କେନ୍ଦୁଝରଗଡ: ଦୁର୍ଗା ପୂଜା ବୁଲାଇବାକୁ ଡାକି ନେଇ ୧୧ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ କେନ୍ଦୁଝର ଫାଷ୍ଟଟ୍ରାକ୍ ଅଦାଲତ ବୁଧବାର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ସଦର ଥାନା ଅଧୀନ ନୂଆଗାଁ ଗ୍ରାମର କୁନୁ ଓରଫ ଜଗନ୍ନାଥ ମୁଣ୍ଡା (୩୨) ୨୦୨୨ ଅକ୍ଟୋବର ୪ରେ ଜଣେ ୧୧ବର୍ଷର ନାବାଳିକାକୁ ଝୁମ୍ପୁରା ଦୁର୍ଗାପୂଜା ବୁଲାଇ ନେବା ବାହାନାରେ ରାସ୍ତାରେ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିଥିଲା। ପରଦିନ କୁନୁ ଝିଅ ଯାତ୍ରାରେ ହଜି ଯାଇଥିବା ପରିବାର ଲୋକଙ୍କୁ କହିଥିଲା। ଝିଅକୁ ବହୁ ଖୋଜାଖୋଜି କରିବା ପରେ ପରିବାର ଲୋକେ ତା’କୁ ପାଇଥିଲେ। ଏହା ପରେ କୁନୁ ଦୁଷ୍କର୍ମ କରିଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପୀଡିତାର ମା’ ଅକ୍ଟୋବର ୬ରେ ସଦର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପକ୍ଷରୁ ଅଭିଯୁକ୍ତ କୁନୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦାୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ଏଥିସହ ପୀଡିତାକୁ ଅନୁକମ୍ପାମୂଳକ ୭ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି । ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।



