ସମାଜ ଡିଜିଟାଲ ଡେସ୍କ: ଟ୍ରମ୍ପ-ମସ୍କ ସମ୍ପର୍କରେ ଫାଟ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନରୁ ଅଲଗା ହେବାର ଘୋଷଣା କରିଛନ୍ତି ଏଲନ୍ ମସ୍କ। ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମସ୍କ। ‘ଏକ୍ସ’ ଯୋଗେ ଏନେଇ ସୂଚନା ଦେଇଛନ୍ତି ନିଜେ ଏଲନ ମସ୍କ। ସେ କହିଛନ୍ତି, ‘‘ଆମେରିକା ସରକାରରେ ଜଣେ ବିଶେଷ କର୍ମଚାରୀ ଭାବେ ମୋର ନିର୍ଦ୍ଧାରିତ ସମୟ ଶେଷ ହୋଇଛି । ଅଯଥା ଖର୍ଚ୍ଚ କମାଇବାକୁ ସୁଯୋଗ ଦେଇଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ସମୟ ସହ ଡିଓଜିଇ ବିଭାଗ ଆହୁରି ଶକ୍ତିଶାଳୀ ହେବ, କାରଣ ଏହା ସରକାରଙ୍କ ସମସ୍ତ ବିଭାଗରେ ଜୀବନଶୈଳୀ ହୋଇଯିବ।
As my scheduled time as a Special Government Employee comes to an end, I would like to thank President @realDonaldTrump for the opportunity to reduce wasteful spending.
The @DOGE mission will only strengthen over time as it becomes a way of life throughout the government.
— Elon Musk (@elonmusk) May 29, 2025
ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ ଡିଓଜିଇର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା । ମସ୍କ ଏହି ବିଭାଗର ଦାୟିତ୍ବ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିବାବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା। ତେବେ ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି। ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ବେଶ ବିବାଦୀୟ ହେଉଛି। ଏହି କାରଣରୁ ମସ୍କ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।
ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ୍ ଆରମ୍ଭରେ ଖବର ଆସିଥିଲା ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ସୃଷ୍ଟି ହୋଇଥିବା ସରକାରୀ ଦକ୍ଷତା ବିଭାଗ(ଡିଓଜିଇ)ରୁ ଏଲନ୍ ମସ୍କ ହଟିପାରନ୍ତି। ରାଷ୍ଟ୍ରପତି ଟ୍ରମ୍ପ ନିଜେ ଏହି ସଙ୍କେତ ଦେଇଥିଲେ। ସେ କହିଥିଲେ ଯେ, ଏଲନ ମସ୍କ କିଛି ମାସ ମଧ୍ୟରେ ତାଙ୍କ ପ୍ରଶାସନ ଛାଡିବେ। ଟ୍ରମ୍ପ କହିଥିଲେ, ଏଲନ ଖୁବ୍ ବୁଦ୍ଧିମାନ, କିନ୍ତୁ ତାଙ୍କ ପାଖରେ ଅନେକ କମ୍ପାନୀର ଦାୟିତ୍ୱ ରହିଛି। ମୁଁ ଚାହୁଁଛି ଯେ ସେ ଲମ୍ବା ସମୟ ପର୍ଯ୍ୟନ୍ତ ରୁହନ୍ତୁ। କିନ୍ତୁ ଏପରି ଏକ ସମୟ ଆସିବ ଯେତେବେଳେ ତାଙ୍କୁ ଏହି ପଦବୀ ଛାଡିବାକୁ ପଡିବ।



