ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଗାମୀ ରଥଯାତ୍ରା ପାଇଁ ଆଜିଠାରୁ ରଥକାଠ ଚିହ୍ନଟ କରାଯିବ। ଏହାପୂର୍ବରୁ ବଡ଼ ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ମାଳ ମାହାର୍ଦ, ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆପାଟ, ନୀଳଚକ୍ର ବାନା, ଶ୍ରୀଫଳ ଆଦି ନେଇ ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲାର ବଡ଼ ରାଉଳ ଠାକୁରଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ମନ୍ଦିର କାର୍ଯ୍ୟାଳୟ ଅଧୀକ୍ଷକ ସୁଦର୍ଶନ ମେକପଙ୍କ ନେତୃତ୍ବରେ ଭୋଇ ସର୍ଦାର ଏବଂ ଜଣେ ଅମିନ ଯାଇଛନ୍ତି।
ମଙ୍ଗଳବାର ସକାଳ ୯ଟା ବେଳେ ମା’ ବଡ଼ ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ। ମା’ଙ୍କ ଆଶୀର୍ବାଦ ନେଇ ରଥ କାଠ ଚିହ୍ନଟ କରାଯିବ। ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାସି କାଠର ଆବଶ୍ୟକତା ରହିଛି। ଗତବର୍ଷଠାରୁ ବ୍ୟବହାର ନହୋଇ ୫୧ ଖଣ୍ଡ କାଠ ବଳକା ରହିଛି। ରଥ ନିର୍ମାଣ ପାଇଁ ଆଉ ୮୧୪ ଖଣ୍ଡ କାଠ ଯୋଗାଇବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଅନୁରୋଧ କରାଯାଇଛି। ଆଗାମୀ ବସନ୍ତ ପଞ୍ଚମୀ ତିଥିରେ ରଥ କାଠ ଅନୁକୂଳ ପୂଜା କରାଯିବ। ଶ୍ରୀରାମ ନବମୀରୁ ଖପୁରିଆ କରତ କଳରେ ରଥ କାଠ ଚିରଟ ଅନୁକୂଳ କରାଯିବ। ଆଗାମୀ ରଥଯାତ୍ରା ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀ ମେକାପ କହିଛନ୍ତି।
ରଥଯାତ୍ରା ପାଇଁ ଆଜିଠୁ ଚିହ୍ନଟ ହେବ ରଥ କାଠ
Popular Categories


