ଭୁବନେଶ୍ବର: ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି ୨୦୨୩-୨୪ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୪-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି। ୭ ମିନିଟ୍ରେ ଭାରତକୁ ମ୍ୟାଚର ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ୨୦ ମିନିଟ୍ରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଏହାକୁ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ୨୪ ମିନିଟ୍ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଯୁଗରାଜ ସିଂହ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା। ୩୪ ମିନିଟ୍ରେ ସ୍ପେନକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଏହାକୁ ମିରାଲେସ ମାର୍ଶ ଗୋଲ ଦେଇ ମ୍ୟାଚକୁ ୧-୩ ସ୍ତରକୁ ଆଣିଥିଲେ। ୫୦ ମିନିଟ୍ରେ ଲଳିତ କୁମାର ଉପାଧ୍ୟାୟ ୪ର୍ଥ ଗୋଲ ଦେଇ ଭାରତକୁ ୪-୧ରେ ଆଗୁଆ କରିଥିଲେ। ସ୍ପେନ ଗୋଲ ଦେବା ନେଇ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ଉଦ୍ୟମ କରି ବିଫଳ ହୋଇଥିଲା। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଉକ୍ତ ମ୍ୟାଚରେ ମନପ୍ରୀତ ସିଂହ ୩୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହି ମାଇଲଖୁଣ୍ଟ ଲାଗି ମନପ୍ରୀତ୍ଙ୍କୁ ହକି ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଖେଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଡ଼ିଆ ଭିତରେ ଦୁଇ ଦଳର ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।
ଶନିବାର ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସ ୫-୧ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ନେଦରଲାଣ୍ଡ୍ସ ପକ୍ଷରୁ ୧୨ ମିନିଟ୍ରେ ଟିଜେପ୍ ହୁଡମେକରର୍ସ ପ୍ରଥମ ଗୋଲ ଦେଇଥିଲେ। ୨୧ ମିନିଟ୍ରେ କ୍ରୁମ ଜୋରିଟ୍ ନେଦରଲାଣ୍ଡ୍ସ ପାଇଁ ଦ୍ବିତୀୟ ଓ ୩୫ ମିନିଟ୍ରେ ଜିପ୍ ୟାନସେନ ୩ୟ ଗୋଲ ଦେଇଥିଲେ। ୩୬ ମିନିଟ୍ରେ ଆୟର୍ଲାଣ୍ଡ ପକ୍ଷରୁ କୋଲୋ ଲି ଗୋଲ ଦେଇ ମ୍ୟାଚକୁ ୧-୩ ସ୍ତରକୁ ଆଣିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ୫୨ ମିନିଟ୍ରେ ୟାନସେନ ଜିପ୍ ୪ର୍ଥ ଓ ୫୩ ମିନିଟ୍ରେ ଭାନ୍ ଷ୍ଟିଜିନ୍ ହିଞ୍ଜିନଗନ ୫ମ ଗୋଲ ଦେଇ ଦଳକୁ ୫-୧ରେ ବିଜୟୀ କରାଇଥିଲେ। ନେଦରଲାଣ୍ଡ୍ସ ରବିବାର ୨ୟ ମ୍ୟାଚ୍ ଭାରତ ସହିତ ଖେଳିବ।



