କେନ୍ଦୁଝରଗଡ: କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ପଳାଶପଙ୍ଗା-ବାମେବାରୀ ୨୭କି.ମି. ରାସ୍ତା ଦେଇ ଜିଲା ଓ ଜିଲା ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବନ୍ଦରକୁ ଦୈନିକ ହଜାର ହଜାର ସଂଖ୍ୟାରେ ଖଣିଜସମ୍ପଦ ବୋଝେଇ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ପୂର୍ତ୍ତ ବିଭାଗକୁ ଏହି ରାସ୍ତା ହସ୍ତାନ୍ତର ପରେ ଏହି ରାସ୍ତାକୁ ଦୁଇଭାଗରେ ବିଭାଜନ କରି କାଳିମାଟି ଠାରୁ ବାମେବାରୀ ପର୍ଯ୍ୟନ୍ତ ୫.୬୨୦କି.ମି. ରାସ୍ତା ୪ଥାକିଆ ନିର୍ମାଣ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ପାଣ୍ଠିରୁ ୬୯କୋଟି ୫୩ଲକ୍ଷ ୪୫ହଜାର ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ଆହ୍ୱାନ ଶେଷ ହୋଇଛି।
ପଳାଶପଙ୍ଗା ଠାରୁ କାଳିମାଟି ପର୍ଯ୍ୟନ୍ତ ଅବଶିଷ୍ଟ ୨୨ କି.ମି. ରାସ୍ତା ପ୍ରଶସ୍ତିକରଣ କରାନଯାଇ କେବଳ ଉନ୍ନତିକରଣ ଓ ମରାମତି ପାଇଁ ଆଜକୁ ଦୀର୍ଘ ୬ମାସରୁ ଉଦ୍ଧ୍ୱର୍ ସମୟ ଧରି ଠିକାଦାର ସଚ୍ଚିଦାନନ୍ଦ ଖିଲାରଙ୍କ ସହ ଚୁକ୍ତି ସ୍ୱାକ୍ଷର ହୋଇଥିଲେ ହେଁ ଅଦ୍ୟାବଧି ନିର୍ମାଣ କାର୍ଯ୍ୟାରମ୍ଭ ହୋଇପାରିଲା ନାହିଁ। ଫଳରେ ଉକ୍ତ ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଖଣିଜସମ୍ପଦ ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଧୂଳି ଧୁଆଁ ଯୋଗୁଁ ବିଶେଷକରି କଣ୍ଡରାପଶି ପଞ୍ଚାୟତବାସୀ ବିଶେଷଭାବେ ପ୍ରଭାବିତ ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିବା ସହ ଆନ୍ଦୋଳନ ମଧ୍ୟ କରି ଆସୁଛନ୍ତି। ରାସ୍ତା ନିର୍ମାଣ ଦାବିରେ କଣ୍ଡରାପଶି ପଞ୍ଚାୟତର ଏକ ପ୍ରତିନିଧି ଦଳ ପକ୍ଷରୁ ଜିଲା ଓ ପୁଲିସ ପ୍ରଶାସନ ସହ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଲିଖିତ ଭାବେ ଅନୁରୋଧ କରି ଆସୁଛନ୍ତି।
ଆହାରପଶି ଛକ ଠାରୁ ଜଗଦଳା ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଯାତାୟାତ ଯୋଗ୍ୟ ହୋଇ ରହିନଥିବାରୁ ଗତ ୬ମାସରୁ ଉଦ୍ଧ୍ୱର୍ ସମୟ ଧରି ଉକ୍ତ ରାସ୍ତାରେ ଯାତ୍ରିବାହୀ ଯାନ ସମ୍ପୂର୍ଣ୍ଣ ଭାବେ ଚଳାଚଳ ବନ୍ଦ କରି ୨୦ନଂ ଜାତୀୟ ରାଜପଥ କଟଲପଶି ଛକ ଠାରୁ ଧାତିକା ଦେଇ ଯାତାୟାତ କରୁଥିବାରୁ କଣ୍ଡରାପଶି ଓ ପର୍ଜନପୁର ପଞ୍ଚାୟତବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତାରୁ ଉଡୁଥିବା ଧୂଳି ସାଙ୍ଗକୁ ଯାନବାହାନର ବିଷାକ୍ତ ଧୂଆଁରେ ଅଞ୍ଚଳବାସୀ ଆକ୍ରାନ୍ତ ହୋଇ ଯକ୍ଷ୍ମା, କାଶ ଓ ଥଣ୍ଡା ଜ୍ୱରରେ ପୀଡିତ ହୋଇ ଆସୁଥିବା ବେଳେ ରାସ୍ତା ମରଣଯନ୍ତା ପାଇଁ ଆମ୍ବୁଲାନ୍ସ ସେବା ମଧ୍ୟ ରୋଗୀଙ୍କ ନିକଟରେ ପହଞ୍ଚି ପାରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି।
ଏପରିକି ଯୁଦ୍ଧକାଳୀନଭିତ୍ତିରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାନଗଲେ ଆଗାମୀ ସାଧାରଣ ନିର୍ବାଚନକୁ କଣ୍ଡରାପଶି ପଞ୍ଚାୟତବାସୀ ବର୍ଜନ କରିବା ସହ କୌଣସି ନେତା ମନ୍ତ୍ରୀ ଓ ପ୍ରାର୍ଥୀଙ୍କୁ ପଞ୍ଚାୟତରେ ପୁରାଇ ଦେବେନାହିଁ କିମ୍ବା କୌଣସି ନିର୍ବାଚନୀ ସଭା ସମିତି କରାଇ ଦେବେ ନାହିଁ ବୋଲି ପଞ୍ଚାୟତବାସୀ ସ୍ପଷ୍ଟ କରିଛନ୍ତି। ପଞ୍ଚାୟତବାସୀଙ୍କ ମୌଳିକ ସମସ୍ୟା ପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେବାସହ କିଭଳି ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରିତ୍ କରାଯାଇପାରିବ ସେ ସମ୍ପର୍କରେ ଜିଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡିଛି।



