ନୂଆଦିଲ୍ଲୀ: ଦେଶର ନିରାପତ୍ତା ଏବଂ ଦେଶବାସୀଙ୍କୁ ସୁରକ୍ଷା ନିଶ୍ଚିତ କରିବାକୁ ୧୦ଟି ସାମରିକ ଉପଗ୍ରହ ୨୪ ଘଣ୍ଟା କାର୍ଯ୍ୟ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି। ମଣିପୁର ରାଜଧାନୀ ଇମ୍ଫାଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନାରାୟଣନ କହିଛନ୍ତି, ପାକିସ୍ତାନ ପକ୍ଷରୁ ଘନ ଘନ ଆକ୍ରମଣ ଚାଲିଥିବାବେଳେ ଭାରତର ସାମରିକ ଉପଗ୍ରହଗୁଡ଼ିକ ଭାରତୀୟ ସେନାକୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରୁଛି। ଏହି ସୂଚନା ଆଧାରରେ ଭାରତୀୟ ସେନା ପାକିସ୍ତାନର ରଣନୀତିକୁ ଭଲଭାବେ ମୁକାବିଲା କରିପାରୁଥିବା ସେ କହିଛନ୍ତି।
ଏହି ଉପଗ୍ରହଗୁଡ଼ିକ ଭାରତର ୭ ହଜାର କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଉପକୂଳ ସମେତ ଭାରତ-ପାକିସ୍ତାନ, ଭାରତ-ଚୀନ, ଭାରତ-ବାଂଲାଦେଶ, ଭାରତ-ମ୍ୟାଁମାର ସୀମା ଉପରେ ନଜର ରଖୁଛି।



