www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ବି ରେଡ଼ିଓ କହୁଛି….

କିଛିଦିନ ପୂର୍ବେ ମୋର ଜଣେ ବନ୍ଧୁଙ୍କ ସହ ଫୋନ୍ ଯୋଗେ ବାର୍ତ୍ତାଳାପ ଚାଲୁଥିଲା ବେଳେ ରେଡ଼ିଓର କଥା ପଡ଼ିଲା। ବନ୍ଧୁ ଜଣକ ମତେ କହିଲେ, ଆଜିକାଲି ଆଉ କିଏ ରେଡ଼ିଓ ଶୁଣୁଛି ? ସିଏ ଗୋଟିଏ ଯୁଗ ଥିଲା ଯେତେବେଳେ ଲୋକେ ରେଡ଼ିଓ ଶୁଣୁଥିଲେ। ଏ କଥା ଶୁଣି ମନକୁ ଭାରି କଷ୍ଟ ଲାଗିଲା। ଯେତେହେଲେ ବି ରେଡ଼ିଓ ସହ ପିଲାଦିନୁ ମୋର ନିବିଡ଼ ସମ୍ପର୍କ। ଏବେ ସମୟ ବଦଳିବା ସହ ଗଣମାଧ୍ୟମର ବିବର୍ତ୍ତନ ଘଟିଛି ସତ। ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଇଣ୍ଟରନେଟ ଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତା ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ର ମଣିଷକୁ ନିଜ ଅକ୍ଟୋପସ ପଞ୍ଝା ଭିତରେ ବାନ୍ଧି ରଖିଛି; କିନ୍ତୁ ସମସ୍ତ ଆଧୁନିକ ଯନ୍ତ୍ରପାତିର ଭିଡ଼ ଭିତରେ ମଧ୍ୟ ଆଜି ବି ରେଡ଼ିଓ କଥା କହୁଛି। ଏହା ସତ ଯେ ବିବର୍ତ୍ତନର ଚକ୍ରରେ ବାନ୍ଧି ହୋଇ ରେଡ଼ିଓର ରୂପରେଖ ବଦଳିଛି। ଆଉ ସେ ପୁରୁଣା କାଠବାକ୍ସର ଚାରିକାନ୍ଥ ଭିତରେ ରେଡ଼ିଓ ଆବଦ୍ଧ ହୋଇ ନାହିଁ ବରଂ ନିଜର ମୁକ୍ତ ଡେଣା ଝାଡ଼ି ପ୍ରଯୁକ୍ତି ବିଦ୍ୟାର ବିଶାଳ କ୍ଷେତ୍ରରେ ପାଦ ଥାପିଛି। ମୋବାଇଲ୍ ଫୋନର ଆପ୍ ଯୋଗେ ଏବେ ଆମେ ରେଡ଼ିଓକୁ ଏଫ୍‌ .ଏମ୍‌ (ଫ୍ରି​‌େ​‌କ୍ୟନ୍ସି ମୋଡୁଲେସନ)ମାଧ୍ୟମରେ ଆମେ ଶୁଣି ପାରୁଛୁ।

ବିଶ୍ବର ଯେ କୌଣସି ସ୍ଥାନରେ ଏବେ ରେଡ଼ିଓ ପହଞ୍ଚି ପାରୁଛି। ଅତୀତର ପୃଷ୍ଠାକୁ ଓଲଟାଇଲେ ଆମେ ଦେଖିବା ଯେ ୧୮୮୬ ରୁ ୧୮୮୮ ମଧ୍ୟରେ ପ୍ରଖ୍ୟାତ ବୈଜ୍ଞାନିକ ହେନରିଚ୍ ରୁଡୋଲ୍ଫ ହର୍ଜଙ୍କ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ପରୀକ୍ଷଣ ଏବଂ ୧୯୦୧ ମସିହାରେ ଇଟାଲୀର ବୈଜ୍ଞାନିକ ଜି. ମାର୍କୋନିଙ୍କ ଉଦ୍ୟମରେ ଗଢ଼ା ହୋଇଥିବା ଯନ୍ତ୍ରଦ୍ବାରା ପ୍ରଥମେ ତାରବିହୀନ ବା ବେତାର ବାର୍ତ୍ତା ପ୍ରେରଣ କରାଯାଇଥିଲା। ସେଇଠୁ ହିଁ ରେଡ଼ିଓର ଜନ୍ମ। ୧୯୦୬ ମସିହାରେ ରେଜିନାଲ୍‌ଡ ଫେସେନଡେନଙ୍କ ଦ୍ବାରା ପ୍ରଥମେ ମଣିଷର ସ୍ୱର ରେଡ଼ିଓ ଯୋଗେ ପ୍ରସାରିତ ହୋଇଥିଲା। ଭାରତରେ ସର୍ବପ୍ରଥମେ ୧୯୨୩ ମସିହାରେ “ରେଡ଼ିଓ କ୍ଳବ୍ ଅଫ୍ ବମ୍ବେ’’ ନାମରେ ରେଡ଼ିଓ ପ୍ରବେଶ କଲା। ୧୯୩୬ ମସିହାରେ ଅଲ୍ ଇଣ୍ଡିଆ ରେଡ଼ିଓ ଏବଂ ୧୯୫୬ ମସିହାରେ ଆକାଶବାଣୀ ଭାବେ ଜନମାନସରେ ରେଡ଼ିଓ ଆଦୃତି ଲାଭ କଲା। ସେହି ସମୟରୁ ରେଡ଼ିଓ ନିଜର କାମ କରି ଚାଲିଛି।

- Advertisement -

ପୂର୍ବରୁ ରେଡ଼ିଓ କହିଲେ ଆମେ କେବଳ ଅଲ୍ ଇଣ୍ଡିଆ ରେଡ଼ିଓ ବା ଆକାଶବାଣୀକୁ ବୁଝୁଥିଲୁ ଏବେ କିନ୍ତୁ ଏହାର ଶାଖା ପ୍ରସାରିତ ହୋଇ ଗୋଷ୍ଠୀ ବେତାର କେନ୍ଦ୍ର, ବାଣିଜ୍ୟିକ ରେଡ଼ିଓ ବା ବେସରକାରୀ ରେଡ଼ିଓ ଏବଂ ଡିଜିଟାଲ ରେଡ଼ିଓ ନାମରେ ଉପଲବ୍ଧ ହେଲାଣି। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଶିକ୍ଷା, ସୂଚନା ଓ ମନୋରଞ୍ଜନର ମାଧୁର୍ଯ୍ୟକୁ ଭେଟି ଦେବାପାଇଁ ସୃଷ୍ଟି ହୋଇଛି ଗୋଷ୍ଠୀ ବେତାର କେନ୍ଦ୍ର ଯାହା ସେହି ଅଞ୍ଚଳର ଲୋକଙ୍କ କଥା କହୁଛି ଏବଂ ସେମାନଙ୍କ ରୁଚି ଅନୁଯାୟୀ କାର୍ଯ୍ୟକ୍ରମ ପ୍ରଚାର କରୁଛି। ସେହିପରି ବର୍ତ୍ତମାନର ଯୁବପିଢିଙ୍କୁ ଅତ୍ୟାଧୁନିକ ଶୈଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ପରଷି ଦେଉଛି ବାଣିଜ୍ୟିକ ଓ ଡିଜିଟାଲ ରେଡ଼ିଓ। ଏହାକୁ ଛାଡ଼ିଦେଲେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଜେଲରେ ମଧ୍ୟ ରେଡ଼ିଓ କାମ କରୁଛି। ମୋ ବନ୍ଧୁ ଜଣକ ଏତେସବୁ କଥା ଶୁଣି କିଛି ସମୟ ଭାବିଲେ ଆଉ କହିଲେ “ ଯେଉଁଠି ଲୋକମାନେ ସାମାଜିକ ଗଣମାଧ୍ୟମରେ ଦିନ କାଟୁଛନ୍ତି, ୟୁଟ୍ୟୁବ୍ ଭିଡ଼ିଓ ନଦେଖିଲେ ତାଙ୍କୁ ନିଦ ହେଉନାହିଁ, ଡିଜେ ରିମିକ୍ସ ଗୀତରେ ପାଦ ବାନ୍ଧି ହୋଇଯାଉଛି ସେଇଠି ରେଡ଼ିଓ କଣ ତିଷ୍ଠି ରହିପାରିବ ? ଅବଶ୍ୟ ବନ୍ଧୁଙ୍କ କଥାଟି କିଛି ମାତ୍ରାରେ ସତ। ବର୍ତ୍ତମାନ ରେଡ଼ିଓ ଶୁଣୁଥିବା ଶ୍ରୋତାଙ୍କ ସଂଖ୍ୟା ବହୁତ୍ କମ୍ କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ ରେଡ଼ିଓର ସ୍ଥାନ ଏ ସମସ୍ତ ବିକଳ୍ପ ଠାରୁ ସ୍ୱତନ୍ତ୍ର ଓ ନିଆରା କାରଣ ରେଡ଼ିଓ ଆମକୁ ଭେଟି ଦେଉଥିବା କାର୍ଯ୍ୟକ୍ରମ ଅନ୍ୟ ମାଧ୍ୟମରେ ମିଳିପାରେନି। ଆଜି ବି ରେଡ଼ିଓରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକରେ ଆମ ସଂସ୍କୃତି ଓ ପରମ୍ପରାର ସେହି ପୁରୁଣା ବାସ୍ନା ସ୍ପଷ୍ଟ ବାରି ହୋଇପଡ଼େ ଯାହା ଅନ୍ୟ ମାଧ୍ୟମ ପାଖେ ଅପହଞ୍ଚ। ପାଲା, ଦାସକାଠିଆ, ଲୋକଗୀତ, ପୁରାଣକଥା, ଭାଗବତ, ଶ୍ରୀରାମଚରିତ ମାନସ, ଘୋଡ଼ାନାଚ, ନାଟକ, ସଙ୍ଗୀତ ରୂପକ, ଆଦିବାସୀ ଗୀତ ପରି କାର୍ଯ୍ୟକ୍ରମ କେବଳ ରେଡ଼ିଓରେ ହିଁ ଶୁଣିବାକୁ ମିଳେ ଯାହାର ଆନନ୍ଦ ନିଆରା ଏବଂ ସେହି ସ୍ଥାନକୁ ଅନ୍ୟ କେହି ଛୁଇଁବା କଷ୍ଟସାଧ୍ୟ। ରେଡ଼ିଓରେ ଭାସି ଆସୁଥିବା ପ୍ରତିଟି ଶବ୍ଦରେ ଆମ ଭାଷାର ପରିଚୟ ରୁଦ୍ଧିମନ୍ତ ହୁଏ। ଦୁଃଖର କଥା ହେଉଛି ଆଜିର ଯୁବପିଢିମାନେ ଏଥିପ୍ରତି ସଚେତନ ନାହାନ୍ତି। ତେଣୁ ସମୟ ଆସିଛି ରେଡ଼ିଓ ପ୍ରତି ଲୋକଙ୍କ ମନୋଭାବକୁ ଆକର୍ଷିତ କରିବା ପାଇଁ।

ଏଥି ନିମନ୍ତେ ଅନେକ ବୈପ୍ଲବିକ ପରିବର୍ତ୍ତନର ଆବଶ୍ୟକତା ରହିଛି ଯଥା ଯୁବପିଢିଙ୍କ ଆଗ୍ରହକୁ କେନ୍ଦ୍ରକରି ରେଡ଼ିଓର କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିବା ଦରକାର, ନୂତନ ପ୍ରଯୁକ୍ତିବିଦ୍ୟାକୁ ରେଡିଓରେ ପ୍ରୟୋଗ କରିବାର ଯଥେଷ୍ଟ ଆବଶ୍ୟକତା ମଧ୍ୟ ରହିଛି। ଯେହେତୁ ଶବ୍ଦ ଓ ସ୍ୱର ଦ୍ବାରା ରେଡ଼ିଓ ପରିଚାଳିତ ତେଣୁ ସେଥିରେ ବୈପ୍ଲବିକ ଉନ୍ନତି ଆଣିବା ଜରୁରୀ ଯାହା ଫଳରେ ସବୁ ବର୍ଗର ଲୋକ ରେଡ଼ିଓ ସହ ଯୋଡ଼ି ହୋଇ ରହିବେ। ଆଉ ଗୋଟିଏ ଗୁରୁତ୍ବପୁର୍ଣ୍ଣ କଥା ହେଲା ଉପସ୍ଥାପନା ଶୈଳୀ। ଯେଉଁଠି ବେସରକାରୀ ବା ବାଣିଜ୍ୟିକ ରେଡ଼ିଓଗୁଡ଼ିକ ନୂଆ ଶୈଳୀର ଉପସ୍ଥାପନାକୁ ଆଦରି ନେଇ ତାହା ଉପରେ ଗବେଷଣା କରୁଛନ୍ତି ଏବଂ ଯୁବପିଢିଙ୍କୁ ସେହି କ୍ଷେତ୍ରରେ ଆକାଶବାଣୀ ପରି ଏକ ସର୍ବପୁରାତନ ରେଡ଼ିଓ ନେଟୱର୍କ ନିଜର ଚିରାଚରିତ ଢଙ୍ଗକୁ ପୂର୍ବପରି ଜାବୁଡ଼ି ଧରିଛି। ସତକଥା କହିଲେ ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଯେଉଁ ବେଗରେ ବିକାଶ କରୁଛନ୍ତି ରେଡ଼ିଓ ସେହିପରି କରିପାରୁନାହିଁ କିନ୍ତୁ ଆଜି ବି ରେଡ଼ିଓ କଥା କହୁଛି, ଗୀତ ଗାଉଛି, ଶିକ୍ଷଣୀୟ ଓ ମଜାଳିଆ କାର୍ଯ୍ୟକ୍ରମମାନ ଭେଟି ଦେଉଛି। ଆଗାମୀ ପିଢ଼ି ପାଇଁ ରେଡ଼ିଓକୁ ଏକ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରିବା ପାଇଁ ହେଲେ ଆବଶ୍ୟକ ପରିବର୍ତ୍ତନର, ଆନ୍ତରିକତାର ଓ ଦୃଢ଼ ପ୍ରୟାସର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories