www.samajalive.in
Sunday, December 7, 2025
15.1 C
Bhubaneswar

ବିଶ୍ବକପ୍ ଲାଗି ସଠିକ୍ ରାସ୍ତାରେ ଭାରତୀୟ ଦଳ

ନୂଆଦିଲ୍ଲୀ : ସୋମବାର ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ୍‌ରେ ଜିତି ୩-୦ରେ ଆଗୁଆ ରହି ସିରିଜ୍ ହାତେଇ ନେଇଛି ଭାରତୀୟ କ୍ରିକେଟ ଦଳ। ୨ଟି ମ୍ୟାଚ୍ ବାକିଥିବା ବେଳେ ସିରିଜ୍ ବିଜୟ ନିଶ୍ଚିତକରି ଭାରତ ତା’ର ପାରିଲାପଣିଆ ଦେଖାଇଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ୍ ଜିତିବା ପାଇଁ ଏକ ଦଶନ୍ଧି ଧରି ଭାରତୀୟ ଦଳର ଅପେକ୍ଷାର ଅନ୍ତଃ ଘଟିଛି। ପ୍ରଥମ ୨ଟି ଦିନିକିଆ ପରି ୩ୟ ମ୍ୟାଚ୍‌ରେ ମଧ୍ୟ ଭାରତ ପ୍ରାଧାନ୍ୟ ବିସ୍ତାରକରି ଏକତରଫା ବିଜୟ ହାସଲ କରିଛି। ଉଲ୍ଲେଖନୀୟ କଥା ହେଉଛି; ଗତ ବିଶ୍ବକପ୍ ପରଠାରୁ ଦିନିକିଆରେ ସବୁଠାରୁ ଭଲ ବିଜୟ-ପରାଜୟ ରେକର୍ଡ ହାସଲ କରିଥିବା ଦଳ ବିପକ୍ଷରେ ଭାରତ ଏହି ସିରିଜ୍ ବିଜୟ ହାସଲ କରିଛି। ପୁଣି ୨୦୧୩ ପରଠାରୁ ଘରୋଇମାଟିରେ କ୍ରମାଗତ ୩ଟି ମ୍ୟାଚ୍ ହାରିଛି ନ୍ୟୁଜିଲାଣ୍ଡ। ଏଥିରୁ ସ୍ପଷ୍ଟ ଯେ ୩ ମାସ ପରେ ହେବାକୁ ଥିବା ବିଶ୍ବକପ୍ ଲାଗି ଭାରତୀୟ ଦଳ ସଠିକ୍ ରାସ୍ତାରେ ଅଗ୍ରସର ହେଉଛି।
ଚଳିତମାସ ପ୍ରାରମ୍ଭରେ ଭାରତୀୟ ଦଳ ଘରୋଇ ଅ​‌େ​‌ଷ୍ଟ୍ରଲିଆ ବିପକ୍ଷରେ ମଧ୍ୟ ଦିନିକିଆ ସିରିଜ୍ ଜିତିଥିଲା। ସେତେବେଳେ କୁହା ଯାଇଥିଲା ଯେ ଅଷ୍ଟ୍ରେଲିଆ ଦଳରେ ପ୍ରମୁଖ ଖେଳାଳି ନାହାନ୍ତି। ୩ ପ୍ରମୁଖ ଫାଷ୍ଟବୋଲର ବିଶ୍ରାମ ନେଇଥିବା ବେଳେ ଦୁଇ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ଣ୍ଣର ବାସନ୍ଦ ହୋଇଛନ୍ତି। ତେବେ ନ୍ୟୁଜିଲାଣ୍ଡ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦିନିକିଆ ଦଳ। ଏହି ଦଳରେ ମାର୍ଟିନ୍ ଗପ୍‌ଟିଲ, କେନ୍ ୱିଲିୟମ୍‌ସନ୍ ଓ ରସ୍ ଟେଲରଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଅଛନ୍ତି। ଗତ କିଛିବର୍ଷ ହେଲା ବିଶ୍ବରେ ଶ୍ରେଷ୍ଠ ବୋଲିଂ ଆକ୍ରମଣ ବିପକ୍ଷରେ ଏ ତିନିହେଁ ରନ୍ ସ୍କୋର୍ କରିଛନ୍ତି। ତେବେ ଭାରତ ବିପକ୍ଷରେ ଘରୋଇମାଟିରେ ଏମାନଙ୍କ ଉପସ୍ଥିତି ସତ୍ତ୍ବେ ନ୍ୟୁଜିଲାଣ୍ଡ ୩ଟିଯାକ ମ୍ୟାଚ୍‌ରେ ୫୦ ଓଭର ଖେଳି ପାରିନାହିଁ କିମ୍ବା ଅଢ଼େଇ ଶହ ରନ୍ କରି ପାରିନାହିଁ। ପୁଣି ଭାରତୀୟ ଦଳରେ ଏହାର ଶ୍ରେଷ୍ଠ ବୋଲର ଯଶପ୍ରୀତ ବୁମ୍‌ରା ନାହାନ୍ତି। ତଥାପି ଅନ୍ୟ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ନିଦ ହଜାଇ ଦେଇଛନ୍ତି। ୩ଟିଯାକ ମ୍ୟାଚ୍‌ରେ ମହମ୍ମଦ ସାମି ଚମ୍ପିଆନ୍‌ଙ୍କ ପରି ବୋଲିଂ କରିଛନ୍ତି। ଫଳରେ ପ୍ରଥମ ଓ ୩ୟ ଦିନିକିଆରେ ସାମି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ଦୁଇ ଭାରତୀୟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ମିଳିତ ଭାବେ ୧୪ଟି ୱିକେଟ ନେଇଛନ୍ତି ଏବଂ ନ୍ୟୁଜିଲାଣ୍ଡ ପିଚ୍‌ରୁ ଘରୋଇ ସ୍ପିନରଙ୍କ ଅପେକ୍ଷା ଏହି ଦୁଇ ଭାରତୀୟ ସ୍ପିନର ଅଧିକ ଫାଇଦା ଉଠାଇଛନ୍ତି। ବର୍ଷ ଆରମ୍ଭରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ସିରିଜ୍‌ରେ ୫-୧ରେ ହରାଇବା ପ​‌େ​‌ର ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା। ଏବେ ନ୍ୟୁଜିଲାଣ୍ଡକୁ ହରାଇ ବିଦେଶମାଟିରେ ଭାରତ କ୍ରମାଗତ ୩ୟ ଦିନିକିଆ ସିରିଜ୍ ଜିତିଛି। ଏପରି ପ୍ରଦର୍ଶନ ପରେ ଇଂଲଣ୍ଡ ଆସନ୍ତା ମେ’ରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ବକପ୍ ପାଇଁ ଭାରତ ଅନ୍ୟତମ ଫେଭରିଟ୍ ଭାବେ ଉଭାହୋଇଛି।
ନିକଟ ଅତୀତରେ ଦିନିକିଆ କ୍ରିକେଟ୍‌ରେ ନ୍ୟୁଜିଲାଣ୍ଡର ରେକର୍ଡ ବହୁତ ଭଲ। ଘରୋଇମାଟିରେ ଏହା ଶ୍ରୀଲଙ୍କାକୁ ୩-୦ରେ ପରାସ୍ତ କରିଥିବା ବେଳେ ୩ଟିଯାକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୩୭୧, ୩୧୯ ଓ ୩୬୪ ରନ୍ ସ୍କୋର୍ କରିଥିଲା। ହେଲେ ଅଦ୍ୟାବଧି ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ୨୫୦ ଅତିକ୍ରମ କରି ପାରିନାହିଁ। ଅନ୍ୟପକ୍ଷରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଅଦ୍ୟାବଧି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦୁଇ ଓପ୍‌ନର ଶିଖର ଧାୱନ ଓ ରୋହିତ ଶର୍ମା ୨ଟି ଲେଖାଏଁ ଅର୍ଦ୍ଧଶତକ ମାରିଛନ୍ତି। ଅଧିନାୟକ ବିରାଟ କୋହଲି ପ୍ରତ୍ୟେକ ମ୍ୟାଚ୍‌ରେ ରନ୍ କରିଛନ୍ତି। କ୍ରିଜ୍‌କୁ ଓହ୍ଲାଇଥିବା ଅମ୍ବତି ରାୟୁଡୁ, ଦିନେଶ କାର୍ତ୍ତିକ, ମ​‌େ​‌ହନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ରନ୍ କରିଛନ୍ତି। ୪ ଭାରତୀୟ ବୋଲର ଭୁବନେଶ୍ବର କୁମାର, ମହମ୍ମଦ ସାମି, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ମିଳିତ ଭାବେ ୨୫ଟି ୱିକେଟ ନେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ଏହି ୩ଟି ମ୍ୟାଚ୍‌ରେ ମୋଟ ୯ଟି ୱିକେଟ ହରାଇଛି। ତେଣୁ ମୋଟ ଉପରେ ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଛି। ଆଗକୁ ଭାରତୀୟ ଦଳକୁ ଘରୋଇମାଟିରେ ଅଷ୍ଟ୍ରେଲିଆର ମୁକାବିଲା କରିବାକୁ ପଡ଼ିବ। ଏହି ସିରିଜ୍ ଜିତିବାକୁ ଭାରତ ନିଶ୍ଚିତ ଭାବେ ଫେଭରିଟ୍। ପରେ ଆଇପିଏଲ୍ ଖେଳି ଭାରତ ବିଶ୍ବକପ୍ ଖେଳିବାକୁ ଇଂଲଣ୍ଡ ଯିବ। ବର୍ତ୍ତମାନର ଫର୍ମ ବଜାୟ ରଖିଲେ ଭାରତକୁ ପରାସ୍ତ କରିବା ଅନ୍ୟ ଦଳଙ୍କ ପାଇଁ ସହଜ ହେବନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories