ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ପୁଲିସ ମୁଣ୍ଡରୁ ଯେମିତି ଅପବାଦ ପିଛା ଛାଡୁନାହିଁ। ଗତ କିଛିଦିନ ତଳେ ଜଣେ ସମିତିସଭ୍ୟ ପୁଲିସର ଦ୍ୱାରସ୍ଥ ହୋଇ ନ୍ୟାୟ ନ ପାଇବାରୁ ମାନସିକ ଚାପରେ ଆତ୍ମହତ୍ୟାପରେ ଆଦିବାସୀ ସଂଘ ପୁଲିସର କାର୍ଯ୍ୟାନୁଷ୍ଠାନ ଅବହେଳା ଦାବି କରି ଜିଲ୍ଲା ଏସପିଙ୍କୁ ଫେରାଦ ହୋଇଥିଲା। ପରେ କୋକସରା ଆଇଆଇସିଙ୍କୁ ବଦଳି ଓ ଦୁଇ ଜଣ ଏସଆଇ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାକୁ ୨ ଦିନ ନ ପୁରୁଣୁ ପୁଣି ଜଣେ ନାବାଳିକା ନିଖୋଜ ଏତଲାରେ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କୋକସରା ଥାନା ଅଞ୍ଚଳର ନିଖୋଜ ନାବାଳିକାଙ୍କ ପରିବାର ଓ ପରିଜନ କୋକସରା ଥାନାରେ ଆସି ନାବାଳିକା ନିଖୋଜ ଘଟଣାର ଅଭିଯୋଗର ୬ ଦିନ ପରେ ମଧ୍ୟ ପୁଲିସର ତଦନ୍ତରେ ଶିଥିଳତା ଓ ଅବହେଳାକୁ ଦାୟୀ ସହ ପ୍ରତିବାଦ କରିଛନ୍ତି।
ସୂଚନା ଅନୁସାରେ, କୋକସରା ଥାନା ଅଞ୍ଚଳର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ନାବାଳିକା ଗତ ୧୯ ତାରିଖ ଅପରାହ୍ନରୁ ନିଖୋଜ ହୋଇଥିବାବେଳେ ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ଗତ ୨୫ ତାରିଖରେ ଝିଅ ନିଖୋଜ ଥିବା ନେଇ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ନିକଟସ୍ଥ ସୁନିଆପଡା ଗ୍ରାମର ଜଣେ ଯୁବକ ବସନ୍ତ ମାଝୀ ପୂର୍ବରୁ ଘରକୁ ଆସି ଝିଅ ସହ କଥାବାର୍ତ୍ତା ହୋଇ ତାଙ୍କୁ ପ୍ରେମରେ ଫସାଇ ଅପହରଣ କରି ନେଇଥିବା ନେଇ ନିଖୋଜ ଝିଅର ବାପା ଓ ମାଆ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ ଯୁବକର ବାପାଙ୍କୁ ଥାନାକୁ ଆଣି ପଚରାଉଚରା କରିଛି।



