www.samajalive.in
Friday, December 5, 2025
27.1 C
Bhubaneswar

୪ କୋଟି ଜଳକର ପୈଠ​ରେ ଟାଳଟୁଳ ନୀତି; ଓଡ଼ିଶା ପାଣିରେ ଆନ୍ଧ୍ର ଫସଲ

ପାରଳାଖେମୁଣ୍ଡି: ଓଡ଼ିଶା – ଆନ୍ଧ୍ର ମଧ୍ୟରେ ନଦୀ ଜଳକୁ ନେଇ ଏକାଧିକ ବିବାଦ ଲାଗି ରହିଛି। କେତେବେଳେ ଜମି ତ ଆଉ କେତେବେଳେ ଜଳକୁ ନେଇ ବିବାଦ ଉପୁଜିଛି। ଗଜପତି ଜିଲାରେ ଏହି ବିବାଦ ଅଧିକ। ବଂଶଧାରା ଓ ମହେନ୍ଦ୍ରତନୟା ନଦୀଜଳକୁ ନେଇ ମାମଲା ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚିଛି। କିନ୍ତୁ ଆନ୍ଧ୍ର ସରକାର ଓଡ଼ିଶା ସହ କରିଥିବା ଚୁକ୍ତିର ଖିଲାପ କରି ଚାଲିଛି। ଆନ୍ଧ୍ରକୁ ଲାଗି ରହିଥିବା ଗଜପତି ଜିଲାର ବଂଶଧାରା ଓ ମହେନ୍ଦ୍ରତନୟା ନଦୀ ଜଳରେ ଆନ୍ଧ୍ରର ଲକ୍ଷଲକ୍ଷ ଏକର ଚାଷଜମି ଶସ୍ୟଶ୍ୟାମଳା ହେଉଛି। ଆନ୍ଧ୍ର ସରକାର ବର୍ଷକୁ ତିନିଥର ପନିପରିବା, ଧାନ, ମୀନ ଓ ଅର୍ଥକରୀ ଫସଲ ଚାଷ କରୁଛି। ଅଥଚ ଚୁକ୍ତି ମୁତାବକ ଜଳକର ପ୍ରଦାନରେ ଆନ୍ଧ୍ର ଟାଳଟୁଳ ନୀତି ଅବଲମ୍ବନ କରୁଛି। ୨୦୨୨ ମସିହା ସୁଦ୍ଧା ଓଡ଼ିଶାକୁ ୪ କୋଟିରୁ ଅଧିକ ଜଳକର ବାବଦ ଟଙ୍କା ଆନ୍ଧ୍ର ପୈଠ କରିନି।

ଗଜପତି ଜିଲାର ୧୭ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ବର୍ଷତମାମ ଆନ୍ଧ୍ର ପାଣି ନେଉଛି। ୧୯୮୮-୮୯ମସିହାରେ ଜଳ ବିନିଯୋଗ ଏବଂ ସେ ବାବଦ କର ଦେୟ ନେଇ ଦୁଇ ରାଜ୍ୟ ମଧ୍ୟରେ ଚୁକ୍ତି ହୋଇଥିଲା। ଚୁକ୍ତି ମୁତାବକ ୨୦୨୧-୨୦୨୨ ସୁଦ୍ଧା ୪କୋଟି ୩୨ଲକ୍ଷ ୮୧ହଜାର ୨୧୧ ଟଙ୍କା ଜଳକର ଓଡ଼ିଶାକୁ ଆନ୍ଧ୍ର ଦେଇ ନାହିଁ। ଗଜପତି ଜିଲାର ୧୭ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭରପୁର ଫାଇଦା ପାଉଥିବା ଆନ୍ଧ୍ରର ଏଭଳି ମନୋଭାବକୁ ନେଇ ଓଡ଼ିଶା ସରକାର କେବଳ ଚିଠି ଆଦାନପ୍ରଦାନରେ ସୀମିତ ରହିଛନ୍ତି। ଗଜପତି ଜିଲାର ଆଳତି ନାଳ ଓଡ଼ିଶାର ୧୩୭.୫୧ ଏକର ଏବଂ ଆନ୍ଧ୍ରର ୨ଶହ ଏକର ଚାଷଜମିକୁ ଜଳସେଚିତ ହେଉଛି। ସେହିପରି ୧୬୪୬.୯୩ ଏକର ଜଳସେଚନ ପାଇଁ ପ୍ରସ୍ତୁତ ହୋଇଥିବା ବାଇଝାଲ ନାଳ ପ୍ରକଳ୍ପରୁ ଓଡ଼ିଶାର ୭୫୭.୨୫ ଏବଂ ଆନ୍ଧ୍ର ୮୭୯.୯୫ ଏକର ଜଳସେଚିତ ହେଉଛି, ଗୁମ୍ମାଗଡ଼ା ନାଳ ପ୍ରକଳ୍ପ ଦ୍ବାରା ଓଡ଼ିଶାର ୯୮.୩୪ ଏବଂ ଆନ୍ଧ୍ରର ୫୨୨.୯୩ ଏକର ଜଳସେଚନ ହେଉଛି। କାଳୁଆ ନାଳରୁ ଓଡ଼ିଶାର ୧୧୯୭.୫୯ ଏକର ଏବଂ ଆନ୍ଧ୍ରର ୪୫୬.୬୬ ଏକର, କୃଷ୍ଣସାଗର ପ୍ରକଳ୍ପ ଜରିଆରେ ଓଡ଼ିଶାର ୪୫୧୫.୩୧ ଏବଂ ଆନ୍ଧ୍ର ୪୬୪.୨୫ ଏକର ଜମି ଜଳସେଚିତ ହେଉଛି। ମହେନ୍ଦ୍ରତନୟା ପ୍ରକଳ୍ପ ଜରିଆରେ ଆନ୍ଧ୍ର ୧୧୪୭.୭୬ ଏକର ଚାଷଜମି, ନୀଳ ନାଳ ଓ ସିରିଧା ନାଳ ଜରିଆରେ ଆନ୍ଧ୍ରର ୫୩୦.୫୫ ଏକର ଚାଷଜମି ଜଳସେଚିତ ହେଉଛି। ଏହିପରି ଓଡ଼ିଶାର ୧୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜଳ ବ୍ୟବହାର କରି ଆନ୍ଧ୍ର ଶସ୍ୟଶ୍ୟାମଳା ହେଉଛି।

- Advertisement -

ଏସବୁ ବାବଦରେ ୨୦୨୧-୨୨ ସୁଦ୍ଧା ଆନ୍ଧ୍ର ଓଡ଼ିଶାକୁ ୪କୋଟି ଟଙ୍କାରୁ ଅଧିକ ଟଙ୍କା ଜଳକର ପୈଠ କରିନି। ସମ୍ପ୍ରତି ଏହି ଅନାଦାୟ ଅର୍ଥ ଢେର ଅଧିକ ହେଲାଣି। ଆନ୍ଧ୍ରର ବୁରୁଗାମ ଟେଙ୍କ୍, ବୁରୁଗାମ ନାଳ, ଲକ୍ଷ୍ମୀସାଗର, ରାଧା ସାଗର, ଲକ୍ଷ୍ମୀସାଗର ଓ ବୁରୁଗାମଗଡ଼ା ପ୍ରକଳ୍ପ ଓଡ଼ିଶାର ୧୭ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରେ ସ୍ଥାନିତ ହୋଇଥିଲେ ମଧ୍ୟ କେତେ ଏକର ପାଇଁ ଏହି ପ୍ରକଳ୍ପ ଉଦ୍ଦିଷ୍ଟ, ଆନ୍ଧ୍ରକୁ କେତେ ଏବଂ ଓଡ଼ିଶାକୁ କେତେ ଜଳସେଚିତ ହେଉଛି ତାହା ବିଭାଗ ନିକଟରେ ତଥ୍ୟ ନାହିଁ। ନିଜ ପ୍ରକଳ୍ପ ପାଇଁ କଳ, ବଳ ଓ କୌଶଳ ପ୍ରୟୋଗ କରୁଥିବା ଆନ୍ଧ୍ର ବିରୋଧରେ ଓଡ଼ିଶା ସରକାର କେବେ ନିଜର ବୁଦ୍ଧି ଲଗାଇ ଜଳକର ଆଦାୟ କରୁଛନ୍ତି ତାହାକୁ ଅପେକ୍ଷା।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories