବରଂ ବିଧେୟକରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦେବାରୁ ମଧ୍ୟ ବାଧିତ ହୋଇଥାନ୍ତି।
ସଂସଦୀୟ ଗଣତନ୍ତ୍ରରେ ସବୁଠୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି, ଶାସକ ଦଳ କ୍ଷମତାରେ ଥିବାବେଳେ ଗୃହ ଚାଲୁ ବୋଲି ବିରୋଧୀଙ୍କ ଠାରୁ ଆଶା ରଖେ, ମାତ୍ର କ୍ଷମତାରୁ ବାହାରି ବିରୋଧୀ ଭୂମିକାରେ ବସିଲା ପରେ ପୂର୍ବ ପରାମର୍ଶ ଭୁଲିଯାଇ ଗୃହ ଅଚଳ କରେ। ଏବେ ତ’ ଗୃହ ଚଳାଇ ନଦେବା, ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢି ମାଇକ୍ ଭାଙ୍ଗିବା, ଚିଠା ବିଧେୟକକୁ ଚିରି ଫିଙ୍ଗିବା ଆଦି ଘଟଣା ସ୍ବାଭାବିକ ହେଲାଣି। ଗତଥର ଶାସକ-ବିରୋଧୀ ଏକ ପ୍ରସଙ୍ଗକୁ ନେଇ ଗୃହ ଭିତରେ ନିଜ ନିଜ ଆସନରୁ ଉଠି ହାତାହାତି ହେବା ଓ ଗାଳିଗୁଲଜ କରିବା ଭଳି ଅସାମ୍ବିଧାନିକ, କୁତ୍ସିତ ତଥା ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଥିଲା। ସାଂସଦ ହୁଅନ୍ତୁ କି ବିଧାୟକ, ଏଭଳି କିଛି ଜନପ୍ରତିନିଧିଙ୍କ ଲାଗି ବିଧି ଓ ବ୍ୟବସ୍ଥା ପ୍ରତି ସମ୍ମାନବୋଧ ଓ ମୂଲ୍ୟବୋଧ କେବେ ଜାଗ୍ରତ ହେବ ? ଜନତାଙ୍କ ପ୍ରସଙ୍ଗ ଉଠାଇବାକୁ ଯାଇଥିବା ଜନପ୍ରତିନିଧି ଅଧିକ ତାର୍କିକ ଓ ରୁଚିଶୀଳ ହୁଅନ୍ତୁ। ଅଧିବେଶନର ସମୟକୁ ଅକାରଣେ ନଷ୍ଟ ନକରି ସଦୁପଯୋଗ କଲେ, ସାଧାରଣ କରଦାତାଙ୍କ ଅର୍ଥର ମୂଲ୍ୟ ରହିବ ! ଆଶା, ଅଚଳାବସ୍ଥା ଦୂର ହେବ। ଉଭୟ ଶାସକ ଓ ବିରୋଧୀଙ୍କ ଦ୍ବାରା ଆଲୋଚନା ସକାରାତ୍ମକ ରହିବ।



