ଆଜି ସେପ୍ଟେମ୍ବର ୧୭ ତାରିଖ। ଆମର ପ୍ରିୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ୭୫ତମ ଜନ୍ମଦିନ। ସାଢ଼େ ଚାରିକୋଟି ଓଡ଼ିଆଙ୍କ ତରଫରୁ ମୋଦୀଜୀଙ୍କୁ ଜନ୍ମଦିନର ହାର୍ଦିକ ଶୁଭେଚ୍ଛା। ତାଙ୍କର ଦୀର୍ଘ, ସୁସ୍ଥ ଏବଂ ନିରାମୟ ଜୀବନ କାମନା ସହ ଆହୁରି ଉତ୍ସାହ, ଆଗ୍ରହ ଓ କଠିନ ପରିଶ୍ରମ ସହ ଜନସେବା କରନ୍ତୁ ଏହା ହିଁ କାମନା। ମୋଦୀଜୀ ଯିଏ ନିଜର ଆଦ୍ୟ ଯୌବନର ଅନେକ ବର୍ଷ ଗୁଜୁରାଟ ଅହମଦାବାଦସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ବିତାଇଛନ୍ତି ସିଏ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ। ତାଙ୍କର ୭୫ତମ ଜନ୍ମଦିନରେ ସନାତନ ବିଶ୍ୱାସରେ କଳିଯୁଗର ଜୀବନ୍ତ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଉପରେ ଆଶୀର୍ବାଦର ବର୍ଷା କରନ୍ତୁ। ଆଜି ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି।
ଆମ ମୋଦୀଜୀ ଆଜି ସାରା ବିଶ୍ୱର ସବୁଠୁ ଅଧିକ ଜନପ୍ରିୟ ନେତା। ଭାରତର ଗରିବ, ଅତି ଗରିବ, ମେହନତୀ ମଣିଷର ପରିବାର ସଦସ୍ୟ କହିଲେ ଭୁଲ ହେବ ନାହିଁ। ସବୁ ଭେଦଭାବ, ଉଚ୍ଚନୀଚ, ବାଦ ବିବାଦକୁ ପଛକୁ ଠେଲି ରାଜନୀତିର ସନ୍ଥ ଭାବରେ ପ୍ରତିଷ୍ଠିତ କରିଛନ୍ତି ମୋଦୀଜୀ। ତାଙ୍କର ଚାରି ଜାତି ମହିଳା-କୃଷକ-ଯୁବକ ଓ ଗରିବ ଭାରତୀୟ ରାଜନୀତିର ମୋଡ଼ ବଦଳାଇ ଦେଇଛି। ଆମକୁ ୨୦୦ ବର୍ଷ ଶାସନ କରିଥିବା ବ୍ରିଟିଶକୁ ପଛକୁ ଠେଲି ଆମ ଦେଶକୁ ଚତୁର୍ଥ ଶ୍ରେଷ୍ଠ ଅର୍ଥନୀତିରେ ପରିଣତ କରିବା ପଛରେ ରହିଛି ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସର ବଡ଼ ରାଜନୈତିକ ସିଦ୍ଧାନ୍ତ। ଆମେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଗାନ୍ଧୀ, ଗୋପବନ୍ଧୁ, ବିନୋବା ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରି ସାମାଜିକ କାର୍ଯ୍ୟକର୍ତ୍ତା ଓ ଚିନ୍ତାନାୟକଙ୍କର ଅନୁଗାମୀ।
ଭାରତୀୟ ବିଚାର ପରମ୍ପରାର ଆମ ଦେଶର ଚିନ୍ତାନାୟକ ଡ଼. ହେଡ଼ଗେୱାର ହୁଅନ୍ତୁ, ଗୁରୁ ଗୋଲୱାଲକର ବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏମାନଙ୍କ ଜୀବନରେ ପ୍ରତିଫଳିତ ହୁଏ। ଏକାତ୍ମମାନବବାଦର ସ୍ରଷ୍ଟା ତଥା ଜନସଙ୍ଘ ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବିକାଶ ମୂଳମନ୍ତ୍ର ଅେନ୍ତ୍ୟାଦୟ। ଅର୍ଥାତ୍ ବିକାଶ ଶିଢ଼ିର ଶେଷ ପାହାଚରେ ଥିବା ମଣିଷ ଶାସନ-ପ୍ରଶାସନର ପ୍ରାଥମିକତାର କେନ୍ଦ୍ରବିନ୍ଦୁକୁ ଆଣିବା ହିଁ ବିକାଶର ପ୍ରକୃତ ଦିଶା ଏବଂ ସ୍ପଷ୍ଟନୀତି। ବ୍ୟକ୍ତିଗତ ଭାବରେ ତିନି ଦଶନ୍ଧି ଧରି ବିଜେପି ଓ ସଙ୍ଘ ବିଚାର ପରିବାରର କାର୍ଯ୍ୟକର୍ତ୍ତା ଭାବରେ ମୁଁ ସକ୍ରିୟ ରହିଛି। ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବିଚାରର ମୂଳ ସ୍ରୋତ ଅେନ୍ତ୍ୟାଦୟକୁ ସାକ୍ଷାତ ଦର୍ଶନ କଲା ପରି ଅନୁଭବ କରିଛି। ପଣ୍ଡିତ ଦୀନଦୟାଲଙ୍କ ଅେନ୍ତ୍ୟାଦୟ ବିଚାରକୁ ଆଜି ଦିନରେ ମୋଦୀଜୀ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଭାବରେ ସର୍ବଜନ ବିଦିତ କରିପାରିଛନ୍ତି।
ରାଜନେତା ଭାବରେ ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ମୋଦୀଜୀଙ୍କ ଚାଲ-ଚରିତ୍ର -ଚେହେରା ଉଚ୍ଚକୋଟୀର ମୂଲ୍ୟାଙ୍କନ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ବିଶ୍ୱ ଦରବାରରେ ମୋଦୀଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ସାମାଜିକ ନେତୃତ୍ୱ ଓ ଦାର୍ଶନିକ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱକୁ ପ୍ରଭାବିତ କରିବେ ଏହା ମୋର ଦୃଢ଼ ବିଶ୍ୱାସ।
ମୋର ସ୍ପଷ୍ଟ ମନେ ଅଛି, ୨୦୧୯ ନିର୍ବାଚନର ମତଦାନ ସରିଥାଏ। ନିର୍ବାଚନ ଲଢ଼ି ଆମେ କ୍ଲାନ୍ତ ଥାଉ। ମନରେ ଗୋଟିଏ ପ୍ରାଥମିକତା- ମତଗଣନାକୁ ଅପେକ୍ଷା। ଏହି ସମୟରେ ପୁରୀ, ଖୋର୍ଦ୍ଧା ତଥା ଆଖପାଖ ଜିଲାରେ ଫଣି ନାଁରେ ବଡ଼ ବାତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଲା। ସେ ସମୟର ମୋର ପୁରୁଣା ଡାଇରୀକୁ ଖୋଲି ସେ ସମୟର ଅନୁଭବକୁ ପଢ଼ିବା ବେଳେ ଆଜି ବି ଲୋମ ଟାଙ୍କୁରି ଉଠେ। ସେେତବେଳକୁ ମୁଁ ଦୁଇ ଦୁଇ ଥର ବିଧାୟକ ହୋଇସାରିଥାଏ। ମେଣ୍ଟ ସରକାର ସମୟରେ ସରକାରୀ ଦଳର ଉପମୁଖ୍ୟ ସଚେତକର ଦାୟିତ୍ୱ ବି ତୁଲାଇ ସାରିଥାଏ। ସରପଞ୍ଚରୁ ବିଧାୟକ ପର୍ଯ୍ୟନ୍ତ ଯାତ୍ରାରେ ୨୪ ଘଣ୍ଟାରୁ ଦିନରେ ଅଧିକ ସମୟ ମିଳିଲେ ଲୋକଙ୍କ ସ୍ୱାର୍ଥରେ ଲଗାଇବାର ଝୁଙ୍କ ବି ଥାଏ। ଯେେତବେଳେ ଫଣି ଆସିବା ନେଇ ପୂର୍ବାନୁମାନ କରାଗଲା ମୁଁ ମନେ ମନେ ଭାବିଥିଲି ନିର୍ବାଚନ ସରିଛି। ଭୋଟ ଗଣତିକୁ ଅପେକ୍ଷା କରିବା ଗୋଟିଏ କାମ। ଫଣିର ପରିଚାଳନା ଦାୟିତ୍ୱ ବୋଧେ ମୋଦୀଜୀ ପ୍ରଶାସନ ଉପରେ ଛାଡ଼ିଦେଇ ବିଶ୍ରାମ ନେବେ। ହେଲେ ମୁଁ ବ୍ୟକ୍ତିଗତ ଭାବରେ ଫଣିର ଗତି ଓ ପ୍ରସ୍ତୁତି ଉପରେ ନଜର ରଖିଥାଏ। ବାତ୍ୟା ଆସିବା ପୂର୍ବରୁ ମୋଦୀଜୀ ପ୍ରଥମେ ଆମ ରାଜ୍ୟ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ। ଫଣି ଆସିଲା। ଖୋଦ୍ ମୋଦୀଜୀ ଓଡ଼ିଶା ଆସିଲେ ପୁରୀ-ଖୋର୍ଦ୍ଧା ଇତ୍ୟାଦି ଜିଲାକୁ ଆକାଶମାର୍ଗରୁ ଦେଖିଲେ। ମୋର ମନେ ଅଛି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସମୀକ୍ଷା ବୈଠକ ବିମାନ ବନ୍ଦରରେ କରିଥିଲେ। ଟିକିନିଖି ଭାବେ ଲୋକଙ୍କ ସୁଖ-ଦୁଃଖ-ରିଲିଫ୍-ଥଇଥାନ, ପୁନର୍ବାସ ତଥା କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ। ସେହି ସମୀକ୍ଷା ବୈଠକରେ ହଜାରେ କୋଟିର ସହାୟତା ଘୋଷଣା କଲେ। ମୋଦୀଜୀଙ୍କର ଓଡ଼ିଶାକୁ ଭଲପାଇବା, ଓଡ଼ିଆଙ୍କ ପ୍ରତି ଦରଦ ଏ କଥା ଭିନ୍ନ ପ୍ରସଙ୍ଗ, ମାତ୍ର ଜଣେ ରାଜନେତା ନିର୍ବାଚନ ବା ଭୋଟ୍ ପାଇଁ ନୁହେଁ ଲୋକ କଲ୍ୟାଣ ପାଇଁ ଜିଇବା ଦରକାର ସେେତବେଳେ ମୋଦୀଜୀ ହିଁ ଏହି ବାର୍ତ୍ତା ଦେଇଥିଲେ। ନିର୍ବାଚନର ବିଜୟ ପରାଜୟର ଚକ୍ରବ୍ୟୂହ ବାହାରେ ଲୋକ ସମସ୍ୟାର ସମାଧାନ ପାଇଁ ଅଖଣ୍ଡ ନିଷ୍ଠା ଜଣେ ରାଜନେତାକୁ ରାଷ୍ଟ୍ରନେତାର ସିଂହାସନରେ ଅଭିଷିକ୍ତ କରେ।
ଆଜି ଯେତେବେଳେ ସେଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଉଛି ସେତେବେଳେ ମୁଁ ଭାବପ୍ରବଣ ହୋଇ ପଡ଼ୁଛି। ୨୦୧୯ ମେ ମାସର ଓଡ଼ିଶାର ଦୁର୍ଦଶା ଓ ସେଥିରେ ପ୍ରଧାନମନ୍ତ୍ରୀ ମୋଦୀଜୀ ଭୋଟ୍ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ନିର୍ବାଚନ ପ୍ରଚାରର ଶରୀରର କଷ୍ଟକୁ ତଥା ଭୋଟ ରାଜନୀତିର ପ୍ରଭାବ ନଥିବା ସତ୍ତ୍ୱେ ଜନସେବା ପାଇଁ ବାହାରି ଆସିଥିଲେ। ମୁଁ ଜାଣିନି ଆଉ କିଏ ପ୍ରଧାନମନ୍ତ୍ରୀ ଥିଲେ କଣ କରିଥାନ୍ତା ? ସେତେବେଳେ ବି ଓଡ଼ିଶାରେ ଆଞ୍ଚଳିକ ଦଳ ଶାସନ କରୁଥିଲା। ମନ୍ତ୍ରୀ, ବିଧାୟକ ଓ ସରକାରୀ ଦଳର ନେତାମାନେ ଲୋକଙ୍କ ସହିତ ରହିବା ପରିବର୍ତ୍ତେ ପରିବାର ଓ ବିଶ୍ରାମରେ ସୀମିତ ରହି ଭୋଟ ଗଣତିକୁ ମୁଣ୍ଡ ଉପରେ ବସାଇଥିଲେ। ଆମ ଦଳ ବିଜେପି ତରଫରୁ ଆମର କେନ୍ଦ୍ରୀୟ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତାମାନେ ବାତ୍ୟା କ୍ଷତିଗ୍ରସ୍ତଙ୍କ ସେବା କାମରେ ଲାଗି ରହିବା ପାଇଁ ବାରମ୍ବାର ପରାମର୍ଶ ଦେଇଥିଲେ।
ଫଣି ସମୟରେ ମୋଦୀଜୀଙ୍କ ଏହି ପ୍ରଚେଷ୍ଟା ଓ ଉଦ୍ୟମ ମୋ ଭଳି ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣା। ୨୦୧୯ରେ ବିଧାୟକ ଭାବରେ ନିର୍ବାଚିତ ହେଲି। ଦଳ ମୋତେ ଚିଫ୍ ହ୍ୱିପର ଦାୟିତ୍ୱ ଦେଲା। ବିଧାନ ସଭାର ପବ୍ଲିକ୍ ଆକାଉଣ୍ଟସ୍ କମିଟି ଚେୟାରମ୍ୟାନ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଲି। ମାତ୍ର ଭୋଟ ସ୍ୱାର୍ଥ ଊର୍ଦ୍ଧ୍ୱରେ ଯେ ଜନସେବା ପ୍ରାଥମିକତା ଏକଥା ନା ମନରୁ ଯାଇଛି ନା ଭବିଷ୍ୟତରେ ଯାଇପାରିବ। ମୋଦୀଜୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ଭାବରେ ପାଖାପାଖି ୨୪ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଏହା ମଧ୍ୟରେ ବିତାଇ ସାରିଛନ୍ତି। ମୋ ଭଳି ଆଦିବାସୀ ଗରିବ ପରିବାରରୁ ଆସି ପଡ଼ି ଉଠି ଠିଆ ହୋଇଥିବା ରାଜନୈତିକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ପାଇଁ ମୋଦୀଜୀ ଆଦର୍ଶ। ମୋ ଭଳି ରାଜନୀତି କ୍ଷେତ୍ରରେ କିଏ କେଉଁ ଦଳ ବା ବିଚାରରେ ଥାଆନ୍ତୁ ନା କାହିଁକି ମୋଦୀ ସେମାନଙ୍କ ପାଇଁ ଆଦର୍ଶ ସ୍ଥାନର ବ୍ୟକ୍ତି କିଏ କହୁ ବା ନ କହୁ ଏହା ହିଁ ସତ୍ୟ। ମୋର ରାଜନୈତିକ ଦର୍ଶନର ପ୍ରେରଣାର ଉତ୍ସ ଭାବରେ ପୁଣି ଥରେ ନତ ମସ୍ତକ ହୋଇ ମୋଦୀଜୀଙ୍କୁ ପ୍ରଣାମ କରୁଛି।
ମୋଦୀଜୀ ପ୍ରଧାନମନ୍ତ୍ରୀ ହେବାର ପ୍ରଥମ ବର୍ଷରେ ପୂର୍ବୋଦୟ ପରିକଳ୍ପନାର ସୂତ୍ରଧର ହୋଇଥିଲେ। ଆର୍ଥିକ ଦୃଷ୍ଟିରୁ ଆଗରେ ଥିବା ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗ ସହ ପୂର୍ବ ଭାରତକୁ ସମକକ୍ଷ କରାଇବାର ଇଚ୍ଛାଶକ୍ତିକୁ ଯୋଜନାରେ ରୂପାନ୍ତରିତ କରିଥିଲେ। ସମୟ ଥିଲା ଓଡ଼ିଶାର ପୂରା ବଜେଟ ସାଇଜ୍ ଯାହା ଥିଲା ଏବେ ଗୋଟିଏ ଗୋଟିଏ ବିଭାଗର ବଜେଟ୍ ତାଠୁ ଅଧିକ। ଓଡ଼ିଶାରେ ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି , ଆଦିବାସୀ ଜନତା, ପରିଶ୍ରମୀ ଓ ବୁଦ୍ଧିମାନ ମାନବ ସମ୍ବଳ ସତ୍ତ୍ୱେ ଓଡ଼ିଶା କାହିଁକି ଗରିବ ସମସ୍ତେ ପ୍ରଶ୍ନ ଉଠାଇଥିଲେ। ମୋର ମନେ ଅଛି ବିଜୁବାବୁ ୧୯୯୦-୯୫ରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟମାନଙ୍କୁ ଆର୍ଥିକ ସ୍ୱାୟତ୍ତତା ବା ଫିସକାଲ ଅଟୋନମି ପ୍ରଶ୍ନ ଉଠାଇଥିଲେ। ବର୍ଷ ପରେ ବର୍ଷ ବିତିଲା। ସରକାର ପରେ ସରକାର ଆସିଲା ଓ ଗଲା। ପ୍ରାଚୁର୍ଯ୍ୟ ଭିତରେ ଓଡ଼ିଶା କାହିଁକି ଗରିବ ପ୍ରଶ୍ନକରି ସମସ୍ତେ ଦାୟିତ୍ୱ ଶେଷ କରୁଥିଲେ। ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେଲେ। ଖଣି ନିଲାମି ବ୍ୟବସ୍ଥା କଲେ। ଖୋଲା ବିଡିଂ ବ୍ୟବସ୍ଥା ହେଲା। ଡିଏମ୍ ଫଣ୍ଡ ଖଣି ପ୍ରଭାବିତ ଜିଲ୍ଲାମାନଙ୍କ ହାତରେ ପ୍ରଚୁର ଅର୍ଥ ଦେଲେ। ଫଳ ସ୍ୱରୂପ ମୋଦୀଙ୍କ ନୀତି କାରଣରୁ ଆମର ବଜେଟ୍ ଆକାର ବହୁତ ବଡ଼ ହେଲା।
ଓଡ଼ିଶା ପରି ଆମର ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ ମଧ୍ୟ ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଏହାର ଲାଭ ପାଇଲେ। ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଖଣି ଅଛି ସତ ମାତ୍ର ମହାପ୍ରଭୁ ଜଗନ୍ନାଥ ଆମକୁ ସୁଦୀର୍ଘ ସମୁଦ୍ର ତଟ ଦେଇଛନ୍ତି ଯାହା ଆମର ଦୁଇ ପଡ଼ୋଶୀ ରାଜ୍ୟମାନଙ୍କ ପାଖରେ ନାହିଁ। ଓଡ଼ିଶାକୁ ପ୍ରଗତିର ଶୀର୍ଷକୁ ନେବା ପାଇଁ ଓଡ଼ିଶାକୁ ପୁଞ୍ଜି ନିବେଶର ସୁଅ ଆସିବାର ରାସ୍ତା ମୋଦୀଜୀ ଖୋଲି ଦେଇଛନ୍ତି। କେବଳ ଉତ୍କର୍ଷ ଓଡ଼ିଶାରେ ମୋଦୀଜୀଙ୍କ ଉପସ୍ଥିତିରେ ୧୬.୭୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ଗତ ୧୫ ମାସ ମଧ୍ୟରେ ୨୬୦ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏହା ଦ୍ୱାରା ୫.୬ ଲକ୍ଷ କୋଟିର ନିବେଶ ଏବଂ ୩.୬ ଲକ୍ଷର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ୮୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଗତବର୍ଷ ଆଜି ଦିନରେ ମୋଦୀଜୀ ତାଙ୍କ ଜନ୍ମ ଦିନ ଓଡ଼ିଶା ଆସି ଆମର ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଆମେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୧୫ ହଜାର ଲେଖାଏଁ ସେମାନଙ୍କ ବ୍ୟାଙ୍କ ଖାତାରେ ଦେଇ ସାରିଛୁ। ମୋଟ ୫୦ ହଜାର ଟଙ୍କା ଆଗାମୀ ବର୍ଷମାନଙ୍କରେ ଦେବାର ବ୍ୟୟବରାଦ କରିଛୁ। ଚାଷୀଙ୍କୁ ୧୦୦ ଟଙ୍କା ବୋନସ୍ ଦେବାକୁ ପୂର୍ବ ବ୍ୟବସ୍ଥା ସାହସ ଜୁଟାଇ ପାରୁନଥିଲା। ଆମେ କ୍ୱିଣ୍ଟାଲ୍ ପିଛା ୮୦୦ ଟଙ୍କାର ଇନପୁଟ ସବସିଡି ଦେଇ ପାରିଛୁ କାରଣ ମୋଦୀଜୀଙ୍କ ଗରିବ କଲ୍ୟାଣ ଆମ ଶାସନର ମୂଳ ଆଧାର। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗ୍ରାମୀଣ ରାସ୍ତା ଓ ଭିତ୍ତିଭୂମି ଆମର ପ୍ରାଥମିକତା। ରେଳ ଓ ସଡ଼କ ଯୋଗାଯୋଗ ମୋଦୀଜୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ୍ ସରକାରରେ ଦ୍ରୁତ ଗତିରେ ଆଗେଇ ଚାଲିଛି।
ଗରିବ କ’ଣ , ସଂଘର୍ଷ କ’ଣ, ପ୍ରତିକୂଳ ପରିସ୍ଥିତିକୁ ସାମନା କରି କିପରି ଆଗକୁ ବଢ଼ିବାକୁ ହୁଏ ମୋଦୀଜୀ ତାର ପ୍ରତୀକ। ମା’ଙ୍କ ପାଇଁ ଶୌଚାଳୟ ହେଲା, ଜନଧନ ବ୍ୟାଙ୍କ ଖାତା, ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର, ଘରେ ପାଇପ ପାଣି ଓ ଉଜ୍ଜ୍ୱଳା ଗ୍ୟାସ୍ ତଥା ନିଜ ଅଞ୍ଚରେ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୁଯୋଗର ବ୍ୟବସ୍ଥା କେବଳ ସଂଘର୍ଷ ପୃଷ୍ଠଭୂମିରୁ ଆସିଥିବା ମୋଦୀଜୀ ହିଁ ଚିନ୍ତା କରିପାରନ୍ତି। କେନ୍ଦୁଝର ଜିଲାର ରାଇକଳା ଗାଁରୁ ମୁଁ ପିଅନର ପୁଅ। ମା’ର ଗାଈ ଗୁହାଳର କାମ। ଶିକ୍ଷକରୁ ସରପଞ୍ଚ। ପଡ଼ି ଉଠି ସଂଘର୍ଷ କରି ଏଠି ପହଞ୍ଚିଛି। ମୋଦୀଜୀଙ୍କ ଜୀବନରୁ ଶିଖିଛି ଆଗକୁ ବହୁତ ଶିଖିବାର ଅଛି। ପୁଣି ଥରେ ଓଡ଼ିଶାବାସୀଙ୍କ ତରଫରୁ ମୋଦୀଜୀଙ୍କୁ ୭୫ତମ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଚଳିତ ମାସ ୨୭ ତାରିଖରେ ମୋଦୀଜୀ ପୁଣି ଆମ ରାଜ୍ୟକୁ ଆସିବେ। ଗଞ୍ଜାମରେ ଅନେକ ଯୋଜନାର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ନୂଆ ସରକାର ଗଠନ ହେବା ଦିନଠୁ ଚଳିତ ମାସ ୨୭ ତାରିଖରେ ସେ ସପ୍ତମ ଥର ପାଇଁ ଓଡ଼ିଶା ଆସିବେ। ଆମେ ଏହି ମହାନ ଜନନାୟକଙ୍କୁ ୨୭ ତାରିଖରେ ସ୍ୱାଗତ ପାଇଁ ଓଡ଼ିଶାବାସୀ ପ୍ରସ୍ତୁତ। ଆଜି ୧୭ତାରିଖରେ ସାରା ରାଜ୍ୟରେ ମୋଦୀଜୀଙ୍କ ୭୫ତମ ଜନ୍ମ ଦିନରେ ୭୫ ଲକ୍ଷ ଚାରାରୋପଣ କାର୍ଯ୍ୟ ଚାଲିଛି। ଆପଣ ବି ଏହି ଅଭିଯାନ ‘ମା’ ପାଇଁ ଗଛଟିଏ’ରେ ସାମିଲ ହୁଅନ୍ତୁ। ଚାରାରୋପଣ କରନ୍ତୁ। ଚାରାକୁ ଲାଳନ ପାଳନ କରି ସୁରକ୍ଷିତ ରଖି ନିଜ ମା’ଙ୍କୁ ସମ୍ମାନ ସହ ଧରିତ୍ରୀ ମାତାର ସେବା କରନ୍ତୁ।
ଜୟ ଜଗନ୍ନାଥ
ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର



