ନୂଆଦିଲ୍ଲୀ: ଆମେରିକାର ନିୟାମକ ସଂସ୍ଥା ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିସନ (ଏସ୍ଇସି) ଅଭିଯୋଗ କରିଛି ଯେ, ଗୌତମ ଅଦାନୀ ଆନ୍ଧ୍ରପ୍ରଦେଶ ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଅଫ୍ ଇଣ୍ଡିଆ (ଏସ୍ଇସିଆଇ) ସହ ସୌର ଶକ୍ତି ଆବଣ୍ଟନ ନେଇ ଚୁକ୍ତି କରିବା ପାଇଁ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀଙ୍କୁ ୧,୭୫୦ କୋଟି ଟଙ୍କା ଲାଞ୍ଚ ଦେଇଥିଲେ। ତେବେ ଆନ୍ଧ୍ରପ୍ରଦେଶ ସରକାର ଏହି ଚୁକ୍ତିନାମା ନିମନ୍ତେ ଅରାଜି ଥିଲେ। ତେଣୁ ସରକାରଙ୍କୁ ମନାଇବା ପାଇଁ ଅଦାନୀ ୨୦୨୧ ଅଗଷ୍ଟରେ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ଭେଟିଥିଲେ। ଏହି ବୈଠକରେ ଚୁକ୍ତିନାମା କରିବା ପାଇଁ ‘ପ୍ରୋତ୍ସାହନ’ ଉପରେ ଆଲୋଚନା କରାଯାଇଥିଲା। ତେବେ ଜଗନଙ୍କ ଦଳ ଏହା ଉପରେ ପ୍ରତିକ୍ରିୟା ରଖି କହିଛି ଯେ, ଅଦାନୀ ଶିଳ୍ପ ଗୋଷ୍ଠୀ ସହ ସରକାର କୌଣସି ପ୍ରତ୍ୟକ୍ଷ ଚୁକ୍ତି କରି ନ ଥିଲେ।
ଏସ୍ଇସି କରିଥିବା ଅଭିଯୋଗରେ ଉଲ୍ଲେଖ କରିଛି ଯେ, ଜଗନ ରେଡ୍ଡି ଓ ଗୌତମ ଅଦାନୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ କିମ୍ବା ବୈଠକରେ ପରେ ଅଦାନୀ ଏସ୍ଇସିଆଇ ସହ ବିଦ୍ୟୁତ୍ ଆବଣ୍ଟନ ରାଜିନାମା କରିବା ପାଇଁ ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ ଅବା ଲାଞ୍ଚ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଲାଞ୍ଚ ପରିମାଣ ନେଇ କୌଣସି ଉଲ୍ଲେଖ ହୋଇନାହିଁ। ଅନ୍ୟପକ୍ଷରେ ଆମେରିକା ନ୍ୟାୟ ବିଭାଗର ଅଭିଯୋଗରେ ଅଦାନୀ ଆନ୍ଧ୍ର ପ୍ରଦେଶର ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀଙ୍କୁ ୧,୭୫୦ କୋଟି ଟଙ୍କା ଦେଇଥିବା ଉଲ୍ଲେଖ ରହିଛି ଏବଂ ଉକ୍ତ ଅଧିକାରୀଙ୍କ କୋର୍ଡ ନାମ ‘ଫରେନ ଅଫିସିଆଲ ଅ୧’ ରହିଛି। ଜଗନ ରେଡ୍ଡିଙ୍କ ସହ
ଉକ୍ତ ବୈଠକର ଗୋଟିଏ ଦିନ ପରେ ଆନ୍ଧ୍ର ପ୍ରଦେଶ ସରକାର ଏସ୍ଇସିଆଇଠାରୁ ୭ ଗିଗାୱାଟ ସୌର ଶକ୍ତି କିଣିବା ପାଇଁ ରାଜି ହୋଇଥିଲେ। ୨୫ ବର୍ଷ ପାଇଁ କିଲୋୱାଟ ପ୍ରତି ୨.୪୯ ଟଙ୍କା ହିସାବରେ ୭ ଗିଗାୱାଟ ବିଦ୍ୟୁତ୍ ଯୋଗାଣ ପାଇଁ ୨୦୨୧ ଡିସେମ୍ବର ୧ରେ ଚୁକ୍ତି ହୋଇଥିଲା। ସେହି ସମୟରେ ଦେଶରେ କୌଣସି ରାଜ୍ୟ ଏତେ ପରିମାଣର ସୌର ଶକ୍ତି କିଣିବା ପ୍ରଥମ ଘଟଣା ଥିଲା। ତେଣୁ ଉକ୍ତ ଲାଞ୍ଚ ପ୍ରଦାନ ଅବା ପ୍ରତିଶ୍ରୁତି କାମ କରିଥିବା ଆମେରିବା ନିୟାମକଙ୍କ ପକ୍ଷରୁ କୁହାଯାଇଛି। ତେବେ ୨୦୧୯ରୁ ୨୦୨୪ ପର୍ୟ୍ୟନ୍ତ ସରକାରରେ ଥିବା ଜଗନ ମୋହନ ରେଡ୍ଡିଙ୍କ ଦଳ ଏହା ଉପରେ ପ୍ରତିକ୍ରିୟା ରଖି କହିଛି ଯେ, ଅଦାନୀ ଶିଳ୍ପ ଗୋଷ୍ଠୀ ସହ ସରକାର କୌଣସି ପ୍ରତ୍ୟକ୍ଷ ଚୁକ୍ତି କରି ନ ଥିଲେ। ୨୦୨୧ରେ ଅଦାନୀ ଶିଳ୍ପ ଗ୍ରିନ୍ ଏନର୍ଜୀ ଓ ଏସ୍ଇସିଆଇ ମଧ୍ୟରେ ଚୁକ୍ତିନାମା ହୋଇଥିଲା। ଜଗନ ରେଡ୍ଡିଙ୍କ ସରକାରଙ୍କ ଉପରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ଜଗନ ରେଡ୍ଡିଙ୍କ ଦଳ ୱାଏସ୍ଆର କଂଗ୍ରେସ ପକ୍ଷରୁ କୁହାଯାଇଛି। ତେବେ ବର୍ତ୍ତମାନର ସରକାର ତେଲୁଗୁ ଦେଶମ ପାର୍ଟି ଏହି ଅଭିଯୋଗ ଉପରେ କୌଣସି ମତାମତ ଦେବାକୁ ମନା କରିଛି।
ସୂଚନାଯୋଗ୍ୟ, ଗତ ମାସରେ ଗୌତମ ଅଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଉପରେ ଆମେରିକା ଅଦାଲତରେ ଗିରଫ ପରୱାନା ଜାରି ହୋଇ ବିଦେଶୀ ଆଇନ ପ୍ରବର୍ତ୍ତନ ଏଜେନ୍ସିକୁ କାଗଜପତ୍ର ଦିଆଯାଇଥିଲା। ଅକ୍ଟୋବର ୩୧ରେ ଆମେରିକା ଅଦାଲତର ଜଜ୍ ରବର୍ଟ ଏମ୍. ଲେଭି ଗିରଫ ପରୱାନା ଜାରି କରିଥିଲେ। ତେବେ ଗିରଫ ପରୱାନା ଜାରି ଅର୍ଥ ଏହା ନୁହେଁ ଯେ, ଗୌତମ ଅଦାନୀଙ୍କୁ ଗିରଫ କରାଯିବ ଓ ଏହି ନିର୍ଦେଶ ଭାରତରେ ଲାଗୁ ହେବ।



