www.samajalive.in
Monday, December 8, 2025
27.1 C
Bhubaneswar

ବିଶିଷ୍ଟ ଗାନ୍ଧୀବାଦୀ ଡଃ ଭଗବାନ ପ୍ରକାଶଙ୍କୁ ଅଳକା ଆଶ୍ରମ ସେବା ସମ୍ମାନ-୨୦୨୪

ଭୁବନେଶ୍ବର : ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳିତ କରି ସମାଜର ଉତ୍ଥାନ ପାଇଁ ନିଜ ଜୀବନକୁ ଦେଶ ସେବାରେ ସମର୍ପିତ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ବମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଜଣଙ୍କୁ ତାଙ୍କର ସାମଗ୍ରିକ ଅବଦାନ ପାଇଁ ଅଳକା ଆଶ୍ରମ ସେବା ସମ୍ମାନ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ବିଶିଷ୍ଟ ଗାନ୍ଧୀ ଅନୁଗାମୀ ଡଃ ଭଗବାନ ପ୍ରକାଶଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଐତିହାସିକ ଅଳକା ଆଶ୍ରମ ପରିଚାଳନା କମିଟିର ଆବାହକ ଦେବେନ୍ଦ୍ର ନାଥ ରାଉତ ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ପ୍ରକାଶ କରିଛନ୍ତି। ଗତବର୍ଷ ଅଳକା ଆଶ୍ରମର ଶତବାର୍ଷିକୀ ସମାରୋହରେ ଏହି ସମ୍ମାନ ପ୍ରଥମ ଥର ପାଇଁ ବିଶିଷ୍ଟ ଗାନ୍ଧୀ ଅନୁଗାମୀ ସୁଲଭ ଶୌଚାଳୟର ପ୍ରତିଷ୍ଠାତା, ବିଶିଷ୍ଟ ସମାଜ ସଂସ୍କାରକ, ପଦ୍ମଭୂଷଣ ସ୍ବର୍ଗତ ଡଃ ବିନ୍ଧେଶ୍ଵର ପାଠକଙ୍କୁ ପ୍ରଦାନ କରାଯାଇଥିଲା। ଡଃ ଭଗବାନ ପ୍ରକାଶ ତାଙ୍କ ଛାତ୍ର ଜୀବନରୁ ଜାତିଭେଦ ପ୍ରଥା ବିରୁଦ୍ଧରେ ଅତି ସକ୍ରିୟ ଭାବେ କାର୍ଯ୍ୟ କରି ନିଜ ନାମରୁ ତାଙ୍କର ଉପନାମ ହଟାଇବା ସହିତ ଏହାକୁ ଏକ ଆନ୍ଦୋଳନର ରୂପ ଦେଇଥିଲେ। ଓଡ଼ିଶା ତଥା ସର୍ବଭାରତୀୟ ସ୍ତରରେ ଗାନ୍ଧୀଜୀଙ୍କ ଆଦର୍ଶରେ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ କାର୍ଯ୍ୟ କରିବା ସହିତ ବିଶ୍ବ ଯୁବ ନୀତି ପ୍ରସ୍ତୁତିରେ ଜାତିସଂଘ ତରଫରୁ ଅନେକ ଅବଦାନ ରଖିଛନ୍ତି। ଭାରତରେ ଭୋଟ ଦେବାର ବୟସ ୨୧ରୁ ୧୮କୁ ପରିବର୍ତ୍ତନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସାକ୍ଷର ସହର କେରଳର କୋଟାୟାମ ହେବାରେ ସେ ଥିଲେ ମୁଖ୍ୟ ବିନ୍ଧାଣୀ। ଦେଶରେ ଭୋଟର ଦିବସ, ଏସିଆର ପ୍ରଥମ ଇନଷ୍ଟିଚ୍ୟୁଟ ଅଫ୍ ଡେମୋକ୍ରାସୀ, ଓଡ଼ିଶାରେ ଓଡ଼ିଶା ନାଗରିକ ସମାଜ, ସମ୍ଭବ, ବିକଳ୍ପ ତଥା ନୂଆଦିଲ୍ଲୀ ଓଡ଼ିଆ ବୁଦ୍ଧିଜୀବୀ ମଞ୍ଚ ଦି ଇଣ୍ଟେଲେକ୍ଟସ୍ ସମେତ ଅନେକ ସାମାଜିକ ଅନୁଷ୍ଠାନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ସମାଜ ପରିବର୍ତ୍ତନରେ ବଳିଷ୍ଠ ଅବଦାନ ରଖିଛନ୍ତି।

ଗାନ୍ଧୀବାଦକୁ ଓଡ଼ିଶାର ପୁରପଲ୍ଲୀରେ ପ୍ରସାର କରିବା ସହିତ ସ୍ବାଧୀନତା ସଂଗ୍ରାମକୁ ବ୍ୟାପକ କରିବା ଓ ଯୁବ ପୀଢିକୁ ରାଷ୍ଟ୍ରଗଠନରେ ଭାଗୀଦାରୀ କରିବା ଉଦେଶ୍ୟରେ ୧୯୨୨ ମସିହା ସରସ୍ବତୀ ପୂଜା ଅବସରରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭାଗିରଥି ମହାପାତ୍ର ଓ ଉତ୍କଳ ଗାନ୍ଧୀ ଗୋପବନ୍ଧୁ ଚୌଧୁରୀଙ୍କ ଆବାହକତ୍ଵରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କରକମଳରେ ଏହି ପବିତ୍ର ଅନୁଷ୍ଠାନ ଉଦ୍‌ଘାଟିତ ହୋଇଥିଲା। ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ସମୟରେ ସମଗ୍ର ଓଡ଼ିଶାରେ ବିଶେଷ ଭୂମିକା ଗ୍ରହଣ କରିଥିବା ଏହି ଐତିହାସିକ ଅନୁଷ୍ଠାନକୁ ୧୯୩୨ ମସିହାରେ ପୋଡ଼ି ଭସ୍ମୀଭୂତ କରିଦିଆଯାଇଥିଲା। ଦେଶ ସ୍ବାଧୀନତାର ଅମୃତ କାଳରେ ସାଧାରଣ ଜନତାଙ୍କ ସମର୍ପିତ ପ୍ରୟାସ ଦ୍ବାରା ଗତବର୍ଷ ଏହାର ବର୍ଷବ୍ୟାପୀ ଶତବାର୍ଷିକ ପାଳନ କରାଯିବା ସହିତ ଏହାର ପୁନରୁଦ୍ଧାର କରାଯାଇଥିଲା ଯାହାକି ଓଡ଼ିଶା ପାଇଁ ସର୍ବଭାରତୀୟ ସ୍ତରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛି। ଚଳିତ ବର୍ଷ ଏହାର ୧୦୨ ତମ ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀପଞ୍ଚମୀ ଫେବୃଆରୀ ୧୪ ତାରିଖରେ ଆଗାମୀ ପିଢିକୁ ମାର୍ଗଦର୍ଶନ କରିବା ପାଇଁ ଯୁବ ସଂଗୋଷ୍ଠୀ ଆୟୋଜନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ଏଥି ସହିତ ଯୁବ ବର୍ଗରେ ପ୍ରଶାସନିକ କ୍ଷେତ୍ରରେ ସମର୍ପିତ ଅବଦାନ ପାଇଁ ଡଃ ଅଶୋକ କୁମାର କର୍ଣ୍ଣଙ୍କୁ ଦ୍ବିତୀୟ ଅଳକା ଆଶ୍ରମ ଯୁବ ସେବା ସମ୍ମାନ ପ୍ରଦାନ କରାଯିବ ବୋଲି ଆବାହକ ପ୍ରକାଶ କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories