www.samajalive.in
Tuesday, December 9, 2025
17.1 C
Bhubaneswar

ଆଜିଠୁ ବର୍ଷେ କମିଯିବ ଦକ୍ଷିଣ କୋରିଆବାସୀଙ୍କ ବୟସ

ସିଓଲ: ଏଣିକି ଦକ୍ଷିଣ କୋରିଆବାସୀଙ୍କ ବୟସ ଗୋଟିଏ ବର୍ଷ କମିଯିବ। ଦେଶର ସରକାର ଗ୍ରହଣ କରିଥିବା ଏକ ଐତିହାସିକ ନିଷ୍ପତ୍ତି ଫଳରେ ଏଭଳି କୌତୂହଳପ୍ରଦ ଘଟଣା ଘଟିବାକୁ ଯାଉଛି। ଅଦ୍ୟାବଧି ନିଜସ୍ବ ପାରମ୍ପରିକ ପ୍ରକ୍ରିୟାରେ ନାଗରିକଙ୍କ ବୟସ ନିର୍ଦ୍ଧାରଣ କରିଆସୁଥିବା ଦକ୍ଷିଣ କୋରିଆ ସରକାର ଏଥିରେ ପରିବର୍ତ୍ତନ କରି ଆନ୍ତର୍ଜାତିକ ବୟସ ଗଣନା ନୀତି ଅବଲମ୍ବନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ନୀତି ଜୁନ୍‌ ୨୮, ବୁଧବାରଠାରୁ କାର୍ଯ୍ୟକାରୀ ହେଉଛି।

ସମଗ୍ର ବିଶ୍ବରେ ଜନ୍ମର ଗୋଟିଏ ବର୍ଷ ପୂରଣ ହେଲେ ହିଁ ଶିଶୁର ବୟସ ବର୍ଷେ ବୋଲି ଧରାଯାଏ; କିନ୍ତୁ ଦକ୍ଷିଣ କୋରିଆରେ ଜନ୍ମ ଦିନ ହିଁ ଗୋଟିଏ ବର୍ଷ ହେଲା ବୋଲି ହିସାବ କରାଯାଏ। ଏହାର ଅର୍ଥ ଗର୍ଭରେ ଥିବା ଭ୍ରୂଣର ବି ବୟସ ଗଣନା କରାଯାଏ। ଏହାକୁ ‘କୋରିଆନ୍‌ ଏଜ୍‌’ କୁହାଯାଏ। ଶିଶୁ ବାସ୍ତବରେ ପ୍ରଥମ ଜନ୍ମଦିନ ପାଳନ କଲାବେଳକୁ ସେ ଦୁଇ ବର୍ଷରେ ପଦାର୍ପଣ କରିଥାଏ। ଏହା ବୁନିଆଦିକ୍ରମେ ଦେଶର ସାମାଜିକ ବ୍ୟବସ୍ଥା ଓ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ହେବା ସହ ସରକାରୀ ନଥିପତ୍ରରେ ପ୍ରଚଳିତ ହୋଇଆସିଛି। ବୁଧବାର ଦେଶର ସମସ୍ତ ପ୍ରଶାସନିକ ଓ ନ୍ୟାୟିକ କ୍ଷେତ୍ରରେ ନୂଆ ଆନ୍ତର୍ଜାତିକ ବୟସ ମାନକ ବା କ୍ୟାଲେଣ୍ଡର ବୟସ ନୀତି ପ୍ରଣୟନ ହେଲେ ବହୁ ନାଗରିକଙ୍କ ବୟସ ଗୋଟିଏ ବର୍ଷ କମିଯିବ। ଏଭଳି ଏକକ ବୟସ ନିର୍ଦ୍ଧାରଣ ପାଇଁ ସରକାର ଦେଶର ‘ସିଭିଲ ଆଇନ ଓ ଜେନେରାଲ ଆକ୍ଟ ଅନ୍‌ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ୍‌’ରେ ସଂଶୋଧନ ଆଣିଛନ୍ତି।

- Advertisement -

ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟୋଲ୍‌ଙ୍କ ଏହି ସଂଶୋଧନକୁ ଦେଶବାସୀଙ୍କ ବିପୁଳ ସମର୍ଥନ ମିଳିଛି। ପ୍ରାୟ ତିନି-ଚତୁର୍ଥାଂଶ ନାଗରିକ ଏହାକୁ ସ୍ବାଗତ କରିଛନ୍ତି। ଗତ ବର୍ଷ ନିର୍ବାଚନ ସମୟରେ ରାଷ୍ଟ୍ରପତି ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ; ଯାହାକୁ ପୂରଣ କରିଛନ୍ତି। ସେହି ଅନୁସାରେ ବୁଧବାରଠାରୁ ଦେଶର ନାଗରିକମାନେ ଆନ୍ତର୍ଜାତିକସ୍ତର ସହ ଖାପଖୁଆଇ ନିଜର ସରକାରୀ ନଥିପତ୍ରରେ ସଂଶୋଧନ କରିବାର ସୁଯୋଗ ପାଇଛନ୍ତି। ନୂଆ କାଗଜପତ୍ର ତଥା ପରିଚୟପତ୍ର ଚାକିରିରୁ ଅବସର, ପେନସନ୍‌, ମତଦାନ ଆଦି ସମସ୍ତ କ୍ଷେତ୍ରରେ ଉପଯୋଗୀ ହେବ। ସ୍କୁଲ ନାମଲେଖା କ୍ଷେତ୍ରରେ ଚଳିତ ବର୍ଷ ଏହା କାର୍ଯ୍ୟକାରୀ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories