ନବରଙ୍ଗପୁରରେ ଲୋକସଭା ଓ ୪ ବିଧାନସଭାର ଭୋଟ ଗଣତି

ନବରଙ୍ଗପୁର: ନବରଙ୍ଗପୁରରେ ସାଧାରଣ ନିର୍ବାଚନର ଭୋଟଗଣତି ଆଜି ଅନୁଷ୍ଠିତ ହେବ। ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ଫଳ ବାହାରିବ। ତେବେ ଏହାକୁ ନେଇ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କର ହୃଦ ସ୍ପନ୍ଦନ ବଢୁଛି। ଭୋଟ ଗଣତି ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପକ୍ଷରୁ ଗଣତି କେନ୍ଦ୍ରରେ ଦଳୀୟ ଏଜେଣ୍ଟ ନିଯୁକ୍ତି ପାଇଁ ତାଲିମ ଦିଆଯାଇଛି। ସମସ୍ତ ଗଣତି ଟେବୁଲରେ ଏହି ଦଳର ଏଜେଣ୍ଟ ମାନେ ରହିବେ ଓ ଭୋଟ ଗଣତିର ହିସାବ ରଖିବେ।

ଭୋଟଗଣତି ପାଇଁ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନବରଙ୍ଗପୁରର ଗୋଟିଏ ଲୋକସଭା ଓ ୪ ବିଧାନସଭା ପାଇଁ ୪୪ଟି ଟେବୁଲରେ ୯୩ ରାଉଣ୍ଡ ଗଣାଯିବ। ଏହି ଅବସରେ ୧୨- ନବରଙ୍ଗପୁର ଲୋକସଭା ଏବଂ ଜିଲାର ଚାରିଟି ବିଧାନସଭା ୭୩- ଉମରକୋଟ,୭୪- ଝରିଗାଁ ୭୫- ନବରଙ୍ଗପୁର ଓ ୭୬- ଡାବୁଗାଁ ଆସନ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟ ଗଣତି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟସ୍ଥ ଇ.ଭି.ଏମ୍ ୱେୟାର ହାଉସ ପରିସର ମଧ୍ୟରେ କରାଯିବ। ପୂର୍ବାହ୍ନ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଏହି ଭୋଟ ଗଣତି କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲାଇବା ପାଇଁ ନବରଙ୍ଗପୁର ଜିଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଓ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି। ନବରଙ୍ଗପୁର ଲୋକସଭା ଓ ଜିଲାର ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଚାରୋଟି ହଲରେ ଭୋଟ ଗଣତି ଏକକାଳୀନ କରାଯିବ।

ନବରଙ୍ଗପୁର ଲୋକସଭା ସମେତ ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୦ଟି ଟେବୁଲରେ ରାଉଣ୍ଡ ସଂଖ୍ୟା ୨୩ ନବରଙ୍ଗପୁର ଲୋକସଭା ସମେତ ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୨ଟି ଟେବୁଲରେ ରାଉଣ୍ଡ ସଂଖ୍ୟା ୨୨, ନବରଙ୍ଗପୁର ଲୋକସଭା ସମେତ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୨ଟି ଟେବୁଲରେ ରାଉଣ୍ଡ ସଂଖ୍ୟା ୨୩ ଏବଂ ନବରଙ୍ଗପୁର ଲୋକସଭା ସମେତ ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୦ଟି ଟେବୁଲରେ ରାଉଣ୍ଡ ସଂଖ୍ୟା ୨୫ ରହିଛି। ତେବେ ଏହି ନିର୍ବାଚନର ଭୋଟଗଣତି ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଏଜେଣ୍ଟମାନଙ୍କୁ ତାଲିମ ଦିଆଯାଇଛି।

Comments are closed.