www.samajalive.in
Monday, December 8, 2025
14.1 C
Bhubaneswar

ବର୍ଷା, କୁହୁଡ଼ିରେ କୋରାପୁଟ ବେହାଲ

କୋରାପୁଟ: ପେଥାଇ ବର୍ଷାରେ କୋରାପୁଟ ଏକ ପ୍ରକାର ବେହାଲ ହୋଇଯାଇଛି। ଏଠାରେ ଗତ ରବିବାର ସଂନ୍ଧ୍ୟାରୁ ଝିପି ଝିପି ବର୍ଷା ସାଙ୍ଗକୁ କୁହୁଡି ଭରା ପରିବେଶ ସାଧାରଣ ଜନଜୀବନକୁ ବ୍ୟତିବ୍ୟସ୍ତ କରି ଦେଇଛି। ଗତ ରବିବାର ସଂନ୍ଧ୍ୟାରୁ ସୋମବାର ରାତି ପର୍ଯ୍ୟନ୍ତ ବଜାର ଘାଟ ଖାଁ ଖାଁ ରହିଥିବା ବେଳେ ଥଣ୍ଡା ପାଗ ଯୋଗୁଁ ପ୍ରାୟ ସମସ୍ତେ ଘର ଭିତରେ ରହିଛନ୍ତି। କାଁ ଭାଁ ଲୋକ ବାହାରକୁ ବାହାରୁ ଥିବା ଦେଖିବାକୁ ମିଳିଛି। ରାସ୍ତା ଘାଟ ଏକ ପ୍ରକାର ଶୂନଶାନ ରହିଥିବା ବେଳ କୋରାପୁଟ ବସଷ୍ଟାଣ୍ଡ,
ବଜାର
ଆଦିରେ ଲୋକଙ୍କ ସଂଖ୍ୟା ଅଶାତୀତ କମ୍‍ ରହିଛି। ଏହା ସାଙ୍ଗକୁ ବାରମ୍ବାର ବିଦ୍ୟୁତ କାଟ କଷ୍ଟ ବଢାଇଛି। କୋହଲା ପାଗ ଯୋଗୁଁ କୋରାପୁଟ ସମେତ ବିଭିନ୍ନ ଅଞ୍ଚଳରେ ଅତି ମାତ୍ରାରେ ଶୀତ ବଢ଼ି ଯାଇଛି। ଚାଷୀମାନେ ସେମାନଙ୍କର ଉତ୍ପାଦିତ ଧାନ ମାଣ୍ଡିଆ ଆଦି ଶସ୍ୟକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ହନ୍ତସନ୍ତ ହୋଇଛନ୍ତି। ବର୍ଷା ଓ ମେଘୁଆ ପାଗ ଦୁଇ ଦିନ ଧରି ରହିଥିବା ବେଳେ ଆଜି ସହର ସମେତ ଆଖପାଖ ଅଞ୍ଚଳରେ ସକାଳୁ ଝିପିଝିପି ଓ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଜିଲା ପ୍ରଶାସନର ସୂଚନା ଅନୁସାରେ, କୋରାପୁଟରେ ୧୫.୨, ଲମତାପୁଟ୧୭, ପଟାଙ୍ଗିରେ ୪୭, ବନ୍ଧୁଗାଁ ୧୦.୨, ନାରାୟଣପାଟଣା ୫୧.୪, ଦଶମନ୍ତପୁର ୩, ନନ୍ଦପୁର ୨୪.୫, ଲକ୍ଷ୍ମୀପୁର ୩୦.୨, ସିମିଳିଗୁଡାରେ ୧୨.୬, ଜୟପୁର ୧୦.୨, କୋଟପାଡ ୭.୩, କୁନ୍ଦୁରା ୪, ବୋରିଗୁମ୍ମା ୬.୮, ବୈପାରିଗୁଡା ୮ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଅଞ୍ଚଳର ତାପମାତ୍ରା ସର୍ବନିମ୍ନ ୧୩.୫ ଡିଗ୍ରୀ ଓ ସର୍ବାଧିକ ୨୦.୫ ରହିଛି। ବର୍ଷା ଯୋଗୁଁ ଦୁଇ ଦିନ ହେଲା ଶୀତ ଲହରୀ ବୃଦ୍ଧି ପାଇଛି। ବର୍ଷା ପ୍ରଭାବରୁ ଚାଷୀମାନେ ଖଳାରେ ଜମାଇ ରଖିଥିବା ଧାନକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ମଧ୍ୟ ବିଫଳ ହୋଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ମୁତାବକ ପଲିଥିନ, ତାର୍ପୋଲିନ ପହଞ୍ଚିପାରି ନଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ସହରଠାରୁ ମାତ୍ର ୭କିମି ଦୂର ଦୟାନିଧିଗୁଡା, କମାରଗୁଡା, ମହାଦେଇପୁଟ, ଖରାଗୁଡା ଆଦି ଅଞ୍ଚଳର ଚାଷୀମାନେ ବାହାରେ ଧାନ ରଖିଥିବା ବେଳେ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ସମସ୍ତ ଉଦ୍ୟମ କରି ନିରାଶ ହୋଇଛନ୍ତି। ଖଳାରେ ବହୁ ପରିମାଣରେ ଧାନ ବର୍ଷାରେ ଏବେ ଚାଷୀଙ୍କର ମୁଣ୍ଡ ବଥାର କାରଣ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ପେଥାଇର ପୂର୍ବ ସୂଚନା ପାଇଥିବା ବେଳେ ଚାଷୀଙ୍କୁ ଏଥିରୁ ସୁରକ୍ଷା ଦେବା ପାଇଁ ସେ ପ୍ରକାର କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାରୁ ଏ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଏପ୍ରକାର ବର୍ଷା ଲାଗି ରହେ ତେବେ ଚାଷୀକୁଳର ସମ୍ପୂର୍ଣ୍ଣ କ୍ଷତି ଘଟିବ ବୋଲି ଆଶଙ୍କା ଦେଖା ଦେଇଛି। କୋରାପୁଟ ସହର ସମେତ ଆଖପାଖ ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଚାଷୀ ବିଲରୁ କଟା ଧାନକୁ ଖଳାକୁ ବୋହିଛନ୍ତି। ଜିଲାର କୁନ୍ଦୁଲି ଅଂଚଳରେ ପରିବା ବ୍ୟାପକ ପରିବା ଚାଷ ନଷ୍ଟ ହୋଇଛି। କେତେକଠାରେ ପରିବା କ୍ଷେତକୁ ଘୋଡାଘୋଡି କରି ଚାଷୀମାନେ ବଞ୍ଚାଇବା ଉଦ୍ୟମ କରିଥିବା ବେଳେ ଆଉ କେତେକ ଚାଷୀ ହାତ ଟେକି ଦେଇଛନ୍ତି। ସେମିଳିଗୁଡା, ପଟ୍ଟାଙ୍ଗି ନନ୍ଦପୁର ବ୍ଲକ ଅଂଚଳରେ ପରିବା ଚାଷୀ ବର୍ଷ ତମାମ ଖଟି ଶୀତ ମାସରେ ଅମଳ ଲକ୍ଷ୍ୟରେ ଥିବା ବେଳେ ସେମାନେ ନିରାଶ ହୋଇଛନ୍ତି। ଏହି ଅଞ୍ଚଳର ଚାଷୀ ପରିବା ବାହାରକୁ ପଠାଇ ଲାଭବାନ ହୋଇଥାନ୍ତି। ଏବେ ସେମାନେ ହତାଶ ବୋଲି ଅନେକ ଚାଷୀ କହିଛନ୍ତି। ଚଳିତ ବର୍ଷ ବ୍ୟାଙ୍କ, ଲ୍ୟାମ୍ପସ ଆଦିରୁ ଋଣ ଆଣି ଏମାନେ ଚାଷ କରିଥିଲେ। ଏବେ ବର୍ଷାରେ କ୍ଷତି ହୋଇଥିବା ବେଳେ ଏମାନଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ ଚାଷୀକୁଳ ଦାବି କରିଛନ୍ତି। କୋରାପୁଟ ବ୍ଲକର କୋରାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର ଅଂଚଳର ଧାନ, ମାଣ୍ଡିଆ ଚାଷୀମାନେ ମଧ୍ୟ କ୍ଷତି ସହିଛନ୍ତି। କୋରାପୁଟ ନିକଟ ମସ୍ତିପୁଟ, ମହାଦେଇପୁଟ ଅଂଚଳର ଚାଷୀ ବ୍ୟାପକ କ୍ଷତି ସହିଛନ୍ତି। ଏମାନଙ୍କର ଧାନ, ମାଣ୍ଡିଆ ସବୁ ନଷ୍ଟ ହୋଇଛି। କ୍ଷତିର ଆକଳନ କରାଯାଇ ଏମାନଙ୍କୁ କ୍ଷତିପୂରଣ ଦେବାକୁ ଆଦୁଖିଲ, ଗୁପ୍ତ ଆଡାରୀ, ଦମଦାର ମାଛ, ଗୁରୁଖିଲା, ତ୍ରିନାଥ ମାଛ, ରାମ ନାୟକ ଓ ପଦ୍ମପୁର ପଂଚାୟତର ନିଳାମ୍ବର ନାୟକ, ସଂଜୟ ମହାନ୍ତି, ପିତବାସ ପାଙ୍ଗି, ସନ୍ୟା ନାୟକ, ଧନ ମାଝି, ଗୁରୁଦେବ ମାଝି, ଶ୍ୟାମ ହନ୍ତାଳ ପ୍ରମୁଖ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories