www.samajalive.in
Monday, December 8, 2025
20.1 C
Bhubaneswar

ଆଜିଠାରୁ ମାଟ୍ରିକ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆସନ୍ତାକାଲି (୨୨ ତାରିଖ)ଠାରୁ ଆରମ୍ଭ ହେଉଛି। ପ୍ରଥମଦିନ ମାତୃଭାଷା ପରୀକ୍ଷା ହେବ। ସମଗ୍ର ରାଜ୍ୟରେ ମୋଟ ୨୮୩୦ଟି କେନ୍ଦ୍ରରେ ୫,୭୨, ୬୯୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକସଙ୍ଗେ ଆରମ୍ଭ ହେବ। ପ୍ରଥମ ସିଟିଂରେ ମାଟ୍ରିକ ପରୀକ୍ଷା ଏବଂ ଦ୍ୱିତୀୟ ସିଟିଂରେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ। ୪୪ଟି କେନ୍ଦ୍ରରେ ୩,୦୦୯ ଛାତ୍ରଛାତ୍ରୀ ମଧ୍ୟମା, ୧୨,୦୧୨ରେ ଛାତ୍ରଛାତ୍ରୀ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେବେ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ।
ପରୀକ୍ଷାର୍ଥୀମାନେ ଏହାର ୧ ଘଣ୍ଟା ପୂର୍ବରୁ ଅର୍ଥାତ୍‍ ୯ଟାରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବେ। ୯.୩୦ରେ ଓଏମ୍‍ଆର୍‍ ସିଟ୍‍ ବଣ୍ଟନ କରାଯିବ। ପ୍ରଶ୍ନପତ୍ର ହଲ୍‍ରେ ପହଞ୍ଚିବା ପରେ ପରୀକ୍ଷାର୍ଥୀଙ୍କ ସମ୍ମୁଖରେ ସିଲ୍‍ ଖୋଲାଯାଇ ବଣ୍ଟନ କରାଯିବ। ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ରକ୍ଷା ତଥା ପରୀକ୍ଷାର୍ଥୀଙ୍କ ଅସାଧୁ ଉପାୟ ଅବଲମ୍ବନକୁ ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯିବା ସହ ମୋବାଇଲ୍‍ ଫୋନ୍‍ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ନିଜ ମୋବାଇଲ୍‍କୁ ସୁଇଚ୍‍ ଅଫ୍‍ କରି ପରୀକ୍ଷା କେନ୍ଦ୍ରର ସୁପରିନ୍‍ଟେଣ୍ଡେଣ୍ଟଙ୍କୁ ହସ୍ତାନ୍ତର କରିବେ। ସେହିପରି ସ୍କ୍ୱାଡ୍‍ ଓ ପୁଲିସ କର୍ମଚାରୀ ମଧ୍ୟ ମୋବାଇଲ୍‍ ବ୍ୟବହାର କରିପାରିବେ ନାହିଁ।
ପରୀକ୍ଷା ପରିଚାଳନାକୁ ତଦାରଖ କରିବା ପାଇଁ ଏଥର ଚତୁଃସ୍ତରୀୟ ସ୍କ୍ୱାଡ୍‍ ବ୍ୟବସ୍ଥା କରାଯାଇଛି। ବୋର୍ଡ ପକ୍ଷରୁ ୪୪ଟି ସ୍ପେଶାଲ୍‍ ସ୍କ୍ୱାଡ୍‍ ଗଠନ କରାଯାଇଛି। ପ୍ରତି ସ୍ପେଶାଲ ସ୍କ୍ୱାଡ୍‍ରେ ୨ ଜଣ ଲେଖାଏଁ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ବିଭିନ୍ନ ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୫୮ଟି ଫ୍ଲାଇଂ ସ୍କ୍ୱାଡ୍‍ ମଧ୍ୟ ଗଠନ ହୋଇଛି। ରାଜ୍ୟ ସରକାର ୩୦ଟି ଜିଲା ପାଇଁ ୩୦ଟି ସ୍କ୍ୱାଡ୍‍ ଓ ଜିଲାପାଳମାନଙ୍କ ପକ୍ଷରୁ ମଧ୍ୟ ଗୋଟିଏ ଲେଖାଏ ସ୍କ୍ୱାଡ୍‍ ଗଠନ ହୋଇଛି। ଚଳିତ ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ସବୁପ୍ରକାର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories