କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିରର ଜଗମୋହନ ଖୁମ୍ବରେ ଫାଟ ସୃଷ୍ଟି ହୋଇଛି। ଏହାଦ୍ୱାରା ମୁଖ୍ୟ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ୪୦୦ ବର୍ଷର ଏହି ମନ୍ଦିରର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି।
କୁଜଙ୍ଗ ରାଜପରିବାର ଉଦ୍ୟମରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ମନ୍ଦିରକୁ ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଆସିଥାନ୍ତି। ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟ ଯେଉଁଭଳି ହେବା କଥା ସେଭଳି ପ୍ରତ୍ନତତ୍ତ୍ୱ ବିଭାଗ କରୁନାହିଁ। ଏ ନେଇ ମନ୍ଦିରର ପ୍ରଶାସନ ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ, ଦେବୋତ୍ତର ଆୟୁକ୍ତ ଓ ଜିଲାପାଳଙ୍କୁ ଅବଗତ କରାଯାଇଛି। ବଳଦେବଜୀଉଙ୍କ ସଂସ୍କୃତି ଉପରେ ଗବେଷଣା କରୁଥିବା ନିରଞ୍ଜନ ମେକାପ କୁହନ୍ତି ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ କୁଜଙ୍ଗ ରାଜା ଗୋପୀନାଥ ନରେନ୍ଦ୍ର ଓ ଛେଦରା ବାରଙ୍ଗ କିଲାର ରାଜା ଜଗନ୍ନାଥ ନରେନ୍ଦ୍ର ମହାପାତ୍ରଙ୍କ ମିଳିତ ଉଦ୍ୟମରେ ବଳଦେବଜୀଉଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୭୫୨ ମସିହାରେ ବଳଦେବଜୀଉ ମଠର ପ୍ରଥମ ମରହଟ୍ଟା ମହନ୍ତ ଷଡ଼ଗୋପୀ ରାମାନୁଜ ନାଥ ମଝି ମନ୍ଦିର ବା ଭୋଗ ମଣ୍ଡପ ଓ ବର୍ତ୍ତମାନର ଜଗମୋହନ ମନ୍ଦିର ନିର୍ମାଣ କରିଥିଲେ। ନିକଟ ଅତୀତରେ ପ୍ରତ୍ନତତ୍ତ୍ୱ ବିଭାଗ ମନ୍ଦିରର ବିଭିନ୍ନ ସ୍ଥାନରେ ମରାମତି କରିଥିଲା।
୧୮୮୫ ମସିହା ସେପ୍ଟେମ୍ବର ୨୨ ବଡ଼ ବାତ୍ୟାରେ ଭୋଗ ମଣ୍ଡପ ଚୂଡ଼ା ଭାଙ୍ଗି ଯାଇଥିବା ପ୍ରମାଣ ଏହି ମରାମତି ସମୟରେ ମିଳିଥିଲା। ଏହାକୁ ମଧ୍ୟ ମରାମତି କରାଯାଇଥିଲା। ମୁଖ୍ୟ ମନ୍ଦିରରେ ବଜ୍ରପାତ ନିରୋଧ ଉପକରଣ ଲଗାଯାଇଥିଲେ ମଧ୍ୟ ୭୦ ଫୁଟ ଉଚ୍ଚର ଜଗମୋହନରେ ଏହି ଉପକରଣ ଲଗାଯାଇନାହିଁ। କେବଳ ସେତିକି ନୁହେଁ ବାଟ ଦେଉଳରେ ମଧ୍ୟ ବଜ୍ରପାତ ନିରୋଧ ଉପକରଣ ଲଗାଯାଇନାହିଁ। ତେଣୁ ବିଭିନ୍ନ ସମୟରେ ଘନଘନ ବଜ୍ରପାତ ହେବାରୁ ମନ୍ଦିରରେ ଫାଟ ସୃଷ୍ଟି ହେଉଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ତ୍ବରିତ ପଦକ୍ଷେପ ନନେଲେ ମନ୍ଦିରଟି ଭଗ୍ନାବସ୍ଥାକୁ ଚାଲି ଆସିବ ବୋଲି ସେ କହିଛନ୍ତି। ଏସଂକ୍ରାନ୍ତରେ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କୁ ପଚାରିବାରୁ ସେ କହିଲେ ଖମ୍ବରେ ଫାଟ ସୃଷ୍ଟି ହୋଇଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀକ୍ଷକ, ଦେବୋତ୍ତର ଆୟୁକ୍ତ, ଜିଲାପାଳ, କେନ୍ଦ୍ରାପଡ଼ା ଓ ମହାକାଳପଡ଼ା ବିଧାୟକଙ୍କୁ ଚିଠି ଲେଖି ଜଣାଇଛୁ। ପୂର୍ବରୁ ମରାମତି ହୋଇଥିଲା। ଏବେ ପୁନଃ ମରାମତିର ଆବଶ୍ୟକତା ପଡ଼ିଛି ବୋଲି ସେ କହିଛନ୍ତି।



