www.samajalive.in
Wednesday, December 10, 2025
15.1 C
Bhubaneswar

ସ୍ଥାୟୀପୋଲ ନାହିଁ ତ ଭୋଟ ନାହିଁ

କଲ୍ୟାଣସିଂହପୁର: ବାରମ୍ବାର ଗୁହାରି କରିବା ସତ୍ବେ ନାଗାବଳୀ ନଦୀରେ ସ୍ଥାୟୀପୋଲ ଖଣ୍ଡେ ନିର୍ମାଣ କରିପାରିଲେ ନାହିଁ ପ୍ରଶାସନ କି ରାଜନେତା। ଶେଷରେ ନିଜ ବୁଦ୍ଧିବଳ ଖଟାଇ ହନୁମାନ ଜୟନ୍ତୀ ଦିନ ଗାଁର ମହିଳା ପୁରୁଷ ଏକତ୍ରିତ ହୋଇ ଜଙ୍ଗଲରୁ କାଠ ଆଣି ନଦୀ ନିକଟରୁ ବଡବଡ ପଥର ସଂଗ୍ରହ କରି ନଦୀ ଗର୍ଭରେ ରଖି ତା’ଉପରେ କାଠ ସଜାଇ ନଦି ପାର କରିବାକୁ ଏକ କାଠପୋଲ ନିର୍ମାଣ କରିଛନ୍ତି କାଙ୍ଗସିରି ଗ୍ରାମବାସୀ।

ସତେ ଯେମିତି ଏ ଚିତ୍ର ଦେଖିଲେ ମନେ ପଡୁଛି, ରାମଚନ୍ଦ୍ର ଲଙ୍କା ପାର କରିବାକୁ ଯେମିତି ବାନର ସେନା ସାହାଯ୍ୟରେ ସମୁଦ୍ରରେ ବଡବଡ ପଥର ପକାଇ ସେତୁ ବାନ୍ଧିଥିଲେ ଠିକ୍ ସେମିତି କାଙ୍ଗସିରି ଗ୍ରାମବାସୀ କାଠ ସେତୁ ନିର୍ମାଣ କରି ନଦୀ ପାର ହେଉଥିବା ଦୃଶ୍ୟ ରାୟଗଡା କଲ୍ୟାଣସିଂହପୁର କାଙ୍ଗସିରି ଗାଁରେ ଦେଖିବାକୁ ମିଳିଛି । ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର କାଙ୍ଗସିରି ଗ୍ରାମର ଲୋକମାନେ ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ସ୍ଥାୟୀପୋଲ ନିର୍ମାଣ ନ କଲେ ନିର୍ବାଚନ ସମୟରେ ଆସୁଥିବା ଜନ ପ୍ରତିନିଧିମାନଙ୍କୁ ଗାଁକୁ ପୁରାଇଦେବୁ ନାହିଁ କି ଭୋଟ ଦେବୁ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଛନ୍ତି । କାଙ୍ଗସିରି ଗାଁରେ ପ୍ରାୟ ୩୫ଘର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରିଆସୁଛନ୍ତି । ସ୍ୱାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମକୁ ପ୍ରଶାସନର ନଜର ପଡୁନଥିବା ଗ୍ରାମବାସୀ କହିଛନ୍ତି । ଶିଙ୍ଗାରି ପଞ୍ଚାୟତ ଓ କାଙ୍ଗସିରି ମଝିରେ ନାଗାବଳୀ ନଦୀ ବହିଯାଇଛି । ଉକ୍ତ ନଦୀ ଦେଇ ଗ୍ରାମର ମହିଳାପୁରୁଷମାନେ ପଞ୍ଚାୟତକୁ ବିଧବା, ବିକଳାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା, ଅଙ୍ଗନବାଡି କେନ୍ଦ୍ରଠାରୁ ଛତୁଆ, ଅଣ୍ଡା ଛୋଟ ଛୋଟ ଶିଶୁଙ୍କୁ ନେଇ ଓଜନ କରାଇବା ସହ ପିଲାମାନେ ବିଦ୍ୟାଳୟକୁ ଯାଇଥାନ୍ତି । ଅନ୍ୟ ୠତୁରେ ନଦୀରେ ପଶି ଯାତାୟତ କରିଥାନ୍ତି । ବର୍ଷା ଋତୁ ଆସିଲେ କିମ୍ବା ଅଦିନିଆ ବର୍ଷା ହେଲେ ଭରା ନଦୀରେ ଯାତାୟତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଗାବଳୀ ନଦୀ ପାର ହୋଇ ଅଧ କିମି ଗଲେ ସିଙ୍ଗାରି ପଞ୍ଚାୟତ ପଡ଼େ, ନଚେତ କାଙ୍ଗସିରିଠାରୁ ହାତୀମୁଣ୍ଡା ଦେଇ ସିଙ୍ଗାରି ପଞ୍ଚାୟତକୁ ପ୍ରାୟ ୫କିମି ବୁଲାଣି ରାସ୍ତାରେ ଯିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି । ନାଗାବଳୀ ନଦୀରେ ଏକ ପୋଲ ନିର୍ମାଣ କରିବା ପାଇଁ ପଞ୍ଚାୟତ, ବ୍ଲକ ପ୍ରଶାସନ ଓ ପ୍ରତି ନିର୍ବାଚନରେ ଆସୁଥିବା ନେତା ମନ୍ତ୍ରୀଙ୍କୁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ସବୁ ଭୁଲି ଯାଉଛନ୍ତି । ଗ୍ରାମର ସମସ୍ତ ପରିବାର ଏକତ୍ରିତ ହୋଇ ଘର ପିଛା ୫୦୦ ଟଙ୍କା ଲେଖାଏଁ ମୋଟ ଆଦାୟ କରି ଜଙ୍ଗଲରୁ କାଠ ସଂଗ୍ରହ କରି ଆଣିଥିଲେ । ଗ୍ରାମର ସମସ୍ତ ମହିଳା ପୁରୁଷମାନେ ନଦୀ ନିକଟରୁ ପଥର ସଂଗ୍ରହ କରି ନଦୀରେ ସଜାଇବା ପରେ ବଡ଼ ବଡ଼ କାଠକୁ ପକାଇ ତା’ ଉପରେ ଛୋଟ ଛୋଟ କାଠ କାଟି କଣ୍ଟା ମାରି ଦୁଇ ଚକିଆ ଯାନ ଯିବା ପରି ପୋଲ ନିର୍ମାଣ କରିଛନ୍ତି । ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରଚାର ନିମନ୍ତେ ଯେଉଁ ଦଳମାନେ ଆସିବେ ସେମାନଙ୍କୁ ଗ୍ରାମରେ ପୁରାଇଦେବୁ ନାହିଁ। ବ୍ରିଜ ନାହିଁତ ଭୋଟ ନାହିଁ କହି ଘଉଡ଼ାଇ ଦେବୁ ବୋଲି ମାନୁ ଶିକକା, ପୁଲକୀ ବିଦ୍ରାକା, ଗୌର କୌଶଲ୍ୟା, ହୁଈକା ପୁଲୁ, କୁନାକା ସାଇବୁ, ହୁଈକା ଟଲ ପ୍ରମୁଖ କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories