ନନ୍ଦପୁର: ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ଉମ୍ବେଲ୍ ପଞ୍ଚାୟତ ମେଡ଼ିପୁଟ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି। ଦୁଇଦିନରେ ଗ୍ରାମରୁ ୬ ଜଣଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୪ ଜଣଙ୍କୁ ବନମାଳିପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ହେଲା ଝାଡ଼ାବାନ୍ତିରେ ୮ରୁ ୧୦ ପରିବାର ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ।
ଲଗାଣ ବର୍ଷା ଯୋଗୁଁ ଶୁଦ୍ଧ ପାନୀୟ ଜଳର ଅଭାବ ଏହି ଗାଁରେ ଦେଖା ଦେଇଛି। ଦୂଷିତ ପାଣି ବ୍ୟବହାର କରି ଲୋକେ ଝାଡ଼ାବାନ୍ତିର ଶିକାର ହୋଇଥିବା ଉମ୍ବେଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳଭଦ୍ର ପୁକିଆ କହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ମଙ୍ଗୁ ଜାନି, ଚନ୍ଦ୍ରମା ଜାନି, ଶିବ ଜାନିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତକାଲି ରାତିରେ ୨ ଜଣ ଓ ରବିବାର ସକାଳେ ଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨ଜଣ ମୋତି ଗୁଣ୍ଠା, ଲଛମା ଜାନି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ରବିବାର ରାତିରେ ଆଉ ରୋଗୀ ଜଣେ ମୁକ୍ତା ଜାନିଙ୍କୁ ୧୦୮ ରୋଗୀବୁହା ଯାନ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି।
ମେଡ଼ିପୁଟ ଗ୍ରାମ ନିକଟସ୍ଥ ବନମାଳୀପୁଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଦୁଇ ଦିନରେ ଜଣେ ଶିଶୁ ଏବଂ ୨ ମହିଳା ଓ ଜଣେ ପୁରୁଷଙ୍କୁ ଚିକିତ୍ସା କରାଯାଇଥିବା ଡାକ୍ତର ଅବିନାଶ ପାଲ ସୂଚନା ଦେଇଛନ୍ତି। ୪ ଜଣଙ୍କ ସମେତ ନନ୍ଦପୁର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ତିନିଜଣଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ଡାକ୍ତର କହିଛନ୍ତି। ସୂଚନା ଥାଉକି, ଲମତାପୁଟ ବ୍ଲକ ପ୍ରଶାସନ ଦ୍ବାରା ଉକ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇ କୋଟି କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ ଓ ପରିମଳ ବ୍ୟବସ୍ଥାରେ ସୁଧାର ନିମନ୍ତେ କାର୍ଯ୍ୟ କରାଯାଇଥିଲା। ଯେଉଁଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ୩୦୦ ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବା ମେଡ଼ିପୁଟରେ ଝାଡ଼ାବାନ୍ତି ସ୍ଥିତି ଗମ୍ଭୀର ହେବା ଆଗରୁ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରଦର୍ଶନ ସହ ଚିକିତ୍ସା ଓ ବିଶୋଧନ କରିବା ବ୍ୟବସ୍ଥା କରାଯାଉ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।



