ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଆଉ ଗୋଟିଏ ଶକ୍ତ ପଦକ୍ଷେପ ନେଇଛି। ଏଥର ପାକିସ୍ତାନକୁ ୩ ନଦୀର ପାଣି ନ ଛାଡ଼ିବାକୁ ଭାରତ ନିଷ୍ପତ୍ତି ନେଇଛି। ସେହି ନଦୀଗୁଡ଼ିକ ହେଲା ରାବୀ, ବିପାଶା(ବ୍ୟାସ୍) ଏବଂ ଶତଦ୍ରୁ(ସତଲେଜ)। ଏକ ସଭାରେ ଉଦବୋଧନ ଦେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ପାକିସ୍ତାନର କୃଷି ଉତ୍ପାଦନ ଏବଂ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ।
ସୂଚନା ମୁତାବକ, ଭାରତ ପଟୁ ପୂର୍ବାଞ୍ଚଳରୁ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ୩ଟି ନଦୀର ଜଳ ପ୍ରବାହିତ ହେଉଛି। ଭାରତ ଏହି ନଦୀଗୁଡ଼ିକ ଉପରେ ବନ୍ଧ ବାନ୍ଧି ନଦୀଜଳକୁ ଜାମ୍ମୁ-କାଶ୍ମୀର ଏବଂ ପଞ୍ଜାବକୁ ଯମୁନା ନଦୀ ସହ ସଂଯୋଗ ଜରିଆରେ ବ୍ୟବହାର କରିବ। ଗଡ଼କରୀ କହିଛନ୍ତି ଯେ, ୨୦୧୬ ଉରୀ ଆକ୍ରମଣ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ବିଚାର କରିଆସୁଛନ୍ତି। ଏଥିପାଇଁ ରାବୀ ନଦୀ ଉପରେ ଶାହପୁର-କାଣ୍ଡିଠାରେ ନଦୀବନ୍ଧ ନିର୍ମାଣ ଚାଲିଛି। ୟୁଜେଏଚ ପ୍ରକଳ୍ପ ଦ୍ବାରା ପାରିକୁ ରୋକାଯାଇ ଜାମ୍ମୁ-କାଶ୍ମୀରରେ ବ୍ୟବହାର କରାଯିବ। ବଳକା ପାଣିକୁ ରାବୀ-ବିପାଶା ୨ୟ ନଦୀଜଳ ସଂଯୋଗ ଜରିଆରେ ପଞ୍ଜାବ ଭଳି ଦେଶର ଅନ୍ୟ ତ୍ରିକୋଣଭୂମି ରାଜ୍ୟକୁ ଜଳ ଯୋଗାଇ ଦିଆଯିବ। ସିନ୍ଧୁ ଜଳ ରାଜିନାମା ଅନୁଯାୟୀ, ଭାରତ ରାବୀ, ବିପାଶ ଓ ଶତଦ୍ରୁ ନଦୀର ପାଣିକୁ ପାକିସ୍ତାନ ପଟକୁ ପ୍ରବାହିତ ହେବାକୁ ଅନୁମତି ଦେଇଆସୁଛି। ମାତ୍ର ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ମହଙ୍ଗା ପଡ଼ିବ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶକୁ ଉଚିତ ଶାସ୍ତି ମିଳିବ ବୋଲି ଆଲୋଚନା ହେଉଛି।



