ମୁମ୍ବଇ: ୟୁଏଇରେ ହେବାକୁ ଥିବା ଏସିଆ କପ୍ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଙ୍ଗଳବାର ମୁମ୍ବଇରେ ମନୋନୟନ କମିଟି ବୈଠକ ବସିବ। ଅଜିତ ଆଗରକର ନେତୃତ୍ବାଧୀନ କମିଟି ପାଇଁ ୧୫ ଜଣ କ୍ରିକେଟରଙ୍କୁ ବାଛିବା ସହଜ ହେବନାହିଁ। କାରଣ ପାରମ୍ପରିକ ଶୈଳୀ ବାହାରକୁ ଯାଇ ଖେଳାଳି ବାଛିବାକୁ ପଡ଼ିବ। ସେମାନଙ୍କୁ ଭାରତୀୟ କ୍ରିକେଟ୍ର ବଡ଼ବଡ଼ ତାରକାଙ୍କୁ ଦଳରୁ ବାଦ୍ଦେବାର କଠୋର ନିଷ୍ପତ୍ତି ନେବାକୁ ପଡ଼ିପାରେ। ଭାରତୀୟ ଦଳ ଟ୍ବେଣ୍ଟି୨୦ ବିଶ୍ବକପ୍ ଜିତିବା ପରେ ମନୋନୟନକାରୀ ଏକ ପୃଥକ୍ ଟ୍ବେଣ୍ଟି୨୦ ଦଳ ଗଠନର ନିଷ୍ପତ୍ତି ନେଇଥିଲେ। ଆଇପିଏଲ୍ର ପ୍ରଦର୍ଶନ ଭିତ୍ତିରେ ସେମାନେ ଏହି ଦଳ ଗଢ଼ିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଏହି ଦଳ ୧୫ଟିରୁ ୧୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଜିତିଛି। ତେଣୁ ଏହି ଦଳରେ ବିଶେଷ ପରିବର୍ତ୍ତନ କରିବାକୁ ମନୋନୟନ କମିଟି ଚାହିଁବ ନାହିଁ। ଇଂଲଣ୍ଡ ଗସ୍ତରେ ଟେଷ୍ଟ ଶୃଙ୍ଖଳାରେ ସର୍ବାଧିକ ରନ୍ (୭୫୪)ହାସଲକାରୀ ଶୁଭମନ ଗିଲ୍ ଓ ସର୍ବାଧିକ ୱିକେଟ୍ (୨୩) ହାସଲକାରୀ ମହମ୍ମଦ ସିରାଜ୍ ଏସିଆ କପ୍ ଦଳରେ ସ୍ଥାନପାଇବା ସମ୍ଭାବନା କମ୍।
ଗତ ୧୨ଟି ଟ୍ବେଣ୍ଟି୨୦ ମ୍ୟାଚ୍ରେ ସଞ୍ଜୁ ସାମ୍ସନ ଓ ଅଭିଷେକ ଶର୍ମା ଇନିଂସ ଓପନ୍ କରି ଭଲ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଗତ ଘରୋଇ ଟି୨୦ ଶୃଙ୍ଖଳାରେ ବାମହାତି ଅଭିଷେକ ଏକ ୫୪ ବଲ୍ରୁ ୧୩୫ ରନ୍ର ଇନିଂସ ସହ ୨୭୯ ରନ୍ କରିଥିଲେ। ଉକ୍ତ ଶୃଙ୍ଖଳାରେ ବାମହାତି ସ୍ପିନ୍ ବୋଲିଂକରି ଅଭିଷେକ ୫ ଓଭରରୁ ୩ଟି ୱିକେଟ୍ ନେଇଥିଲେ। ସଞ୍ଜୁ ସାମ୍ସନ ନିୟମିତ ରନ୍ କରିନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ୫ ଇନିଂସରୁ ୩ଟି ଶତକ ମାରିଥିଲେ। ଯଦି ସାମ୍ସନଙ୍କୁ ବାଦ୍ ଦିଆଯିବ; ତେବେ ଯାଇ ଶୁଭମନ ଗିଲ୍ଙ୍କୁ ସୁଯୋଗ ମିଳିବ। ଅନ୍ୟଥା ଅତିରିକ୍ତ ଓପନ୍ର ଭାବେ ଯଶସ୍ବୀ ଜୟସୱାଲ ଦଳରେ ରହିପାରନ୍ତି। କାରଣ ଭାରତୀୟ ଟେଷ୍ଟ ଅଧିନାୟକ ଗିଲ୍ଙ୍କୁ ନେଇ ବସାଇବାକୁ ଦଳ ଚାହିଁବ ନାହିଁ। ୩ନଂ ସ୍ଥାନ ପାଇଁ ତିଳକ ବର୍ମା ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ମୁକାବିଲା ହେବ। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ବାମହାତି ତିଳକ ୨ଟି ଶତକ ସହ ୨୦୦ ପାଖାପାଖି ଷ୍ଟ୍ରାଇକ୍ରେଟ୍ରେ ୨୮୦ ରନ୍ କରିଥିଲେ। ହେଲେ ଆଇପିଏଲ୍େର ତିଳକ ୧୩ଟି ଇନିଂସରୁ ମାତ୍ର ୩୪୩ ରନ୍ କରିଥିଲେ। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଇ ଶ୍ରେୟସ ୧୭୫ରୁ ଅଧିକ ଷ୍ଟ୍ରାଇକ୍ରେଟରେ ୬୦୦ରୁ ଅଧିକ ରନ୍ କରିଥିଲେ। ସ୍ପିନ୍ ବିପକ୍ଷରେ ସେ ଭଲ ବ୍ୟାଟ୍ସମ୍ୟାନ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪ନଂରେ ଖେଳିବେ। ଯଦି ସାମ୍ସନ ନ ଖେଳନ୍ତି; ତେବେ ୫ନଂ ସ୍ଥାନରେ ୱିକେଟ୍ ରକ୍ଷକ ଜିତେଶ ଶର୍ମା ଖେଳିବେ। ତେବେ ୫ନଂ ସ୍ଥାନରେ ଭାରତ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ଖେଳାଇଲେ ଏହି ସ୍ଥାନ ପାଇଁ ରିୟାନ୍ ପରାଗ ଓ ରିଙ୍କୁ ସିଂହ ଦାବିଦାର ଅଛନ୍ତି। ଦୁହେଁ ଭାରତ ପାଇଁ ଟି୨୦ କ୍ରିକେଟ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ୩ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ଶିବମ୍ ଦୁବେ ମଧ୍ୟ ଦାବିବାର ରହିଛନ୍ତି। ପରାଗ, ରିଙ୍କୁ ଓ ଶିବମ୍ଙ୍କ ମଧ୍ୟରୁ ଜଣେ ୫ନଂରେ ଖେଳିବେ। ହାର୍ଦିକ ଓ ଅକ୍ଷର ୬ ଓ ୭ନଂ ସ୍ଥାନ ଦଖଲ କରିବେ। ବିଶେଷଜ୍ଞ ସ୍ପିନର ଭାବେ କୁଲଦୀପ ଯାଦବ ଆହତ ଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଟି୨୦ କ୍ରିକେଟ୍ରେ ପ୍ରଭାବଶାଳୀ ବୋଲିଂ କରି ପାରିଛନ୍ତି। ପରେ ବରୁଣଙ୍କୁ ଦିନିକିଆ ଦଳରେ ମଧ୍ୟ ସୁଯୋଗ ମିଳିଥିଲା ଏବଂ ସେ ଚମ୍ପିଆନ୍ସ ଟ୍ରଫି ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ତେବେ ଉଭୟ ବରୁଣ ଓ କୁଲଦୀପ ଦଳରେ ରହିଲେ ଜଣେ ବ୍ୟାଟ୍ସମ୍ୟାନ କିମ୍ବା ଜଣେ ପେସ୍ ବୋଲର ବାଦ୍ପଡ଼ିବେ। ପେସ୍ ବୋଲର ଭାବେ ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂହଙ୍କ ବିକଳ୍ପ ନାହିଁ। ୩ୟ ପେସ୍ ବୋଲର ସ୍ଥାନ ପାଇଁ ପ୍ରସିଦ୍ଧ କୃଷ୍ଣ ଓ ହର୍ଷିତ ରାଣାଙ୍କ ମଧ୍ୟରେ ମୁକାବିଲା ହେବ। ତେବେ ପ୍ରସିଦ୍ଧ ଦଳରେ ରହିବା ସମ୍ଭାବନା ଅଧିକ। ଦୁଇ ଲେଗ୍ସ୍ପିନର ରବି ବିଷ୍ଣୋଇ ଓ ବିପରାଜ ନିଗମଙ୍କ ନାମର ବିଚାର ହୋଇପାରେ।



