ଲକ୍ଷ୍ନୌ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୫ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ଏଥିରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ସ୍ଥାନରେ ରହି କ୍ବାଲିଫାୟର-୧ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ଗୁଜରାଟ ଟାଇଟାନ୍ସ -ମୁମ୍ବଇ ଇଣ୍ଡିଆନ୍ସ ଏଲିମିନେଟର ମ୍ୟାଚରେ ମୁହଁାମୁହିଁ ହେବେ। ମଙ୍ଗଳବାର ଅଟଳ ବିହାରୀ ବାଜପେୟୀ ଷ୍ଟାଡ଼ିୟମ ଏକନରେ ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁୁରୁ ୬ ୱିକେଟରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ପରାସ୍ତ କରି କ୍ବାଲିଫାୟର-୧ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଅନ୍ୟପକ୍ଷରେ ଶେଷ ମ୍ୟାଚରେ ଋଷଭ ପନ୍ତଙ୍କ ଶତକ ସତ୍ତ୍ବେ ଲକ୍ଷ୍ନୌକୁ ପରାଜୟ ଭୋଗିବାକୁ ପଡ଼ିଛି। ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ପନ୍ତଙ୍କ ଶତକ ବେକାର ଯାଇଛି। ବେଙ୍ଗାଲୁରୁ ୧୪ଟି ମ୍ୟାଚରୁ ୯ଟି ବିଜୟ, ଗୋଟିଏ ବାତିଲ ଓ ୫ଟି ପରାଜୟ ସହ ୧୯ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ଲକ୍ଷ୍ନୌ ସୁପରଜିଆଣ୍ଟ ୧୪ଟି ମ୍ୟାଚରୁ ୬ଟି ବିଜୟ ଓ ୮ଟି ପରାଜୟ ସହ ୧୨ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଅଧିନାୟକ ଋଷଭ ପନ୍ତଙ୍କ ଅପରାଜିତ ୧୧୮ରନ ବଳରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ୨୨୭ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ଜିତେଶ ଶର୍ମାଙ୍କ ଅପରାଜିତ ୮୫ରନ ବଳରେ ୮ଟି ବଲ ବାକିଥାଇ ୪ ୱିକେଟରେ ୨୩୦ରନ କରି ବିଜୟୀ ହୋଇଥିଲା।
୨୨୮ରନର ବିଜୟ ଲକ୍ଷ୍ୟକୁ ବେଙ୍ଗାଲୁୁରୁର ଦୁଇ ଓପନର ବିରାଟ କୋହଲି ଓ ଫିଲ୍ ସଲ୍ଟ ଦ୍ରୁତ ଗତିରେ ରନକୁ ପିଛା କରିଥିଲେ। ଦଳ ୪ ଓଭରରୁ ୫୦ରନ ସଂଗ୍ରହ କରିଥିଲା। ୬୧ରନ ସ୍କୋର ଥିବାବେଳେ ସଲ୍ଟ ୩୦ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ବିରାଟଙ୍କ ସହ ଅଧିନାୟକ ରଜତ ପଟିଦାର ୨୯ରନ ସଂଗ୍ରହ କରିଥିଲେ। ସ୍କୋର ୯୦ରନ ଥିବାବେଳେ ପଟିଦାର ୧୪ରନ କରି ଆଉଟ୍ ହୋଇଥିଲେ। ତୃତୀୟ ୱିକେଟର ପତନ ମଧ୍ୟ ୯୦ରନରେ ଘଟିଥିଲା। ଲିୟାମ ଲିଭିଙ୍ଗଷ୍ଟୋନ ଖାତା ଖୋଲିପାରିନଥିଲେ। ଗୋଟିଏ ପଟେ ୱିକେଟ ପଡ଼ି ଚାଲିଥିବାବେଳେ ଅନ୍ୟ ପଟେ ବିରାଟ ଦୃଢତାର ସହ ବ୍ୟାଟିଂ କରି ୨୭ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଚତୁର୍ଥ ୱିକେଟ ପାଇଁ ବିରାଟ ଓ ମୟଙ୍କ ଅଗ୍ରୱାଲ ୩୩ରନ ଭାଗିଦାରୀ କରିଥିଲେ। ୧୨୩ରନ ସ୍କୋର ଥିବାବେଳେ ବିରାଟ ୫୪ରନ କରି ଆଉଟ୍ ହୋଇଥିଲେ। ପଞ୍ଚମ ୱିକେଟରେ ମୟଙ୍କ ଓ ଜିତେଶ ଶର୍ମା ବିସ୍ଫୋରକ ୪୪ଟି ବଲରୁ ଅବିଭାଜିତ ୧୦୭ରନ ଭାଗିଦାରୀ କରି ଦଳକୁ ବିଜୟୀ କରାଇିଲେ। ଜିତେଶ ୩୩ଟି ବଲରୁ ୮୫ ଓ ମୟଙ୍କ ୪୧ ରନ କରି ଅପରାଜିତ ରହିଥିଲେ। ଲକ୍ଷ୍ନୌ ପକ୍ଷରୁ ୱିଲ ଓରୌକ୍କି ୨ଟି , ଆକାଶ ସିଂହ ଓ ଆଭେଶ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ବେଙ୍ଗାଲୁରୁ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌର ଦୁଇ ଓପନର ମିଚେଲ ମାର୍ଶ ଓ ମାଥ୍ୟୁ ବ୍ରିଟଜେକ୍ ୨୫ରନ ସଂଗ୍ରହ କରିଥିଲେ। ବ୍ରିଟଜେକ୍ ୧୪ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ମାର୍ଶ ଓ ଅଧିନାୟକ ଋଷଭ ପନ୍ତ ସ୍ଥିତି ସମ୍ଭାଳିଥିଲେ। ଉଭୟେ ବିସ୍ପୋରକ ବ୍ୟାଟିଂ କରିବା ସହିତ ୭୭ଟି ବଲରୁ ୧୫୨ରନ ସଂଗ୍ରହ କରିଥିଲେ। ୧୭୭ରନ ସ୍କୋର ଥିବାବେଳେ ମାର୍ଶ ୬୭ରନ କରି ଆଉଟ୍ ହୋଇଥିଲେ। ତୃତୀୟ ୱିକେଟରେ ପନ୍ତଙ୍କ ସହ ନିକୋଲାସ ପୁରନ ୪୯ରନ ସଂଗ୍ରହ କରିଥିଲେ। ସ୍କୋର ୨୨୬ରନ ଥିବାବେଳେ ପୁରନ ୧୩ରନ କରି ଆଉଟ୍ ହୋଇଥିଲେ। ପନ୍ତଙ୍କ ୬୧ଟି ବଲରୁ ୧୧ଟି ଚୌକା ଓ ୮ଟି ଛକା ସହ ଅପରାଜିତ ୧୧୮ରନ ବଳରେ ଲକ୍ଷ୍ନୌ ୩ ୱିକେଟ ହରାଇ ୨୨୭ରନ କରିବାକୁ ସକ୍ଷମ ହୋଇଥିଲା। ଅବଦୁଲ ସାମଦ ୧ରନ କରି ଅପରାଜିତ ରହିଥିଲେ। ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ବର କୁମାର, ନୂଆନ ତୁଷାରା ଓ ରୋମାରିଓ ସୈଫର୍ଟ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।



