ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବନବିଭାଗ ପକ୍ଷରୁ କାଠ ବୋଝେଇ ଏକ ଟ୍ରକ ସହ ଗୋଟିଏ ସ୍କର୍ପିଓ ଗାଡି ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଏକ ଟ୍ରକ ଯୋଗେ ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରୁ କାଠ ବୋଝେଇ ହୋଇ ଯାଜପୁରକୁ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ବନବିଭାଗ ଖବର ପାଇ ଘଟଗାଁ ରେଞ୍ଜର ପ୍ରଭାତ କୁଅଁରଙ୍କ ନେତୃତ୍ବରେ ଚଢାଉ କରାଯାଇ ୨୦ ନମ୍ବର ଜାତୀୟ ରାଜପଥର ମେଲାଣ ଗ୍ରାମ ନିକଟରେ ଟ୍ରକଟିକୁ ଜବତ କରା ଯାଇଥିଲା। ଏଥିସହ ଟ୍ରକ ଡ୍ରାଇଭର ପଦ୍ମପୁର ଅଞ୍ଚଳର ବିଦ୍ୟାଧର ସାହୁକୁ ଗିରଫ କରାଯାଇଛି। ସେହିପରି ଆଜି ଭୋର ୪ଟାରେ ଏକ ସ୍କର୍ପିଓ ଗାଡ଼ିରେ କାଠ ଚାଲାଣ ହେଉଥିବା ବେଳେ କୋଳିପଶି ଗ୍ରାମ ନିକଟରେ ବନବିଭାଗ ମାଡି ବସିଥିଲା। ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଅନ୍ୟ ଯୁବକ ସାନ୍ତରାପୁର ଗ୍ରାମର ମୋହନ ନାଏକକୁ ଗିରଫ କରିଛି ବନବିଭାଗ। ଦୁଇଟି ଗାଡିରୁ ଜବତ କାଠ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
Popular Categories



