ଶୁଣିଲାନି ପ୍ରଶାସନ; ଶେଷରେ ନିଜେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ରାସ୍ତା କାମ ପାଇଁ ଟେଣ୍ଡର ହୋଇ ମଧ୍ୟ ହୋଇପାରୁନି ରାସ୍ତା କାମ

ଫୁଲବାଣୀ : ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଉପାନ୍ତ ଅଞ୍ଚଳ ମାନଙ୍କରେ ଗମନାଗମନର ସୁବିଧା ପାଇଁ ସହର ଠାରୁ ଗ୍ରାମାଞ୍ଚଳ ମାନଙ୍କୁ ସଂଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉନ୍ନତ ମାନର ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳ ମାନଙ୍କରେ ବିଭାଗୀୟ ଅବହେଳା ପାଇଁ ରାସ୍ତା ପାଇଁ ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗ ଦ୍ୱାରା ଅର୍ଥ ମଂଜୁର ହେବା ସହ ଦୁଇଦୁଇ ଥର ଟେଣ୍ଡର ହେବା ପରେ ମଧ୍ୟ ଆରମ୍ଭ ହୋଇ ପାରୁନି ରାସ୍ତା କାମ।
ତେବେ ଏଭଳି ଏକ ରାସ୍ତା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତରେ। ଏହି ପବିଙ୍ଗିଆ ପଞ୍ଚାୟତ ଅଧୀନରେ ରହିଛି ବଣପାହାଡ଼ ଘେରା ମାଗମୁଣ୍ଡା ଗାଁ। ଗାଁରେ ପ୍ରାୟ ଦେଢ଼ସହ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ହୋଇପାରିନାହିଁ। ଯାହା ଫଳରେ ଏହି ଗ୍ରାମବାସୀ ବର୍ଷବର୍ଷ ଧରି ରାସ୍ତା ପାଇଁ ସଂଗ୍ରାମ କରିଆସୁଛନ୍ତି।
ରାସ୍ତାଟିଏ ନଥିବାରୁ ଗାଁର ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ବ୍ଲକ ହେଉ କିମ୍ବା ପଞ୍ଚାୟତ କୌଣସି ଜରୁରୀ କାମରେ ଯିବାକୁ ହେଲେ ଘଞ୍ଚ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ଯାଇଥିବା ଏକ ଜଙ୍ଗଲୀ ଘାଟି ରାସ୍ତାରେ ଚାଲିଚାଲି ଯିବାକୁ ପଡୁଛି। ଏହି ରାସ୍ତାରେ ଯିବା ଆସିଵା ଲୋକଙ୍କ ପାଇଁ ବିପଦ ରହିଥାଏ। ଅନ୍ୟପଟେ ଗାଁକୁ କୌଣସି ରାସ୍ତା ନଥିବାରୁ ଏହି ଗାଁର ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ମଧ୍ୟ ବନ୍ଦ କରି ଦେଇଥିବା ବେଳେ ବିଶେଷ କରି ରାସ୍ତା ପାଇଁ ମେଡିକାଲ ସମସ୍ୟା ଗ୍ରାମବାସୀଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ଠିଆ ହୋଇଛି।

ଗାଁକୁ ଆମ୍ବୁଲାନ୍ସ ଆସିପାରୁନଥିବାରୁ ମେଡିକାଲକୁ ଅନେକ ରୋଗୀ ପହଞ୍ଚି ନପାରି ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଦୀର୍ଘଦିନ ଧରି ଏହି ଗାଁର ଗ୍ରାମବାସୀ ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଥିବା ବେଳେ ବ୍ଲକ କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖାକରି ଦାବିପତ୍ର ଦେଇସାରିଛନ୍ତି ।ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀ ଦୁଇଦୁଇ ଥର ଭୋଟ ମଧ୍ୟ ବର୍ଜନ କରିସାରିଛନ୍ତି । ତଥାପି କୌଣସି ଫଳ ମିଳିପାରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ତେବେ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ଚଳିତ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ଏକ ପକ୍କା ରାସ୍ତା ମଧ୍ୟ ମଂଜୁର ହୋଇଛି। ରାସ୍ତାଟି ଅର୍କଡି ଠାରୁ ଭାୟା ସାଇତିଙ୍ଗିଆ ହୋଇ ମଗମୁଣ୍ଡା ଗାଁ ସହ ଫୁଲବାଣୀ ସଦର ବ୍ଲକରେ ଥିବା ମିଣିଆ ପଞ୍ଚାୟତକୁ ସଂଯୋଗ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହି ରାସ୍ତାପାଇଁ ରାଜ୍ୟସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପାଞ୍ଚ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କିନ୍ତୁ ବିଭାଗୀୟ ଅବହେଳା ଓ ପ୍ରଶାସନିକ ଉଦାସୀନତା ପାଇଁ ଏହି ରାସ୍ତା ପାଇଁ ଦୁଇଦୁଇ ଥର ଟେଣ୍ଡର ହୋଇଥିଲେ ମଧ୍ୟ ରାସ୍ତା କାମଟି ଆରମ୍ଭ ହୋଇ ପାରୁନାହିଁ।
ଅନ୍ୟପଟେ ରାସ୍ତା କାମ ହେଉପାରୁନଥିବାରୁ ଗତ କିଛିଦିନ ହେଲା ଏହି ମାଗମୁଣ୍ଡା ଗାଁର ଗ୍ରାମବାସୀ ମାନେ ଚାନ୍ଦା କରି ରାସ୍ତା ନିର୍ମାଣ କରିବା ଆରମ୍ଭ କରିଥିବା ଦେଖିବାକୁ ମିଲଛି। ଗାଁର ଶତାଧିକ ମହିଳା ପୁରୁଷ ଜଙ୍ଗଲ ଭିତରେ ଯାଇଥିବା ରାସ୍ତା ଓ ଘାଟି ରାସ୍ତାରେ ଥିବା ବଡବଡ଼ ପଥର କାଟି ରାସ୍ତାରେ ମାଟି ପକାଇ ରାସ୍ତା ନିର୍ମାଣ କରିବା ଆରମ୍ଭ କରିଛନ୍ତି।  ବାରମ୍ବାର ଦାବି ସତ୍ୱେ ସରକାର ରାସ୍ତା ନିର୍ମାଣ କଲେ ନାହିଁ ଶେଷରେ ଆମ ସୁବିଧା ପାଇଁ ଆମେ ଗ୍ରାମବାସୀ ରାସ୍ତା ନିର୍ମାଣ କରୁଛୁ ବୋଲି କହିବା ସହ ଆଗାମୀ ନିର୍ବାଚନ ରେ ମଧ୍ୟ ଗ୍ରାମବାସୀ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି। ଅନ୍ୟପଟେ ଏହି ରାସ୍ତା କାମ ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ସୁଶୀଲ କୁମାର ମହାନ୍ତିଙ୍କୁ ପଚାରିବାରୁ ଟେଣ୍ଡର ହୋଇଛି ଖୁବ ଅଳ୍ପ ଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ ହେବ ବୋଲି କହିବା ସହ ଗ୍ରାମବାସୀ ଯଦି ରାସ୍ତା ନିର୍ମାଣ କରୁଛନ୍ତି ବହୁତ ଭଲ କଥା ,ରାସ୍ତା ନିର୍ମାଣ ହେଲେ ପକ୍କା ରାସ୍ତା ନିର୍ମାଣ କରିବାରେ ଅସୁବିଧାର ହେବ ନାହିଁ ବୋଲି କହିଥିଲେ। ତେବେ ଏସଡ଼ିଓଙ୍କ ଏଭଳି ମନ୍ତବ୍ୟକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

Comments are closed.