www.samajalive.in
Friday, December 5, 2025
27.1 C
Bhubaneswar

ଶୁଭମିତ୍ରା ହତ୍ୟାକାଣ୍ଡ; ପ୍ରଥମ ପତ୍ନୀଙ୍କ ବୀମା ଅର୍ଥରେ ଘର, ଗାଡ଼ି ଓ ବିଦେଶ ବୁଲା

ଭୁବନେଶ୍ବର/ଗୁରୁଡ଼ିଝାଟିଆ: ଟ୍ରାଫିକ୍‌ କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାକୁ ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯିବା ପରେ ତଦନ୍ତକୁ ଆହୁରି କ୍ରିୟାଶୀଳ କରାଯାଉଛି। ଭୁବନେଶ୍ବର ଡିସିପି ଏହି ମାମଲାକୁ ନିରୀକ୍ଷଣ କରୁଛନ୍ତି। ନିରୀକ୍ଷଣ କରୁଥିବା ଅଧିକାରୀ ସପ୍ତାହକୁ ଦୁଇଥର ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚକୁ ଅବଗତ କରିବେ। ରେଡ ଫ୍ଲାଗ୍ ଶ୍ରେଣୀଭୁକ୍ତ ହୋଇଥିବାରୁ ତ୍ବରିତ ଚାର୍ଜସିଟ୍‌କୁ ଗୁରୁତ୍ବ ଦିଆଯାଉଛି। ପୁଲିସ ମହାନିର୍ଦେଶକଙ୍କୁ ସମୟକ୍ରମେ ଏହି ମାମଲାର ଅଗ୍ରଗତି ସମ୍ପର୍କରେ ଅବଗତ କରାଯିବ। ଅନୁରୂପ ଭାବେ ଶୁଭମିତ୍ରାଙ୍କୁ ହତ୍ୟା ଓ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ସନ୍ଦେହଜନକ ହତ୍ୟା ମାମଲା ପୁନଃ ତଦନ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ମିଳିଥିବା ବୀମାରାଶିି ସହ ଅନ୍ୟାନ୍ୟ ଜମାରାଶିରେ ଅଭିଯୁକ୍ତ ଦୀପକ ଆମୋଦପ୍ରମୋଦରେ ଖର୍ଚ୍ଚ କରିଛି। ଏହି ଅର୍ଥରେ ପ୍ଲଟ, ଫ୍ଲାଟ, ଗାଡ଼ି ଆଦି କିଣିବା ସହ ବିଦେଶ ଭ୍ରମଣରେ ଯାଇଥିବା ଜଣାପଡ଼ିଛି।

ମାମଲାର ଗମ୍ଭୀରତା ଓ ଦୁଇଟି ଭିନ୍ନ ଜିଲାର ମାମଲା ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ) ତଦନ୍ତ କରିପାରେ। ଖୁବ୍‌ଶୀଘ୍ର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦ‌ିଆଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରଥମ ପତ୍ନୀ ହତ୍ୟାର ଗୁମର ସହ ଦ୍ବିତୀୟ ପତ୍ନୀ ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ଓଡ଼ିଶା ପୁଲିସ ତତ୍ପରତା ଦେଖାଇଛି। ତଦନ୍ତ ନିରପେକ୍ଷ ହୋଇପାରିବ ଓ ସାଇଣ୍ଟିଫିକ୍‍ ପ୍ରମାଣ ଯୋଗାଡ଼କୁ ଗୁରୁତ୍ବ ଦିଆଯାଉଛି। ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ ହୋଇଥିବା ମାମଲାଗୁଡ଼ିକର ଦଣ୍ଡବିଧାନ ହାର ଅଧିକ ରହିଥାଏ ବୋଲି ପୁଲିସ ମହାନିର୍ଦେଶକ ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି।

- Advertisement -

ଅପରପକ୍ଷେ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁର ପ୍ରକୃତ ସତ୍ୟ ଉନ୍ମୋଚନ ପାଇଁ ଆଜି ତାଙ୍କ ଭଉଣୀ ରୋଜାଲିନ ରାଉତ ଖୁଣ୍ଟୁଣୀ ଥାନାରେ ଏତଲା ଦେବା ସହ ପୁନର୍ବାର ମାମଲାକୁ ଖୋଲି ତଦନ୍ତ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ରୋଜାଲିନକୁ ପୁଲିସ ଜିଲା କାର୍ଯ୍ୟାଳୟ ଡିଏସପି ଅଜୟ ଦାସ ଆଜି ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରିବା ସହ ବୟାନ ଲିପିବଦ୍ଧ କରିଛନ୍ତି। ଏପରିକି ପୁଲିସ ଉଚ୍ଚ ଅଧିକାରୀ ରୋଜାଲିନ ଓ ତାଙ୍କ ସ୍ବାମୀ ଅଭିଳାଷ ପଟ୍ଟନାୟକଙ୍କୁ ନେଇ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ସେସମୟର ଦୁର୍ଘଟଣା ସ୍ଥିତି ସମ୍ପର୍କରେ ପଚରାଉଚରା କରିବା ସହ ଏହାର ଭିଡିଓ ରେକର୍ଡ଼ିଂ କରାଯାଇଛି।

ଶୁଭମିତ୍ରାଙ୍କ ହତ୍ୟାକାଣ୍ଡର ସବୁ ଦିଗକୁ ନେଇ ତଦନ୍ତ କରିବା ସହ ପ୍ରମାଣ ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ସିସିଟିଭି ସଂଗ୍ରହ କରିବା ସହ ଡିଜିଟାଲ ପ୍ରମାଣପତ୍ରକୁ ଗୁରୁତ୍ବ ଦିଆଯାଇଛି। ହତ୍ୟା ପୂର୍ବର ଗତିବିଧି ଓ ହତ୍ୟା ପରେ ଏବଂ ହତ୍ୟା କରି ଗାଡ଼ିରେ ମୃତଦେହ ନେଉଥିବା ସମୟରେ ସିସିଟିଭି ଦୃଶ୍ୟ ସଂଗ୍ରହ କରାଯାଉଛି। ଏଥିସହ ଶୁଭମିତ୍ରାଙ୍କ ମୃତଦେହରୁ ମିଳିଥିବା ନମୁନା ସଂଗ୍ରହ କରାଯାଇ ଭିସେରା ରିପୋର୍ଟ ଲାଗି ପଠାଯାଇଛି। ସେହିପରି ଶୁଭମିତ୍ରା ଓ ଦୀପକର ଆକାଉଣ୍ଟ ଖୋଳତାଡ଼ ହୋଇଛି। ଟଙ୍କା ନେଣଦେଣର ସବିଶେଷ ତଥ୍ୟ ଦେବାକୁ ବ୍ୟାଙ୍କକୁ ଚିଠି ଲେଖିଛି କମିସନରେଟ ପୁଲିସ। ଶୁଭମିତ୍ରାଙ୍କଠାରୁ ନେଇଥିବା ୧୨ ଲକ୍ଷ ଟଙ୍କାରେ ଜଙ୍କିଆ ଜମି କିଣିଥିବା ପ୍ରମାଣ ମିଳିଛି। ସେହିପରି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଜୀବନ ବୀମା ବାବଦରେ ପାଇଥିବା ୧ କୋଟି ୬୦ ଲକ୍ଷ ଟଙ୍କାରେ ବାଙ୍କୀ ନିକଟରେ ଜମି କିଣି ଫାର୍ମ ହାଉସ୍‌ କରିବାକୁ ଯୋଜନା କରିଥିଲା। ଏଥିସହ ଫ୍ଲାଟ୍‌ ଓ ଗାଡ଼ି କିଣିବା ସହ ବିଦେଶ ଭ୍ରମଣ କରିଛି। ପାସ୍‌ପୋର୍ଟ ଓ ଫ୍ଲାଇଟ ଟିକଟ ଜବତ କରି ଆର୍ଥିକ କାରବାର ଦିଗ ପ୍ରତି ତଦନ୍ତ କରାଯାଉଛି। ଏଥିସହ ପ୍ରଥମ ପତ୍ନୀ ବାବଦରେ ପାଇଥିବା ବୀମା ଟଙ୍କାକୁ ଶୁଭମିତ୍ରାଙ୍କ ବୀମା ପାଇଁ ପ୍ରିମିୟମ ଦେଉଥିଲା। ଶୁଭମିତ୍ରାଙ୍କ ନାମରେ ୧ କୋଟି ୩୫ ଲକ୍ଷର ବୀମା ରହିଛି।

ଶୁଭମିତ୍ରାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୀପକର ପରିବାର ଲୋକଙ୍କ ଲାଗି ଅଡୁଆ ବଢ଼ିଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ ପୁଲିସ। ଏନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ନୋଟିସ ଜାରି କରାଯିବ। ପର୍ଯ୍ୟାୟକ୍ରମେ ସେମାନଙ୍କ ବୟାନ ସଂଗ୍ରହ କରାଯିବ। ଦୁଇଟି ହତ୍ୟାକାଣ୍ଡରେ ଦୀପକର ପରିବାର ଲୋକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ତାଙ୍କ ଝିଅକୁ ଇ‌େ‌ଞ୍ଜକ୍ସନ୍‌ ଦିଆଯାଇ ଅଚେତ କରିବା ପରେ ମୁହଁରେ ତକିଆ ମାଡ଼ି ହତ୍ୟା କରାଯାଇଥିବା ଶୁଭମିତ୍ରାଙ୍କ ବାପା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ଯୋଜନାବଦ୍ଧ ହତ୍ୟା କରି ଦୁର୍ଘଟଣା ରୂପ ଦେଇ ଜୀବନ ବୀମା ବାବଦକୁ ୧ କୋଟି ୬୦ ଲକ୍ଷ ଟଙ୍କାରେ ଦୀପକର ବଡ଼ଭାଇ ବିଲ୍ଡର ସଂସ୍ଥା ଖୋଲିଛି। ତାଙ୍କ ପ୍ରରୋଚନାରେ ପ୍ରଥମ ପତ୍ନୀ ଓ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି। ଶୁଭମିତ୍ରାଙ୍କ ନାମରେ ଥିବା ୧.୩୫ କୋଟି ଟଙ୍କା ନେବାକୁ ଦୀପକ ଯୋଜନା କରିଥିଲା। ଏହି ହତ୍ୟାକାଣ୍ଡରେ ପରିବାର ଓ ସମ୍ପର୍କୀୟଙ୍କ ସମ୍ପୃକ୍ତି ରହିଥିବା ଶୁଭମିତ୍ରାଙ୍କ ବାପା ଅଭିଯୋଗ କରିଛନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories