ଭୁବନେଶ୍ୱର : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳକୁ ୮ଦିନ ପୁର୍ବରୁ ଛୁଇଁଥିବା ବେଳେ ଓଡ଼ିଶାକୁ ୧୫ଦିନ ଆଗରୁ ଆସିଥିଲା। ହେଲେ ମୌସୁମୀ ସ୍ପର୍ଶ କରିବାର ଦୁଇଦିନ ପରେ ଦୁର୍ବଳ ହୋଇଛି। ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲାକୁ ସମ୍ପୂର୍ଣ୍ଣ ପ୍ରବେଶ କରିବା ସହ ଗୁରୁବାର ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ ମୌସୁମି ପ୍ରବେଶ କରିଥିଲା। ଶୁକ୍ରବାର ଭବାନୀପାଟଣା ଏବଂ ପୁରୀ ଜିଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଅନ୍ୟାନ୍ୟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ନାହିଁ। ପୁରୀ ଏବଂ ଭବାନୀପାଟଣାରେ ମୌସୁମୀ ଅଟକି ଯାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି ଯେ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ମୌସୁମୀ ଆଗକୁ ଅଗ୍ରସର ହେବାର ସମ୍ଭାବନା ନାହିଁ, ଅର୍ଥାତ ରାଜ୍ୟରେ ମୌସୁମୀ ଦୁର୍ବଳ ଅବସ୍ଥାକୁ ଆସି ଯାଇଛି।
ଅବପାତ ଉତ୍ତର ବାଂଲାଦେଶରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୌସୁମୀ ସଅଳ ଆସିଥିଲେ ବି ଏହାର ବଡ଼ଧରଣର ପ୍ରଭାବ ପଡ଼ିନାହିଁ। କେବଳ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ଧରଣର ବର୍ଷାର ସମ୍ଭାବନା ନାହିଁ। ଲଘୁଚାପ ଦୁର୍ବଳ ହେବା ପରେ ମୌସୁମୀ ରାଜ୍ୟରେ ଏବେ ସକ୍ରିୟ ନାହିଁ। ରଜ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ। ରଜ ପରେ ପୁନର୍ବାର ମୌସୁମୀ ସକ୍ରିୟ ହୋଇପାରେ। ବଙ୍ଗୋପସାଗରରେ ବାଦଲର ଘନତ୍ୱ ହ୍ରାସ ପାଉଥିବାରୁ ବର୍ଷା କମିଛି। ଲଘୁଚାପ ଦୁର୍ବଳ ହୋଇ ବାଂଲାଦେଶ ଓ ଉତ୍ତର-ପୂର୍ବ ରାଜ୍ୟକୁ ମୁହାଁଇବା ଦ୍ବାରା ରାଜ୍ୟକୁ ଶୁଷ୍କବାୟୁ ପ୍ରବେଶ କରୁଛି। ଏହାଦ୍ବାରା ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିଯିବ। ଉତ୍ତର ଆଫଗାନିସ୍ତାନରେ ଗୋଟିଏ ପଶ୍ଚିମାଝଡ଼ ସକ୍ରିୟ ଅଛି। ଫଳରେ ଶୁଷ୍କବାୟୁ ମୌସୁମୀକୁ ଦୁର୍ବଳ କରୁଛି। ମୌସୁମୀ ଦୁର୍ବଳ ହେବା ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ।
ଶୁକ୍ରବାର ଅପରାହ୍ଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ବରଗଡ଼ ଜିଲାର ବାଲିଜୁରି ପଞ୍ଚାୟତ ବାନ୍ଦେନବାହାଲ ଗ୍ରାମର ପଦ୍ମାଳୟା ଶା କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଞ୍ଚାୟତରେ ବଜ୍ରପାତ ଘଟି ଛେଳି ଚରାଇବାକୁ ଯାଇଥିବା ଅଖିନ୍ଦର ଯାନୀଙ୍କ ମୃତ୍ୟୁ ହୋଇଛି। ସେହି ଗାଁର ପଙ୍କଜ ମାଝୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆଜି ବରଗଡ଼ରେ ୩୫.୪ ମି.ମି ବର୍ଷା ହୋଇଥିବା ବେଳେ ବଲାଙ୍ଗିର ୨୬.୫, ଚାନ୍ଦବାଲି ୨୬.୮ମି.ମି ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦିନ ତାପମାତ୍ରା କମିଥିବାବେଳେ ଦୁଇ ଦିନ ପରେ ସର୍ବାଧିକ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।
୫୦୦ ବର୍ଷ ପରେ ମହାସଂଯୋଗ: ଶନି ଓ ଗୁରୁ ଏହି ରାଶିଙ୍କୁ କରିବେ ମାଲାମାଲ୍, ମିଳିବ ଚାକିରି, ବଢିବ ଦରମା, ହେବ ବିବାହ



