ଫ୍ଲୋରିଡା: ବିଦେଶ ଭ୍ରମଣ ସମୟରେ ଇଣ୍ଟରନେଟ୍ ବ୍ୟବହାର କରିବା ଜଣେ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଦମ୍ପତିଙ୍କ ନିକଟକୁ ଆସିଛି ୧ କୋଟି ୧୯ ଲକ୍ଷ ଟଙ୍କାର ବିଲ୍। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଥିବାବେଳେ ବିଲ୍ ଦେଖି ଦମ୍ପତିଙ୍କ ହୋଶ୍ ଉଡ଼ିଯାଇଛି।
ଘଟଣାଟି ଏମିତି। ଫ୍ଲୋରିଡାରେ ରହୁଥିବା ୭୧ ବର୍ଷୀୟ ଦମ୍ପତି ରେନେ ରେମୁଣ୍ଡ ଏବଂ ତାଙ୍କ ପତ୍ନୀ ଲିଣ୍ଡା ନିକଟରେ ଛୁଟି କାଟିବାକୁ ସ୍ବିଜରଲାଣ୍ଡ ଯାଇଥିଲେ। ୩ ସପ୍ତାହ ଛୁଟି କାଟିବା ପରେ ସେମାନେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଟେଲିକମ୍ କମ୍ପାନୀ ପକ୍ଷରୁ ତାଙ୍କ ନିକଟକୁ ୧ କୋଟି ୧୯ ଲକ୍ଷ ଟଙ୍କାର ବିଲ୍ ପଠାଯାଇଥିଲା। ଯାହାକୁ ଦେଖି ରେମୁଣ୍ଡ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରେମୁଣ୍ଡ କହିଛନ୍ତି ଯେ, ସେ ବିଗତ ୩୦ ବର୍ଷ ହେବ ଟି- ମୋବାଇଲ କମ୍ପାନୀର ଗ୍ରାହକ ଅଟନ୍ତି। ସେ ନିଜ ସ୍ବିଜରଲାଣ୍ଡ ଯାତ୍ରା ସମ୍ପର୍କରେ କମ୍ପାନୀକୁ ସମସ୍ତ ତଥ୍ୟ ପ୍ରଦାନ କରିବା ସହିତ ଛୁଟି ସମୟରେ କମ୍ପାନୀର ଡାଟା ପ୍ଲାନ ଅନୁସାରେ ଆବଶ୍ୟକ ମୁତାବକ ଇଣ୍ଟରନେଟ୍ ବ୍ୟବହାର କରିଥିଲେ। କିନ୍ତୁ କମ୍ପାନୀ ପକ୍ଷରୁ ବିଦେଶରେ ୩ ସପ୍ତାହ ଇଣ୍ଟରନେଟ୍ ବ୍ୟବହାର ପାଇଁ ଦୈନିକ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଲ୍ କରାଯାଇଛି, ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା ସେ ଏହି ୩ ସପ୍ତାହ ମଧ୍ୟରେ ମାତ୍ର ୯.୫ ଜିବି ଡାଟା ବ୍ୟବହାର କରିଛନ୍ତି, ଯାହାର ମୂଲ୍ୟ ୧ କୋଟି ୧୯ ଲକ୍ଷ ଟଙ୍କା ବୋଲି ଟେଲିକମ୍ କମ୍ପାନୀ ପକ୍ଷରୁ ଧାର୍ଯ୍ୟ କରାଯାଇଛି।
ଏ ନେଇ ରେମୁଣ୍ଡ କମ୍ପାନୀ ଅଧିକାରୀଙ୍କୁ ଭେଟି ପ୍ରଶ୍ନ କରିଥିଲେ ମଧ୍ୟ ସେମାନେ ନୀରବ ରହିଥିଲେ। ଓଲଟି ଠିକ୍ ବିଲ୍ ପଠାଯାଇଥିବା ନେଇ ଅଧିକାରୀମାନେ ଯୁକ୍ତି କରିଥିଲେ। ରେମୁଣ୍ଡ ଆଇନଗତ ଆଶ୍ରୟ ନେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଶେଷରେ ଏ ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ରଖାଯିବା ସହିତ ରେମୁଣ୍ଡଙ୍କ ବିଲ୍ ଛାଡ଼ କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।



