ସମାଜ ଡିଜିଟାଲ ଡେସ୍କ: ଥାନା ଭିତରେ ମହିଳା ଏସଆଇଙ୍କୁ କାମୁଡ଼ିଲେ ଜଣେ ମେଜରଙ୍କ ବାନ୍ଧବୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ। ଥାନା ଭିତରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ। ରାସ୍ତାରେ ସେମାନଙ୍କୁ କେହି ଦୁର୍ବ୍ୟବହାର କରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ପକ୍ଷରୁ ତାଙ୍କୁ ଲିଖିତ ଆକାରରେ ଅଭିଯୋଗ ଦେବାକୁ କୁହାଯାଇଥିଲା। ବାସ୍ ଏତିକିରେ ଉତ୍କ୍ଷିପ୍ତ ହୋଇ ଥାନାରେ ହଙ୍ଗାମା କରିଥିଲେ ଉଭୟେ ମେଜର ଏବଂ ତାଙ୍କ ବାନ୍ଧବୀ। ସେମାନେ ଥାନାରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏପରି କି ଜଣେ ମହିଳା ଏସଆଇଙ୍କୁ ମେଜରଙ୍କ ବାନ୍ଧବୀ କାମୁଡ଼ି ଦେଇଥିବା ଜଣାପଡ଼ିଛି। ସେମାନଙ୍କ ଆକ୍ରମଣରେ ଦୁଇ ଜଣ ପୁରୁଷ ଏବଂ ୨ ଜଣ ମହିଳା କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଉକ୍ତ ମେଜର ଏବଂ ତାଙ୍କ ବାନ୍ଧବୀ ନିଶାସକ୍ତ ଅବସ୍ଥାରେ ଥିବା ଏବଂ ସେମାନଙ୍କ କାରରୁ ମଦ ବୋତଲ ମିଳିଥିବା ସୂଚନା ମିଳିଛି।
ଏହି ମେଜରଙ୍କ ଘର ଦିଲ୍ଲୀ। ସେ କଲକାତାରେ କାର୍ଯ୍ୟ କରୁଥିବାବେଳେ ଭରତପୁର ଅଞ୍ଚଳରେ ରହୁଛନ୍ତି।



