କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ : ବୁଧବାର ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ମୁମ୍ବଇ : ମହାରାଷ୍ଟ୍ରର ନୂଆ ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଅନିଶ୍ଚିତତା ଜାରି ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରାଯିବାକୁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଏହା ସମ୍ଭବ ହୋଇପାରି ନାହିଁ। ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସହିତ ସରକାର ଗଠନ ପ୍ରକିୟା ସମ୍ପର୍କରେ ଆଲୋଚନା ପାଇଁ ମହାୟୁତି ବା ଏନଡିଏ ବୈଠକ ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ଏହା ବାତିଲ ହୋଇଥିଲା। କାରଣ ଶିବସେନା ମୁଖ୍ୟ ତଥା କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥତା ପାଇଁ ବୈଠକରେ ଯୋଗଦେଇ ପାରି ନଥିଲେ। ବୈଠକ ବାତିଲ ଯୋଗୁଁ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହୋଇପାରି ନାହିଁ। ମଙ୍ଗଳବାର ମହାୟୁତି ନେତାଙ୍କ ବୈଠକ ହେବାକୁ ପୁନଃ ଦିନ ଧାର୍ଯ୍ୟ ହୋଇଛି। ମାତ୍ର ଏହି ବୈଠକର କାର୍ଯ୍ୟସୂଚୀକୁ ଶିବସେନା ଖଣ୍ଡନ କରିଛି। ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପାଇଁ ଡିସେମ୍ବର ୪ ତାରିଖକୁ ପୁନଃ ଦିନ ଧାର୍ଯ୍ୟ ହୋଇଛି। ଏହିଦିନ ପୂର୍ବାହ୍ଣରେ ବିଜେପି ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରାଯିବ ବୋଲି କୁହାଯାଇଛି। ଡିସେମ୍ବର ୫ରେ ନୂଆ ସରକାର ଶପଥ ଗ୍ରହଣ କରିବାକୁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସରକାର ଗଠନ ସମ୍ପର୍କିତ ଆଲୋଚନା ଲାଗି ବୈଠକରୁ ଏକନାଥ ବାରମ୍ବାର ଦୂରେଇ ରହୁଥିବାବେଳେ ମେଣ୍ଟ ସରକାର ତାଙ୍କର ସମ୍ପୃକ୍ତି ନେଇ ସନ୍ଦେହ ପ୍ରକାଶ ପାଇଛି। ଏପରିସ୍ଥିତିରେ ମେଣ୍ଟର ଅନ୍ୟତମ ସହଯୋଗୀ ଏନସିପି ମୁଖ୍ୟ ଅଜିତ୍‌ ପୱାର ସୋମବାର ରାତିରେ ଦିଲ୍ଲୀଗସ୍ତ କରିଛନ୍ତି। ଏପରିସ୍ଥିତିରେ ଶିବସେନାକୁ ବାଦ୍‌ ଦେଇ ବିଜେପି କେବଳ ଏନ୍‌ସିପିର ସମର୍ଥନରେ ସରକାର ଗଠନ କରିପାରେ। କାରଣ ଏହା ପୂର୍ବରୁ ନଭେମ୍ବର ୨୯ରେ ମହାୟୁତି ମେଣ୍ଟ ନେତାଙ୍କ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଏକନାଥ ସିନ୍ଦେ ଅଚାନକ ନିଜ ପୈତୃକ ଗ୍ରାମକୁ ପଳାଇଯାଇଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ। ରବିବାର ସେ ମୁମ୍ବଇ ଫେରିଥିଲେ ମାତ୍ର ସରକାରୀ ବାସଭବନକୁ ଆସି ନଥିଲେ। ଏବେ ପୁନର୍ବାର ଅସୁସ୍ଥତା କାରଣ ଦର୍ଶାଇ ସିନ୍ଦେ ମହାୟୁତି ବୈଠକକୁ ଆସିନାହାନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ନେଇଥିବା ନିଷ୍ପତ୍ତିକୁ ନିଃସର୍ତ୍ତ ସମର୍ଥନ ଦେଇଥିବା ସିନ୍ଦେ କହୁଥିବାବେଳେ ବୈଠକକୁ ବାରମ୍ବାର ଏଡାଇବା ପରିସ୍ଥିତିକୁ ଜଟିଳ କରୁଛି। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଡିସେମ୍ବର ୪ରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଧାୟକମାନେ ସେମାନଙ୍କ ନେତା ନିର୍ବାଚନ କରିବେ। ବିଜେପି ବିଧାୟକ ଦଳ ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବାକୁ ସ୍ଥିର ହୋଇଛି। ସେଥିପାଇଁ ଶିବସେନାରୁ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଛି। ମାତ୍ର ଏପରି ଚର୍ଚ୍ଚାକୁ ଶ୍ରୀକାନ୍ତ ଖଣ୍ଡନ କରିଛନ୍ତି। ସୋମବାର ଶ୍ରୀକାନ୍ତ କହିଛନ୍ତି ଯେ ସେ ମହାରାଷ୍ଟ୍ର ସରକାରରେ କୌଣସି ମନ୍ତ୍ରୀ​‌ ହେବାର ନାହିଁ। ତାଙ୍କୁ ନେଇ ଯେଉଁ ସବୁ ଆଲୋଚନା ହେଉଛି ତାହା କେବଳ ଗଣମାଧ୍ୟମର ଆନୁମାନିକ ବିଷୟ। ଶ୍ରୀକାନ୍ତ କହିଛନ୍ତି ​‌ଯେ ଲୋକସଭା ନିର୍ବାଚନରେ ଏନଡିଏର ବିଜୟ ପରେ ତାଙ୍କୁ କେନ୍ଦ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ସୁଯୋଗ ଦିଆଯାଇଥିଲା। ମାତ୍ର ସେ ଏହାକୁ ଅଗ୍ରାହ୍ୟ କରିଥିଲେ। ମୋର ପଦ ଓ କ୍ଷମତା ପାଇଁ କୌଣସି ମୋହ ନାହିଁ। ମୁଁ ମୋର ନିର୍ବାଚନମଣ୍ଡଳୀ ଓ ଦଳ ପାଇଁ କାମ କରିବାକୁ ଚାହେଁ। ନଭେମ୍ବର ୨୩ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ଘୋଷଣା ହୋଇଥିଲା। ଫଳ ଘୋଷଣାକୁ ଇତି ମଧ୍ୟରେ ୧୦ଦିନ ବିତିଯାଇଛି। ନିର୍ବାଚନ ଫଳ ଅନୁଯାୟୀ ବିଧାନସଭାର ୨୮୮ଟି ଆସନରୁ ବିଜେପି ଏକାକୀ ୧୩୨ଟି ଆସନରେ ବିଜୟୀ ହୋଇଛି। ବିଜେପିର ସହଯୋଗୀ ଶିବସେନା ୫୭ ଓ ଏନସିପି ୪୧ଟି ଆସନରେ ବିଜୟୀ ହୋଇଛନ୍ତି।

kalyan agarbati

Comments are closed.