www.samajalive.in
Thursday, December 11, 2025
23.1 C
Bhubaneswar

୨୯ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର କର୍ମଚାରୀ

ଭବାନୀପାଟଣା: ରାଜ୍ୟରେ ଭିନ୍ନକ୍ଷମମାନଙ୍କୁ ଥଇଥାନ କରିବାରେ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର କର୍ମଚାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ଅଥଚ ସେବା ଆରମ୍ଭରୁ ଅନିଶ୍ଚିତତା ମଧ୍ୟରେ ରହୁଥିବା ଏହି କର୍ମଚାରୀମାନେ ଆସନ୍ତା ୨୯ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କଳାହାଣ୍ଡି ସମେତ ଖୋର୍ଦ୍ଧା, ସମ୍ବଲପୂର, ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ଗଞ୍ଜାମ, ନବରଙ୍ଗପୁର ଜିଲାରେ ୨୦୦୩ରୁ ଏସବୁ କେନ୍ଦ୍ର କାର୍ଯ୍ୟ କରି ଆସୁଛି। କଳାହାଣ୍ଡି ସମେତ ସମସ୍ତ ୮ଟି କେନ୍ଦ୍ରରେ ୩୭ଜଣ ଭିନ୍ନକ୍ଷମ ବିଶେଷଜ୍ଞ ଏବଂ ୧୫ ଜଣ ସହାୟକଙ୍କୁ ମିଶାଇ ମୋଟ ୫୧ ଜଣ କାର୍ଯ୍ୟ କରୁଛନ୍ତି। ଏସବୁ କେନ୍ଦ୍ରର କର୍ମଚାରୀ ନିଜ ଜିଲା ବ୍ୟତୀତ ପାଖ ପଡୋଶୀ ଜିଲ୍ଲାର ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି। ଭିନ୍ନକ୍ଷମ ଚିହ୍ନଟ, ପ୍ରମାଣପତ୍ର ଓ ଉପକରଣ ବଣ୍ଟନ, ସଚେତନତା କାର୍ଯ୍ୟକ୍ରମ, ଏପରିକି ବଙ୍କା ପାଦ ଅସ୍ତ୍ରୋପଚାରରେ ମଧ୍ୟ ସେମାନଙ୍କ ଦାୟିତ୍ୱ ରହୁଛି। ଅଥଚ ସେମାନେ ନିଜେ ସୁରକ୍ଷିତ ନୁହନ୍ତି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପତ୍ର ସଂଖ୍ୟା ୮୨୯୫/ ତା ୩୧.୧୦.୨୦୧୭ ଅନୁଯାୟୀ ଏସବୁ କେନ୍ଦ୍ର ପାଇଁ ୮୦ଟି ପଦବୀ ସୃଷ୍ଟି କରାଯାଇଥିଲା। ସେହି ଅନୁଯାୟୀ ବିଭାଗୀୟ ପତ୍ର ସଂଖ୍ୟା ୮୮/୨୦୨୧, ୨୫.୦୩.୨୦୨୧ ରେ କ୍ୟାବିନେଟ ମଞ୍ଜୁରୀ ପାଇଲା। ତା’ସହିତ ସେମାନଙ୍କୁ କ୍ୟାଡ଼ରଭୁକ୍ତ ମଧ୍ୟ କରାଗଲା। ହେଲେ ଇତି ମଧ୍ୟରେ ତିନି ବର୍ଷ ପୁରିବାକୁ ବସିଲାଣି। ଅଥଚ କ୍ୟାବିନେଟ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏଣୁ କର୍ମଚାରୀମାନେ ଅନିଶ୍ଚିତତା ମଧ୍ୟରେ କାଳାତିପାତ କରି ସୁଦ୍ଧା ଦାୟିତ୍ୱରେ ଅବହେଳା କରୁନାହାନ୍ତି। ତଥାପି ବାରମ୍ବାର ନିବେଦନ ସତ୍ତ୍ୱେ ସରକାର ସେମାନଙ୍କ ଗୁହାରି ଶୁଣୁନଥିବା ରାଜ୍ୟ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର କର୍ମଚାରୀ ସମନ୍ବୟ ସମିତି ଅଭିଯୋଗ କରିଛି। ଏପରିକି ଇତି ମଧ୍ୟରେ କୌଣସି ପ୍ରକାର ସରକାରୀ ସହାୟତା ବିନା ଦୁଇଜଣ ଅବସର ନେଲେଣି। କଳାହାଣ୍ଡି ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ମୁଖ୍ୟ ଶୁଭାଶିଷ ମହାନ୍ତି ମାନସିକ ଦୁଶ୍ଚିନ୍ତା ଏବଂ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ଅକାଳରେ ମୃତ୍ୟୁବରଣ କଲେ। ତଥାପି ସରକାରଙ୍କ ନିଦ ଭାଙ୍ଗୁନି। ଏଣୁ ଆସନ୍ତା ଡିସେମ୍ବର ୨୯ ତାରିଖଠାରୁ ଅନିର୍ଦିଷ୍ଟ କାଳ ଯାଏଁ କଳାହାଣ୍ଡି ସମେତ ଅନ୍ୟ ୭ଟି କେନ୍ଦ୍ରର କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ନିଜ ନିଜ କେନ୍ଦ୍ର ସମ୍ମୁଖରେ ଧାରଣା ଦେବାକୁ ସମନ୍ଵୟ ସମିତି ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ସମନ୍ଵୟ ସମିତି ପକ୍ଷରୁ ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ମୁଖ୍ୟ ଶାସନ ସଚିବ, ୫ଟି ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଶାସନ ସଚିବ, ନିର୍ଦ୍ଦେଶିକା, ଅର୍ଥ ଓ ଗୃହ ବିଭାଗ ସଚିବଙ୍କୁ ପତ୍ର ସଂଖ୍ୟା ୧୩୭/୧୧.୧୨.୨୩ ରେ ଜଣାଇ ଦିଆଯାଇଥିବା ସମିତି ପକ୍ଷରୁ କୁହାଯାଇଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories