ନୂଆଦିଲ୍ଲୀ : ଓଲ୍ଡ ଟ୍ରାଫୋର୍ଡରେ ଆଦୌ ଟେଷ୍ଟମ୍ୟାଚ୍ ଖେଳିନାହାନ୍ତି ଯଶପ୍ରୀତ ବୁମ୍ରା। ହେଲେ ଏଥର ଭାରତୀୟ ଦଳ ତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ କରୁଛି। ୧-୨ରେ ପଛୁଆ ରହି ଭାରତୀୟ ଦଳ ୪ର୍ଥ ଟେଷ୍ଟ ଖେଳିବା ପାଇଁ ଲଣ୍ଡନ୍ରୁ ମାଞ୍ଚେଷ୍ଟର ବାହାରିଛି। ତେବେ ଭାରତୀୟ ଦଳ ଅଦ୍ୟାବଧି ନିଷ୍ପତ୍ତି ନେଇନାହିଁ ଯେ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟରେ ବୁମ୍ରା ଖେଳିବେ କି ନାହିଁ। ତାଙ୍କୁ ନେଇ ଭାରତୀୟ ଦଳ ଦ୍ବିଧାରେ। ତେବେ ଦଳକୁ ମନେ ରଖିବାକୁ ହେବ ଯେ ଏହି ଟେଷ୍ଟମ୍ୟାଚ୍ ଶୃଙ୍ଖଳାରେ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍ରେ ଭାରତ ପରାସ୍ତ ହେଲେ ଶୃଙ୍ଖଳା ଏହାର ହାତରୁ ଚାଲିଯିବ। ତେଣୁ ୪ର୍ଥ ଟେଷ୍ଟମ୍ୟାଚ୍ ଶୁଭମନ ଗିଲ୍ଙ୍କ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟିକରିଛି। ଏହାକୁ ଧ୍ୟାନରେ ରଖି ଭାରତକୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ବୁମ୍ରାଙ୍କୁ ଖେଳାଇବା ନା ବିଶ୍ରାମ ଦେଇ ତାଙ୍କୁ ଅନ୍ତିମ ଟେଷ୍ଟମ୍ୟାଚ୍ ଲାଗି ସତେଜ ରଖିବ।
ଅଦ୍ୟାବଧି ଯଶପ୍ରୀତ ବୁମ୍ରା ୨ଟି ଟେଷ୍ଟ ଖେଳିଛନ୍ତି। ଏଜ୍ବାଷ୍ଟନରେ ସେ ମୋଟ ୪୩.୪ ଓଭର ବୋଲିଂକରି ପ୍ରଥମ ଇନିଂସେର ୫ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ରେ ଭାରତ ହାରିଥିଲା। ବର୍ମିଂହାମ୍ ଟେଷ୍ଟରୁ ତାଙ୍କୁ ବିଶ୍ରାମ ମିଳିଥିବା ବେଳେ ଭାରତ ଜିତିଥିଲା। ଲର୍ଡସ ଟେଷ୍ଟରେ ବୁମ୍ରା ୪୩ ଓଭର ବୋଲିଂକରି ପ୍ରଥମ ଇନିଂସରେ ପୁଣି ୫ଟି ୱିକେଟ୍ ନେଇଥିଲେ। ଉଭୟ ଟେଷ୍ଟରେ ବୁମ୍ରା ଲମ୍ବା ସ୍ପେଲ୍ ମଧ୍ୟ ପକାଇ ନାହାନ୍ତି। ୩ୟ ଟେଷ୍ଟ ପରେ ବୁମ୍ରାଙ୍କୁ ଓଲ୍ଡ ଟ୍ରାଫୋର୍ଡରେ ଖେଳାଇବା ନେଇ ପ୍ରଶ୍ନରେ ଅଧିନାୟକ ଶୁଭମନ ଗିଲ୍ କହିଥିଲେ- ଜଲ୍ଦି ଜାଣିବାକୁ ପାଇବେ। ୪ର୍ଥ ଟେଷ୍ଟେର ଶୃଙ୍ଖଳା ବାଜି ଲାଗିଥିବା ବେଳେ ବୁମ୍ରାଙ୍କୁ ଏହି ମ୍ୟାଚ୍ ନିଶ୍ଚୟ ଖେଳିବାକୁ ପଡ଼ିବ ବୋଲି ପୂର୍ବତନ ଭାରତୀୟ ପେସ୍ ବୋଲର ଇର୍ଫାନ୍ ପଠାନ୍ କହିଛନ୍ତି। ତାଙ୍କ ଭାଷାରେ, ସମସ୍ତ ଦଳ ମ୍ୟାନେଜମେଣ୍ଟ ତା’ର ଶ୍ରେଷ୍ଠ ଖେଳାଳିଙ୍କୁ ପ୍ରତ୍ୟେକ ମ୍ୟାଚ୍ ଖେଳାଇବାକୁ ଚାହେଁ। ହେଲେ କାର୍ଯ୍ୟଭାର ପରିଚାଳନା ବୋଲରଙ୍କ ଫିଟ୍ନେସ ଉପରେ ନିର୍ଭର କରେ। ସେ କ୍ଳାନ୍ତ ଅନୁଭବ କରୁଛନ୍ତି କି ଅନ୍ୟ କୌଣସି ସମସ୍ୟା ଅଛି; ତାହା ମଧ୍ୟ ଦେଖିବାକୁ ପଡ଼ିବ। ତେେବ ୩ୟ ଓ ୪ର୍ଥ ଟେଷ୍ଟ ମଧ୍ୟରେ ୯ ଦିନ ବ୍ୟବଧାନ ଥିବାରୁ ବୁମ୍ରାଙ୍କୁ ଯଥେଷ୍ଟ ବିଶ୍ରାମ ମିଳିଥିବ। ତେଣୁ ଯଦି ବୁମ୍ରା ଆହତ ନ ହୁଅନ୍ତି; ଏହି ନିର୍ଣ୍ଣାୟକ ଟେଷ୍ଟମ୍ୟାଚ୍ ସେ ଖେଳିବା ଉଚିତ। ଏହାସହ ପଠାନ୍ ଆହୁରି କହିଛନ୍ତି, ଦଳର ଜଣେ ଖେଳାଳି କେଉଁ ମ୍ୟାଚ୍ ଖେଳିବେ; ତାହା ବାଛିବା ଆଦୌ ଦଳ ପାଇଁ ଶୁଭ ସୂଚନା ନୁହେଁ। ଭାରତୀୟ ଦଳ ପାଖରେ ଅଧିକ ବିକଳ୍ପ ମଧ୍ୟ ନାହିଁ। ବର୍ମିଂହାମ୍ ଟେଷ୍ଟରେ ଆକାଶ ଦୀପ ଓ ମହମ୍ମଦ ସିରାଜ୍ ଭଲ ବୋଲିଂକରି ଦଳକୁ ଜିତାଇଥିଲେ। ହେଲେ ପ୍ରସିଦ୍ଧ କ୍ରିଷ୍ଣା ଅଧିକ ରନ୍ ଦେଇଥିଲେ। ପ୍ରଥମ ଟେଷ୍ଟରେ ସାର୍ଦୁଳ ଠାକୁର ଦଳକୁ ନିରାଶ କରିଥିଲେ। ତେଣୁ କର ବା ମର ମ୍ୟାଚ୍ରେ ବୁମ୍ରାଙ୍କୁ ଛାଡ଼ି ଅନ୍ୟ ବିକଳ୍ପ ନାହିଁ। ପୁଣି ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ରେ ଭାରତ ପାଇଁ ଏହା ସବୁଠାରୁ ବଡ଼ ଟେଷ୍ଟ ଶୃଙ୍ଖଳା। ଏପରି ସ୍ଥିତିରେ ଦଳରେ ବେଶି ପରିବର୍ତ୍ତନ କରିବା ଠିକ୍ ନୁହେଁ। ଇଂଲଣ୍ଡର ବାତାବରଣରେ ବୁମ୍ରାଙ୍କ ଉପସ୍ଥିତି ଦଳକୁ ମଜ୍ଭୁତ କରିବ। କିଛିଦିନର ବିଶ୍ରାମ ପରେ ଭାରତୀୟ ଦଳ ଗୁରୁବାରଠାରୁ ମାଞ୍ଚେଷ୍ଟରର ବେକେନ୍ହାମ୍ କାଉଣ୍ଟି ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିବ। ଏହି ଅଭ୍ୟାସରେ ବୁମ୍ରାଙ୍କ ଫିଟ୍ନେସ ଆକଳନ କରାଯାଇ ତାଙ୍କୁ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟରେ ଖେଳାଯିବ କି ନାହିଁ; ତା’ର ନିଷ୍ପତ୍ତି ନିଆଯିବ।
ବୁମ୍ରାଙ୍କ ଖେଳିବା ନେଇ ଭାରତ ଦ୍ବିଧାରେ
Popular Categories



