ଡେସ୍କ: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦଘାଟନ କରିଛନ୍ତି। ଏଥିରେ “ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହ ଖାଦ୍ୟ ନିରାପତ୍ତା ତଥା ଚିରନ୍ତନ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିମ କାଳରୁ, ପୁଷ୍ଟିଶସ୍ୟ ଓ ଏହାର ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ କୃଷି ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଭାରତୀୟ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମିଲେଟ୍ ବା ପୁଷ୍ଟିଶସ୍ୟକୁ “ଶ୍ରୀ ଅନ୍ନ” ନାମରେ ପୁନଃନାମିତ କରିଛନ୍ତି। ପୁନପ୍ରଚଳିତ କୃଷି ପ୍ରଣାଳୀ ମାଧ୍ୟମରେ ବିସ୍ମୃତ ଖାଦ୍ୟ ଓ ଶସ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ପୋଷକତତ୍ତ୍ଵରେ ଭରପୁର ଏହି ଫସଲ କେବଳ ଆମ ଖାଦ୍ୟ ସଂସ୍କୃତିକୁ ସଂରକ୍ଷିତ କରି ରଖିବାରେ ନୁହେଁ, ବରଂ ଆମ ଚାଷୀ ଭାଇଭଉଣୀଙ୍କ ରୋଜଗାର ବୃଦ୍ଧି ଓ ସ୍ଵାସ୍ଥ୍ୟ ଉପକାରିତାରେ ଏହା ସହାୟକ ହୋଇପାରିବ। ଆମେ ସମସ୍ତେ ମିଳିମିଶି ଚିରନ୍ତନ କୃଷି ପଦ୍ଧତି, ଜଳବାୟୁ ସହନଶୀଳ ଖାଦ୍ୟ ପ୍ରଣାଳୀ ଏବଂ ଆମ ଖାଦ୍ୟ ଐତିହ୍ୟକୁ ଆହୁରି ସମୃଦ୍ଧ ଓ ପ୍ରଚାର ପ୍ରସାର କରିବାରେ ସଫଳ ହୋଇପାରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଶା ବ୍ୟକ୍ତ କରିଛନ୍ତି।
ସମ୍ମିଳନୀରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଦେଇ କହିଛନ୍ତି ଯେ ଆଜି ଆମେ ସମସ୍ତେ ଭବିଷ୍ୟତ ପାଇଁ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟର ପୁନଃରୁଦ୍ଧାର ଦିଗରେ ଆଲୋଚନା କରୁଛେ, ଯାହା ଆମ ଖାଦ୍ୟ ପ୍ରଣାଳୀକୁ ବଜାୟ ରଖିବାରେ ସହାୟକ ହୋଇଛି। ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପ ‘ଓଡ଼ିଶା ଶ୍ରୀ ଅନ୍ନ ଅଭିଯାନ’କୁ ବ୍ୟାପକ କରିବା ଦିଗରେ ସହାୟକ ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଆମ ସରକାର ଶ୍ରୀ ଅନ୍ନ ଚାଷ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀଙ୍କ ଆୟ, ଖାଦ୍ୟ ଏବଂ ପୁଷ୍ଟି ନିରାପତ୍ତା ବୃଦ୍ଧି ନିମନ୍ତେ ସମସ୍ତ ସହଯୋଗ ଯୋଗାଇଦେବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଉଦଘାଟନୀ ସମାରୋହରେ ଅନ୍ୟତମ ଅତିଥିଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ନୀତି ଆୟୋଗର ସଦସ୍ୟ ଡ଼. ରମେଶ ଚାନ୍ଦ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼. ଅରଂବିନ୍ଦ କୁମାର ପାଢୀ, ଏମ୍ ଏସ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଅଧ୍ୟକ୍ଷା ଡ଼.ସୌମ୍ୟା ସ୍ଵାମୀନାଥନ୍ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୧୦ଟି ଷ୍ଟଲରେ ବିଲୁପ୍ତପ୍ରାୟ ଖାଦ୍ୟଶସ୍ୟ, ବିଭିନ୍ନ କିସମର ପୁଷ୍ଟିଶସ୍ୟ, ଡ଼ାଲି, ବିହନ, ଶାଗ ଓ କୃଷି ଉପକରଣ ଆଦି ପ୍ରଦର୍ଶିତ ହୋଇଥିଲା, ଯାହାଦ୍ଵାରା ଅଂଶଗ୍ରହଣକାରୀମାନେ ପାରମ୍ପରିକ ଓ ଅଭିନବ କୃଷି ପ୍ରଣାଳୀ ସମ୍ବନ୍ଧରେ ଅବଗତ ହୋଇଛନ୍ତି।



