Patra electronics

ଏକକାଳୀନ ନିର୍ବାଚନ ଅସମ୍ଭବ: ବିରୋଧୀ

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ବିପୁଳ ସମର୍ଥନ ମିଳୁଥିବା ଏବଂ ମୋଟ ୩୨ଟି ରାଜନୈତିକ ଦଳ ଏହାର ସପକ୍ଷରେ ଥିବାବେଳେ ମାତ୍ର ୧୫ଟି ଦଳ ବିରୋଧ କରୁଥିବା କେନ୍ଦ୍ର ସରକାର ଦାବି କରିଛନ୍ତି। କୋବିନ୍ଦ ପ୍ୟାନେଲ ମୋଟ ୬୨ଟି ରାଜନୈତିକ ଦଳଠାରୁ ମତାମତ ଲୋଡ଼ିଥିଲେ। ସେଥିରୁ ୪୭ଟି ଦଳ ନିଜର ମତ ରଖିଥିବାବେଳେ ୩୨ଟି ସମର୍ଥନ କରିଥିଲେ। ଜାତୀୟ ଦଳ ମଧ୍ୟରେ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି, ସିପିଆଇଏମ୍‌ ଓ ବହୁଜନ ସମାଜ ପାର୍ଟି ଆଦି ବିରୋଧ କରୁଥିବା ରିପୋର୍ଟରେ ଦର୍ଶାଯାଇଥିଲାଟ୍ଟ କିନ୍ତୁ ବହୁଜନ ସମାଜ ପାର୍ଟି ଏବେ ଏକପ୍ରକାର ସମର୍ଥନ କରିଛି। ଅପରପକ୍ଷରେ ବିଜେପି ସହିତ ନ୍ୟାସନାଲ ପିପୁଲ୍ସ ପାର୍ଟି ସପକ୍ଷରେ ମତ ଦେଇଥିଲା।
ବୁଧବାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ବିରୋଧୀ ଦଳଗୁଡ଼ିକ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଏକକାଳୀନ ନିର୍ବାଚନ ସଙ୍ଘୀୟ ବ୍ୟବସ୍ଥାର ପରିପନ୍ଥୀ ଏବଂ ସମ୍ବିଧାନର ମୌଳିକତାକୁ କ୍ଷୁଣ୍ଣ କରିବା ସହ ଗଣତନ୍ତ୍ରକୁ ଦୁର୍ବଳ କରିବ ବୋଲି ସେମାନେ ଦର୍ଶାଇଛନ୍ତି। ଦେଶରେ ଏକକାଳୀନ ନିର୍ବାଚନ ଅସମ୍ଭବ ବୋଲି ମତ ଦେଇଛି କଂଗ୍ରେସ। ବହୁଜନ ସମାଜ ପାର୍ଟି ବିରାଟ ଦେଶ ଓ ବିପୁଳ ଜନସଂଖ୍ୟା ଦୃଷ୍ଟିରୁ ଏହାର କାର‌୍ୟ୍ୟକାରିତା ନେଇ ସନ୍ଦେହ ବ୍ୟକ୍ତ କରିଛି। ସମାଜବାଦୀ ପାର୍ଟି କହିଛି ଯେ ଏହା ଆଞ୍ଚଳିକ ଦଳଗୁଡ଼ିକୁ ଦୁର୍ବଳ କରିବା ପାଇଁ ଅଭିପ୍ରେତ। ଜାତୀୟ ଦଳ ସହ ରାଜ୍ୟସ୍ତରୀୟ ଦଳଗୁଡ଼ିକ ରଣନୀତି ଓ ଆର୍ଥିକ ଦୃଷ୍ଟିରୁ ପ୍ରତିଯୋଗିତା କରିପାରିବେ ନାହିଁଟ୍ଟ ତେଣୁ ଏହାକୁ ବିରୋଧ କରାଯିବା ଆବଶ୍ୟକ। ତୃଣମୂଳ କଂଗ୍ରେସ, ଏଆଇଏମ୍‌ଆଇଏମ୍‌, ସିପିଆଇ, ସିପିଏମ୍‌, ଡିଏମ୍‌କେ, ନାଗା ପିପୁଲ୍ସ ଫ୍ରଣ୍ଟ, ଏଆଇୟୁଡିଏଫ୍‌ ଆଦି ବିରୋଧ କରିଥିବାବେଳେ ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି। ଭାରତ ରାଷ୍ଟ୍ର ସମିତି, ଜାମ୍ମୁ-କାଶ୍ମୀର ନ୍ୟସନାଲ କନ୍‌ଫରେନ୍ସ, ଜନତା ଦଳ(ଏସ୍‌), ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଏନ୍‌ସିପି, ଆରଜେଡି, ତେଲୁଗୁ ଦେଶମ୍‌ ପାର୍ଟି, ୱାଇଏସ୍‌ଆର କଂଗ୍ରେସ ପାର୍ଟି, ଇଣ୍ଡିଆନ୍‌ ମୁସ୍‌ଲିମ୍‌ ଲିଗ୍‌ ଆଦି ମତ ରଖିନଥିଲେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ କ’ଣ ଆଭିମୁଖ୍ୟ ରଖିବେ ତାହା ଅସ୍ପଷ୍ଟ। ଆଉ କିଛି ଦଳଙ୍କ ଭୂମିକା ମଧ୍ୟ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଯେ ୨୦୧୯ରେ ଅନୁଷ୍ଠିତ ଏ ସଂକ୍ରାନ୍ତ ସର୍ବଦଳୀୟ ବୈଠକରେ ୧୯ଟି ଦଳ ଯୋଗ ଦେଇଥିଲେ ଏବଂ ସେଥିମଧ୍ୟରୁ ୧୬ଟି ଦଳ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଅଧିକାଂଶ ଦଳ ପ୍ରସ୍ତାବକୁ ବିରୋଧ ପୂର୍ବକ ବୈଠକକୁ ବର୍ଜନ କରିଥିଲେ। ବିଜେପି, ବିଜେଡି, ତତ୍କାଳୀନ ଏନ୍‌ସିପି, ଜେଡି(ୟୁ), ୱାଇଏସ୍‌ଆର କଂଗ୍ରେସ, ଭାରତ ରାଷ୍ଟ୍ର ସମିତି, ଲୋକ ଜନଶକ୍ତି ପାର୍ଟି, ଶିରୋମଣି ଅକାଳୀ ଦଳ, ଆପ୍‌ନା ଦଳ ଆଦି ସମର୍ଥନ କରିଥିବା ୧୬ ଦଳ ଥିଲେ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଏକକାଳୀନ ନିର୍ବାଚନ ବାସ୍ତବବାଦୀ ଚିନ୍ତାଧାରା ନୁହେଁ। ଏହାକୁ କାର‌୍ୟ୍ୟକାରୀ କରିବା ଅସମ୍ଭବ ମନେହୁଏ। ଶାସକ ଦଳ ବିଜେପି ନିର୍ବାଚନ ସମୟ ଉପନୀତ ହେଲେ ଦେଶର ପ୍ରକୃତ ସମସ୍ୟାଠାରୁ ଲୋକଙ୍କ ଦୃଷ୍ଟି ହଟାଇନେବା ପାଇଁ ଏଭଳି ପଦକ୍ଷେପ ନିଅନ୍ତି। ତୃଣମୂଳ କଂଗ୍ରେସ ନେତା ଡେରିକ୍‌ ଓ’ପ୍ରିଏନ୍‌ ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ବିଜେପିର ଶସ୍ତା ରାଜନୈତିକ ଦୁଃସାହସିକ କ୍ରୀଡ଼ା (ଷ୍ଟଣ୍ଟ) ଭାବେ ବର୍ଣ୍ଣନା କରିଛନ୍ତି। ସରକାର ଯଦି ଏକକାଳୀନ ନିର୍ବାଚନ ଚାହାଁନ୍ତିଟ୍ଟ ତେବେ ହରିୟାଣା ଓ ଜାମ୍ମୁ-କାଶ୍ମୀର ନିର୍ବାଚନ ସହିତ କାହିଁକି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ କରାଗଲା ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ସେ ମୋଦୀ-ଶାହା ଜୁମ୍‌ଲା ବୋଲି କହିଛନ୍ତି। ଶିବସେନା (ଉଦ୍ଧବ) ସମାନ ମତବ୍ୟକ୍ତ କରିଛି। ଅପରପକ୍ଷରେ ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା, ଆପ୍‌ନା ଦଳ, ଜେଡି(ୟୁ) ଆଦି ଏନ୍‌ଡିଏ ଅଂଶୀଦାର ଦଳ ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି ଯେ ଏକକାଳୀନ ନିର୍ବାଚନ ଦ୍ବାରା ବିପୁଳ ଖର୍ଚ୍ଚକୁ ରୋକାଯାଇପାରିବ ଏବଂ ଜାତୀୟ ଏକତାକୁ ଦୃଢ଼ କରିବଟ୍ଟ କିନ୍ତୁ ବିରୋଧୀଙ୍କ ମତ ହେଉଛି, ଏହା ସଂଘୀୟ ଢ଼ାଞ୍ଚା ଉପରେ ଗୁରୁତର ପ୍ରଭାବ ପକାଇବ। ସମ୍ବିଧାନ ସଂଶୋଧନ ଦ୍ବାରା ଏହାର ମୌଳିକତା ନଷ୍ଟ ହେବ। ସୁରକ୍ଷାକର୍ମୀ, ନିର୍ବାଚନ କର୍ମଚାରୀ ଓ ପରିବହନ ବ୍ୟବସ୍ଥା ଦୃଷ୍ଟିରୁ ମଣିପୁର ଭଳି ଉତ୍ତର-ପୂର୍ବାଞ୍ଚଳରେ ଏକକାଳୀନ ନିର୍ବାଚନ ପରିଚାଳନା କଷ୍ଟକର ହେବ ବୋଲି କଂଗ୍ରେସ ଦର୍ଶାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ନିଜ ହାତରେ କ୍ଷମତା କେନ୍ଦ୍ରୀଭୂତ କରିବା ପାଇଁ ଯୋଜନା ଚଳାଇଛନ୍ତି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ସଂସଦୀୟ ଗଣତନ୍ତ୍ରରେ ଏହାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଇଛନ୍ତି। ଉକ୍ତ ପ୍ରସ୍ତାବ ପଛରେ ବିଜେପିର ଗୁପ୍ତ ଯୋଜନା ରହିଛି ଏବଂ ଏହାଦ୍ବାରା ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ କହିଛନ୍ତି।

Comments are closed.