www.samajalive.in
Wednesday, December 10, 2025
26.1 C
Bhubaneswar

ଜନମତ ନୁହେଁ; ଆଇନ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ : ଜଷ୍ଟିସ ଲାହୋଟି

ନୂଆଦିଲ୍ଲୀ : ନ୍ୟାୟ ବ୍ୟବସ୍ଥାରେ ବିଚାରପତିମାନେ ଜନମତ ନୁହେଁ; ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଆର ସି ଲାହୋଟି ପରାମର୍ଶ ଦେଇଛନ୍ତି। ୩୯ତମ ଭୀମସେନ ସାଚର ସ୍ମାରକୀ ବକ୍ତୃତାମାଳାର ମୁଖ୍ୟବକ୍ତା ଜଷ୍ଟିସ ଲାହୋଟି କହିଥିଲେ ଯେ ଜନମତ ଅନୁଯାୟୀ ବିଚାରପତିମାନେ ଆଇନକୁ ତର୍ଜମା କରି ନିର୍ଦେଶନାମା ଜାରି କଲେ ଆଇନ ସଠିକ୍‍ ଭାବେ କାର୍ଯ୍ୟକାରୀ ହୁଏ ନାହିଁ ଓଲଟି ଦୁର୍ବଳ ହୋଇପଡ଼େ। ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରଗୁଡ଼ିକ ଯେପରି ଅଦାଲତ ମାଧ୍ୟମରେ ସୁରକ୍ଷିତ ହୋଇପାରିବ ପ୍ରତ୍ୟେକ ବିଚାରପତି ଉଦ୍ୟମ କରିବା ଆବଶ୍ୟକ। ସୁସ୍ଥ ଗଣତନ୍ତ୍ର ପାଇଁ ବ୍ୟକ୍ତି ସ୍ୱାଧୀନତା ଅଧିକାର ଅତ୍ୟନ୍ତ ଆବଶ୍ୟକ। ବିଗତ ଦିନରେ କେତେକ ମାମଲାରେ ସୁପ୍ରିମକୋର୍ଟ ନୂତନ ସଂଜ୍ଞା ନିରୂପଣ କରିବା ପ୍ରସଙ୍ଗରେ ଜଷ୍ଟିସ ଲାହୋଟି ଆଶ୍ଚର୍ଯ୍ୟପ୍ରକାଶ କରିଛନ୍ତି। କୌଣସି ଆଇନ ପ୍ରଣୟନ, ସଂଜ୍ଞା ନିରୂପଣ ଏବଂ ବିଷୟବସ୍ତୁ ନିର୍ଦ୍ଧାରଣ କରିବା କାର୍ଯ୍ୟ ସଂସଦୀୟ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଧାରା ୩୭୭କୁ ଅସାମ୍ବିଧାନିକ ଘୋଷଣା କରିବା ସମୟରେ ସୁପ୍ରିମକୋର୍ଟ ସଂପୃକ୍ତ ଧାରାର କେଉଁ ଅଂଶ ଅସାମ୍ବିଧାନିକ ତାହା ସ୍ପଷ୍ଟ କରିବା ଆବଶ୍ୟକ ଥିଲା ବୋଲି ଜଷ୍ଟିସ ଲାହୋଟି କହିଥିଲେ। ଯଦିଓ ସୁପ୍ରିମକୋର୍ଟଙ୍କ ସମସ୍ତ ନିର୍ଦେଶନାମାକୁ ସେ ସମ୍ମାନ କରୁଛନ୍ତି ଜଣେ ଆଇନଜ୍ଞ ଭାବେ ମନରେ ଜାଣିବାର ଉଚ୍ଛୁକତା ରହିଛି ବୋଲି ଜଷ୍ଟସ ଲାହୋଟି ଦର୍ଶାଇଥିଲେ। ସେହିପରି ଲିଭିଂ ରିଲେସନସିପ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ହିନ୍ଦୁ ବିବାହ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଏବଂ ପର୍ସନାଲ ଆଇନର କେତେକ ଧାରାକୁ ଉଲ୍ଲଙ୍ଘନ କରୁଛି। ବିନା ବିବାହରେ ଜନି୍ମତ ସନ୍ତାନଙ୍କ ଅଧିକାର ସଂପର୍କିତ ରାୟ ପ୍ରଦାନ ବେଳେ ସୁପ୍ରିମକୋର୍ଟ ଭାରତୀୟ ସଂସ୍କୃତିରେ ବିବାହର ସଂଜ୍ଞା ପ୍ରତି ଧ୍ୟାନ ଦେବା ଆବଶ୍ୟକ ଥିଲା। ଭାରତୀୟ ସଂସ୍କୃତିରେ ବିବାହ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବନ୍ଧନ ନୁହେଁ; ଏହା ଦୁଇ ପରିବାରର ମିଳନ ବୋଲି ଜଷ୍ଟିସ ଲାହୋଟି ମତ ପ୍ରକାଶ କରିଥିଲେ। ସାଂପ୍ରତିକ ବିଚାରବ୍ୟବସ୍ଥାରେ ଏବେ ଦୁଇ ପ୍ରକାର ବିଚାରପତିଙ୍କୁ ଦେଖିବାକୁ ମିଳୁଛି। ଜୁଡିସିଆଲ ଅକି୍ଟଭିଜିମରେ ବିଶ୍ୱାସ ରଖୁଥିବା ବିଚାରପତି ପ୍ରଚଳିତ ଆଇନକୁ ପରିବର୍ତ୍ତନ କରିବା ପାଇଁ ଲଗାତାର ପ୍ରୟାସ କରିବା ସହ ଆଇନର ନୂଆ ସଂଜ୍ଞା ନିରୂପଣ କରିବା ପାଇଁ ବ୍ୟଗ୍ର ହେଉଛନ୍ତି। ସେହିପରି ସଂଯମତା ଆଚରଣ କରି ଲୋକପ୍ରିୟ ସରକାର ଦ୍ୱାରା ଲାଗୁ କରାଯାଇଥିବା ପ୍ରଚଳିତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟରେ ଅନ୍ୟ ବିଚାରପତିଙ୍କୁ ଦେଖାଯାଉଛି ବୋଲି ଜଷ୍ଟିସ ଲାହୋଟି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବ୍‍ଜୀ କହିଥିଲେ ଯେ ବିଚାରଧାରାରେ ଭିନ୍ନତା ଯୋଗୁଁ ଖଣ୍ଡପୀଠଗୁଡ଼ିକ ଭିନ୍ନଭିନ୍ନ ଢଙ୍ଗରେ ଆଇନର ତର୍ଜମା କରୁଛନ୍ତି। ସର୍ବୋପରି ସମସ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାଗୁଡ଼ିକୁ ସମ୍ମାନର ସହ ପାଳନ କରିବା ଆବଶ୍ୟକ ବୋଲି ସୋଲି ସୋରାବ୍‍ଜୀ ପରାମର୍ଶ ଦେଇଥିଲେ। ଲୋକସେବକ ମଣ୍ଡଳ ଓ ଭୀମସେନ ସାଚର ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ମିଳିତ ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଦୀପକ ମାଲବ୍ୟ ଓ ଦିଲ୍ଲୀ ଶାଖା ଅଧ୍ୟକ୍ଷ ରାଜକୁମାର ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories