କଳାପଥର(ବାଙ୍କୀ): ବାଙ୍କୀ ଉପଖଣ୍ଡର ସୁନାଦେଈ, ଜାତମୁଣ୍ଡିଆ ଓ କାଳିକା ପ୍ରସାଦ ବାଲିଘାଟରୁ ବେନିୟମ ଭାବରେ ପତ୍ୟେକ ଦିନ ଚୋରାରେ ଶହ ଶହ ବାଲିଗାଡି ଉଠାଣ କରାଯାଇ ଚୋରାରେ ବାଙ୍କୀ ତଥା ବାଙ୍କୀ ବାହାରକୁ ଚାଲାଣ କରାଯାଉଛି। ଏହି ବାଲିଘାଟ ଗୁଡିକ ବାଙ୍କୀ ଉପଖଣ୍ଡରେ ସରକାରଙ୍କ ତରଫରୁ ନିଲାମ ଦିଆଯାଇଥିଲେ ମଧ୍ୟ ଏହି ବାଲିଘାଟ ଗୁଡିକର ନିଲାମ ଗ୍ରହିତାମାନେ ନିଲାମ ଅଞ୍ଚଳର ନିର୍ଦ୍ଧାରିତ ସୀମା ବାହାରୁ ବହୁ ଅଧିକ ପରିମାଣରେ ବାଲି ଉତ୍ତୋଳନ କରି କଳାବଜାରରେ ବିକ୍ରୟ କରୁଛନ୍ତି। ଯାହା ଫଳରେ ରାଜ୍ୟ ସରକାରଙ୍କ ପ୍ରଭୃତ ରାଜସ୍ୱ ହାନୀ ଘଟୁଛି। ମହାନଦୀରେ ବନ୍ୟା ପାଣି ଆସିବା ଆଶଙ୍କା କରି ବହୁ ପରିମାଣରେ ବାଲି ଉଠାଣ କରି ବିଭିନ୍ନ କୃତ୍ରିମ ବାଲୁକା ପର୍ବତମାଳା ସୃଷ୍ଟି କରୁଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ବନ୍ୟା ଆଶଙ୍କା ଥିବାରୁ ନଦୀ ବନ୍ଧ ଉପରୁ ବହୁ ସଂଖ୍ୟକ ବାଲି ବୋଝେଇ ହାଇୱା ଗାଡିଗୁଡିକ ଯିବାଆସିବା କରିବା ଦ୍ୱାରା ବନ୍ଧ ଦୁର୍ବଳ ହେବା ସହ ବନ୍ଧରୁ ମାଟି ଅତଡା ଖସି ନଦୀ ଗର୍ଭରେ ମିଶୁଛି। ଏହି ପରିସ୍ଥିତିରେ ବନ୍ୟା ଆସିବା ପୂର୍ବରୁ ରାଜସ୍ୱ କ୍ଷତିର ଆକଳନ କରି ନିଲାମ ଧାରୀ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ରୋକାଯାଇ ପାରିବ। ନଗର ମଣ୍ଡଳ ସଭାପତି ସଂଜୟ ରଣାଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ସରୋଜ ମତଗଜ ସିଂହ, ଦେବାଶିଷ ମାନସିଂହ, ଚନ୍ଦନ ସାହୁ, ଅଶୋକ ରାଜ, ରମେଶ ପଣ୍ଡା, ସକ୍ରାଜିତ୍ ସେଠୀ, ତପନ ଗୋଚ୍ଛି, ପ୍ରମୋଦ ମଲ୍ଲିକ, ବନ୍ଧୁମୋହନ ନାୟକ, ମନୋରଞ୍ଜନ ମହାପାତ୍ର, ଅନ୍ତର୍ଯ୍ୟାମୀ ମହାପାତ୍ର ଓ ରବିନ୍ଦ୍ର ସାହୁଙ୍କ ସମେତ ବହୁ ବିଜେପି ନେତୃବୃନ୍ଦ କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।



