ପଦ୍ମପୁର:ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ। ବ୍ଳକର ୯୦ ପ୍ରତିଶତ ଲୋକ କୃଷି ଓ ଉପରେ ନିର୍ଭରଶୀଳ। ତେବେ ପ୍ରଶାସନ ଏବଂ ଲୋକ ପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ପଦ୍ମପୁର ବ୍ଳକରେ ଥିବା କେନ୍ଦୁଗୁଡା ମଧ୍ୟମ ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଅଭାବରୁ ଏହି ବର୍ଷ ପର୍ଯ୍ୟାପ୍ତ ପରିମାଣର ଜଳ ବର୍ତ୍ତମାନ ଗଛିତ ନାହିଁ। ତେଣୁ ଚାଷୀଙ୍କ ଜମିରେ ଠିକ ଭାବରେ ଜଳସେଚନ ସୁବିଧା ହୋଇ ପାରିବ କି ନାହିଁ ଚିନ୍ତାରେ ଅଛନ୍ତି ଚାଷୀ। ତେଣୁ ଏହି ବର୍ଷ ସ୍ଥାନୀୟ ଚାଷୀ ବର୍ଷା ଉପରେ ସମ୍ପୂର୍ଣ୍ଣ ଭରସା କରି ରହିଛନ୍ତି। ସଠିକ ସମୟରେ ବର୍ଷା ନହେଲେ ବର୍ଷକର ଚାଷ ବୁଡିବା ସମ୍ଭାବନା ରହିଛି। ତେଣୁ ଏହି ବର୍ଷ ବର୍ଷା ପାଣି ଉପରେ ଚାଷୀ ମାନେ ନିର୍ଭର କରୁଛନ୍ତି।
କିଛି ଦିନ ତଳେ ପଦ୍ମପୁର ବ୍ଳକରେ ପ୍ରାକ ମୌସୁମୀ ବର୍ଷା ହେବା ପରେ ସ୍ଥାନୀୟ ଚାଷୀ ମାନେ ଚାଷ କାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। କିଛି ଚାଷୀ ଧାନ ଜମିରେ ଲଙ୍ଗଳ ଲଗାଇ ଚାଷ କରିବା ଆରମ୍ଭ କରିଛନ୍ତି। ଆଉ କିଛି ଚାଷୀ ଧାନ ଜମିରେ ଗୋବର ଖତ ସଂଗ୍ରହ କରୁଥିବା ବେଳେ ଆଉ କିଛି ଚାଷୀ ବିହନ କିଣିବା ପାଇଁ ବ୍ୟସ୍ତ ରହିଛନ୍ତି। ପଦ୍ମପୁର ବ୍ଲକ କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ସରକାରୀ ଅଧିକ ଅମଳକ୍ଷମ ଧାନ ବିହନକୁ ବହୁଳ ବ୍ୟବହାର ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି। ଚାଷୀଙ୍କ ସୁବିଧା ପାଇଁ ଲ୍ୟାମ୍ପସ ଏବଂ ସ୍ୱୀକୃତିପ୍ରାପ୍ତ ବେସରକାରୀ ଦୋକାନ ଗୁଡିକରେ ମଧ୍ୟ ସରକାରୀ ଧାନ ବିହନ ବିକ୍ରି କରାଯାଉଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।



