ଭକ୍ତ ଦାସିଆ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀ ବେଶ

ଦାସିଆ ପୀଠରେ ମୁଖ୍ୟ ଆକର୍ଷଣ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗ

ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଘୋଷଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ତୁଳସୀ ବେଶ କରାଯାଇଥିଲା । ଏହି ଅବସରରେ ରବିବାର ସକାଳେ ଠାକୁରଙ୍କ ମଙ୍ଗଳ ଆଳତୀ, ସ୍ୱତନ୍ତ୍ର ବେଶ, ବାଳ ଭୋଗ ସହିତ ପାଶ୍ୱର୍ ଦେବାଦେବୀଙ୍କ ନୀତିକାନ୍ତି ମନ୍ଦିରର ମୁଖ୍ୟପୂଜକ ଲିଙ୍ଗରାଜ ପଣ୍ଡା, ସହାୟକ ପୂଜକ ପ୍ରସନ୍ନ କୁମାର ପଣ୍ଡା, ପ୍ରହଲ୍ଲାଦ ମିଶ୍ରଙ୍କ ଦ୍ୱାରା ସମାପିତ ହୋଇଥିଲା ।

ପୂର୍ବାହ୍ନ ସାଢେ ୧୧ଟାରେ ସଂକୀର୍ତ୍ତନ, ଘଣ୍ଟ, ଘଣ୍ଟା, କାହାଳୀ ଓ ହରିବୋଲ, ହୁଳହୁଳି ଧ୍ୱନୀରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପହଣ୍ଡି ସଂପନ୍ନ ହୋଇଥିଲା । ଏହି ଅବସରରେ ପୀଠସ୍ଥ ଭକ୍ତ ଦାସିଆ ତୁଳସୀ ଉଦ୍ୟାନରୁ ସଂଗୃହୀତ ତୁଳସୀ ଓ ଫୁଲକୁ ଶ୍ରୀକ୍ଷେତ୍ରରେ ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହେବା ନିମନ୍ତେ ସନ୍ଥ ରାମସରଣ ଦାସ ଓ ସେବକ କବିନ୍ଦ୍ର ବେହେରା ନାମ ସଂକୀର୍ତ୍ତନ ସହ ପୁରୀକୁ ଯାତ୍ରା କରିଥିଲେ ।

ଭକ୍ତ ଦାସିଆ ପୀଠରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗ ମୁଖ୍ୟ ଆକର୍ଷଣ ପାଲଟିଥାଏ। ଏହା ଠାକୁରଙ୍କୁ ଲାଗି କରାଯିବା ପରେ କୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା । ଅପରାହ୍ନରେ ଶିଶୁ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ରାତ୍ର ସାଢେ ୯ଟାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡି କରାଯାଇ ରତ୍ନସିଂହାସନକୁ ବିଜେ କରାଯାଇଥିଲା । ପ୍ରତ୍ୟୁଷରୁ ରାତି ୧୦ଟା ପର୍ଯ୍ୟନ୍ତ ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିରହିଥିଲା । ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା ।

ଭକ୍ତ ଦାସିଆ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ଇଂ ବସନ୍ତ କୁମାର ମିଶ୍ର, ପ୍ରଫେସର ବୃନ୍ଦାବନ ମହାପାତ୍ର, ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ଲେଙ୍କା, ବଟକୃଷ୍ଣ ବିଶ୍ୱାଳ, ସ୍ୱୟଂପ୍ରକାଶ ପରିଡ଼ା, ଅକ୍ଷୟ କୁମାର ବେହେରା, ଚିତ୍ତରଞ୍ଜନ ସେନାପତି, ଭୀମସେନ ମେକାପ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments are closed.