ସମ୍ବଲପୁର: ସମ୍ବଲପୁର ସହର ପ୍ରାୟ ୨୫ ବର୍ଷ ହେବ ପ୍ରତି ଦୁଇ ତିନି ବର୍ଷ ଅନ୍ତରାଳରେ କୁତ୍ରିମ ବନ୍ୟାର ସମ୍ମୁଖୀନ ହୋଇ ଆସୁଛି। ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବାର ଦାବୀ ସବୁ ବର୍ଷ ବର୍ଷା ପୁର୍ବରୁ କରୁଥିବା ବେଳେ ବର୍ଷା ସମୟରେ ସେହି ଫମ୍ପା ଦାବିର ପୋଲ ଖୋଲି ଯାଇଥାଏ। ୨୦୧୪ ମସିହାରେ ସମ୍ବଲପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ପୁର୍ବ ପ୍ରସ୍ତୁତି କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ଦାବୀ କରାଯାଇଥିଲା। କିନ୍ତୁ ୨୦୧୮, ୨୦୨୦ ମସିହା ସମେତ ଇତି ମଧ୍ୟରେ ପ୍ରାୟତଃ ସବୁ ବର୍ଷ ବର୍ଷା ସମୟରେ ପ୍ରଶାସନର ଫମ୍ପା ଦାବିର ପୋଲ ବର୍ଷା ହେବା ମାତ୍ରେ ଖୋଲି ଯାଉଛି ଏବଂ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ନିୟମିତ ସହିତ ପ୍ରବଳ ଘଡଘଡି ସହିତ ବର୍ଷାର ପୁର୍ବା ଆକଳନ କରାଯାଇ ବାରମ୍ବାର ଏବଂ ନିୟମିତ ଜିଲା ପ୍ରଶାସନକୁ ଏଥି ପାଇଁ ପ୍ରାକ ପ୍ରସ୍ତୁତି କରିବାକୁ ଚେତାବନୀ ଦେଇ ଆସିଛି। କିନ୍ତୁ ସମ୍ବଲପୁର ଜିଲା ପ୍ରଶାସନ ଓ ମହାନଗର ନିଗମ କତ୍ତୃପକ୍ଷ ଚିରାଚିରତ ଢ଼ଙ୍ଗରେ ଜନତାଙ୍କ ସୁରକ୍ଷା ଓ ସୁବିଧାକୁ ହେୟଜ୍ଞାନ କରି ଆସୁଛନ୍ତି ଏବଂ ତାହାର ପ୍ରତିଫଳନ ଚଳିତ ବର୍ଷ ମଧ୍ୟ ବର୍ଷା ସମୟରେ ଦେଖିବାକୁ ମିଳୁଛି। ରବିବାର ରାତ୍ରିରେ ପ୍ରବଳ ବର୍ଷାର ପୁର୍ବ ଚେତାବନୀ ଥିବା ସତ୍ୱେ ତା ପୁର୍ବରୁ ସହରରେ ଯେଭଳି ବର୍ଷା ଜଳ ଜମା ନ ହେବ, ସେଥି ପାଇଁ ପ୍ରସ୍ତୁତି କରିବାରେ ପ୍ରଶାସନ ଫେଲ ମାରିଛି। ଫଳରେ ରବିବାର ରାତ୍ରି ଓ ସୋମବାର ଦିନ ତମାମ ପ୍ରଶାସନ ଫମ୍ପା ଦାବିର ଅସଲ ମୁଖା ସହରବାସୀ ଦେଖିଥିଲେ। ମାତ୍ର କେଇ ଘଣ୍ଟାର ବର୍ଷାରେ ସହରବାସୀ କୁତ୍ରିମ ବନ୍ୟାର ସମ୍ମୁଖୀନ ହୋଇଥିଲେ।
ସାଧାରଣତଃ ସହରର ବର୍ଷା ଜଳ ଗୁଡିକ ସହର ମଧ୍ୟରେ ରହିଥିବା ୩ଟି ପ୍ରମୁଖ ନାଳ ଧୋବିଜୋର, ଟାଙ୍ଗନା ଓ ହରଡ ଯୋର ନାଳ ଦେଇ ମହାନଦୀକୁ ନିଷ୍କାସିତ ହୋଇଥାଏ। କିନ୍ତୁ ବିପର୍ଯ୍ୟସ୍ତ ନାଳ ବ୍ୟବସ୍ଥା, ଅଧା ଅପନ୍ତରିଆ ହୋଇ ପଡ଼ି ରହିଥିବା ଉନ୍ନୟନମୁଳକ କାର୍ଯ୍ୟ, ଜବରଦଖଲ ଓ ଜାମ ହୋଇ ପଡ଼ି ରହିଥିବା ନାଳ ଗୁଡିକ ପାଇଁ ପୁଣି ଥରେ ସମ୍ବଲପୁରବାସୀ ଏକ ଭୟାବହ କୁତ୍ରିମ ବନ୍ୟା ଦେଖିବା ପାଇଁ ବାଧ୍ୟ ହୋଇଥିଲେ। ପ୍ରଶାସନର ବାରମ୍ବାର ଦାବୀ ସତ୍ୱେ ସହର ମଧ୍ୟରୁ ପ୍ରାକୃତିକ ନାଳ କୁ ସଂଯୋଗ କରୁଥିବା ପ୍ରାୟ ସମସ୍ତ ନାଳ ଗୁଡିକ ଜାମ ହୋଇ ପଡ଼ି ରହିଥିବାରୁ ରବିବାର ରାତ୍ରିର ବର୍ଷାରେ ଜଳ ନିଷ୍କାସନ ହୋଇ ପାରି ନ ଥିଲା। ଏହା ଫଳରେ ଅଇଁଠାପାଲି ସ୍ଥିତ ଜାତୀୟ ରାଜପଥ ଉପରେ ପ୍ରାୟ ୨ ଫୁଟରୁ ଊର୍ଦ୍ଧ୍ବ ପାଣି ଜମା ହୋଇ ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସେହିଭଳି ବୁଢ଼ାରଜା ପ୍ରଧାନପଡ଼ା, ବରେଇପାଲି, ଭୂୟାଁପଡ଼ା, ମୁଦିପଡ଼ା, ପାଣିଟାଙ୍କି ପଡ଼ା, ଠେଲକୋପଡ଼ା, ଭିଏସଏସ ମାର୍ଗ, ବୁଢ଼ାରଜା ମୁଖ୍ୟ ମାର୍ଗ, ଠାକୁରପଡ଼ା, କ୍ଷେତରାଜପୁର, ଦଲଦଲିପଡ଼ା ଆଦି ସହରର ଅନେକ ସ୍ଥାନ ଗୁଡିକରେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ବହୁ ଘଣ୍ଟା ଧରି ଜମି ରହିବା ସହିତ ଲୋକଙ୍କ ଘର ଗୁଡିକୁ ପଶି ଯାଇଥିଲା। ବର୍ଷ ତମାମ ନାଳ ସଫେଇ ନାମରେ ନିଗମ କତ୍ତୃପକ୍ଷ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନାଳ ସଫେଇ କରା ନ ଯାଇ ପ୍ରହସନ କରାଯାଉଥିବାରୁ ସାମାନ୍ୟ ବର୍ଷା ହେବା ମାତ୍ରେ ନାଳ ଗୁଡିକ ଦେଇ ଜଳ ନିଷ୍କାସିତ ହୋଇ ନ ପାରି ରାଜରାସ୍ତାରେ ବୋହିବା ଓ ଘର ଗୁଡିକୁ ପ୍ରବେଶ କରୁଥିବାର ଦେଖାଯାଉଛି। କୁତ୍ରିମ ବନ୍ୟା ସୃଷ୍ଟି ହେଲେ ପ୍ରଶାସନର ପୋଲ ଖୋଲି ଯାଉଥିବାରୁ ପ୍ରଶାସନ ପ୍ରବଳ ବର୍ଷା ସମୟରେ ଔଷଧ ବିକଳରେ ତାଟିଆ କାମୁଡିବା ଭଳିଆ, ପ୍ରଶାସନ ପକ୍ଷରୁ ବର୍ଷା ଜଳ ଅବରୁଦ୍ଧ ଥିବା ସ୍ଥାନ ଗୁଡିକର ନାଳ ଗୁଡିକୁ ଯେନ ତେଣ ପ୍ରକାରରେ ଭାଙ୍ଗି ଦିଆଯାଉଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି। ଯୋଜନା ବିହିତ ଉନ୍ନୟନ ମୁଳକ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ, ବର୍ଷ ତମାମ ନାଳ ଗୁଡିକର ଠିକ ସଫେଇ ନ ହେବ ଏବଂ ଜବରଦଖଲ ଗୁଡିକୁ ହଟା ଯାଉ ନ ଥିବାରୁ ବର୍ଷା ହେବା ମାତ୍ରେ ସ୍ଥିତି ଖରାପ ହୋଇଯାଉଛି ଏବଂ ଲୋକେ କୁତ୍ରିମ ବନ୍ୟାର ଶିକାର ପ୍ରତି ବର୍ଷ ହେଉଥିବାର ସହରବାସୀ ଅଭିଯୋଗ କରୁଛନ୍ତି।
ଅପରପକ୍ଷରେ ସୌଭାଗ୍ୟବଶତଃ ଏବେ ହୀରାକୁଦ ନଦୀବନ୍ଧ ପକ୍ଷରୁ ବନ୍ୟା ଜଳ ନିଷ୍କାସନ ମାତ୍ର ୨୦ଟି ଗେଟ ଜରିଆରେ କରାଯାଉଥିବାରୁ ମହାନଦୀରେ ବେଶି ଜଳ ନାହିଁ। ଯଦି ଅଧିକ ଗେଟ ଖୋଲାଥାନ୍ତା, ତାହା ହେଲେ ଗତକାଲି ରାତ୍ରିରେ ବର୍ଷାରେ ସ୍ଥିତି ଅସମ୍ଭାଳ ହୋଇ ଯାଇଥାନ୍ତା ବୋଲି ଜନତା ମତ ଦେଉଛନ୍ତି। ଏଣୁ ପ୍ରଶାସନ ବର୍ଷା ଜଳ ନିଷ୍କାସନ ପାଇଁ ଦୀର୍ଘ ମିଆଦି ସୁବ୍ୟବସ୍ଥା କରନ୍ତେ ତାହା ହେଲେ ଏଭଳି କୁତ୍ରିମ ବନ୍ୟାର ଶିକାର ଜନତା ପ୍ରତି ବର୍ଷ ହୁଅନ୍ତେ ନାହିଁ। ସରକାର ଓ ପ୍ରଶାସନ ନିଜସ୍ୱ ପ୍ରଚାର ପ୍ରସାର, ବିଭିନ୍ନ ଜନସଚେତନା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଆଦି ୍ରଚାରଧର୍ମୀ କାର୍ଯ୍ୟ କରିବା ଅପେକ୍ଷା ଲୋକ ଙ୍କ ଧନଜୀବନ ସୁରକ୍ଷା ପାଇଁ ସର୍ବ ନିମ୍ନ ସୁବିଧା ପ୍ରତି ଯଦି ସଚେତନ ହୋଇ କାର୍ଯ୍ୟ କଲେ ବର୍ଷା ଦିନରେ ଏଭଳି କୁତ୍ରିମ ବନ୍ୟାର ଅବସ୍ଥା ସୃଷ୍ଟି ନ ହୁଅନ୍ତା କି ଗ୍ରୀଷ୍ମ ଦିନରେ ସହରବାସୀ ପାନୀୟ ଜଳ କ୍ଲିଷ୍ଟରୁ ରକ୍ଷା ପାଇପାରନ୍ତେ ବୋଲି ଏବେ ସହରବାସୀ ମତ ଦେଉଛନ୍ତି।



