ଅମରାବତୀ(ଆନ୍ଧ୍ର ପ୍ରଦେଶ) : ଦେଶର ଅଧିକାଂଶ ରାଜନୈତିକ ଦଳ ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ୍) ଉପରେ ସେମାନଙ୍କର ପୁନଃ ଆସ୍ଥା ପ୍ରକଟ କରିଛନ୍ତି । ନିର୍ବାଚନ କମିଶନର ଅଶୋକ ଲାବାସା ଓ ଅନ୍ୟ ବରିଷ୍ଠ ଅଫିସରମାନଙ୍କ ସହ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଅମରାବତୀଠାରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି। ସେ କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେସିନନ(ଇଭିଏମ୍)ରେ ଜାଲିଆତି କରିବା ଓ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଠିକ୍ ଭାବେ କାମ ନ କରିବା ଭିନ୍ନ ବିଷୟ । ଏ ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ ଭୋଟିଂ ମେସିନରେ ଜାଲିଆତି ହୋଇଥିବାର ପ୍ରମାଣିତ ହୋଇନାହିଁ। ଭି.ଭି.ପାଟ ସ୍ଲିପ ଗୁଡ଼ିକର ଗଣତି ପାଇଁ ବିଭିନ୍ନ ରାଜନୈତିକ ଦଳର ଦାବି ଉପରେ ଶ୍ରୀ ଅରୋରା କହିଛନ୍ତି, ଭାରତୀୟ ପରିସଂଖ୍ୟାନ ସଂଗଠନ ଓ ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନର ବିଶେଷଜ୍ଞମାନେ ଭି.ଭି. ପାଟ ସ୍ଲିପ୍ ଗଣନା ସଂକ୍ରାନ୍ତ ସେମାନଙ୍କର ରିପୋର୍ଟ ଖୁବ ଶୀଘ୍ର ଦାଖଲ କରିବେ।
ଅନ୍ୟପକ୍ଷରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଟିମ୍ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ୧୪ ତାରିଖରେ କମିଶନ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କର ଅଭିଯୋଗ ଏବଂ ପ୍ରସ୍ତାବ ଗ୍ରହଣ କରିବେ । ପରେ ସମସ୍ତ ଜିଲା ନିର୍ବାଚନ ଅଧିକାରୀ, ଏସ୍ପି, ଆରଡିସି ଓ ପୁଲିସ ଆଇଜିଙ୍କ ସହ ଆଲୋଚନା କରିବେ। ଏଥିସହ ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ, ପୁଲିସ ନୋଡାଲ ଅଧିକାରୀ ଓ ଅର୍ଦ୍ଧ ସାମରିକ ଅଧିକାରୀଙ୍କ ସହ ଆଲୋଚନା କରିବେ। ୧୫ ତାରିଖରେ କମିଶନ ମୁଖ୍ୟସଚିବ, ପୁଲିସ ମହାନିର୍ଦେଶକ, ଆଇନଶୃଙ୍ଖଳା ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ଓ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।



