କନିଷ୍ଠ ଏସିଆ କପ୍ ପୁରୁଷ ହକି : ଆଜି ଭାରତ-ପାକିସ୍ତାନ ଫାଇନାଲ
ସାଲାଲା (ଓମାନ୍) : କନିଷ୍ଠ ଏସିଆ କପ୍ ପୁରୁଷ ହକି-୨୦୨୩ ଫାଇନାଲରେ ଆଜି ଗତଥରର ଚାମ୍ପିୟନ ଭାରତ ତା’ର ଚିର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ଭେଟିବ ।
ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୯ଟା ୩୦ ମିନିଟ୍ରେ ଆରମ୍ଭ ହେବ । ଉଭୟ ଭାରତ ଓ ପାକିସ୍ତାନ କନିଷ୍ଠ ଏସିଆ କପ୍ ପୁରୁଷ ହକି ୨୦୨୩ରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରି ନାହାନ୍ତି । ପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଲିଗ୍ ମ୍ୟାଚ୍ ୧-୧ରେ ଅମୀମାଂସୀତ ଥିଲା । ତେବେ ଭାରତ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଥିବାବେଳେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ’ ଚୀନ୍ ତାଇପେଇକୁ ୧୮-୦ ଓ ଜାପାନକୁ ୩-୧ ଗୋଲ୍ରେ ହରାଇ ଏହାର ବିଜୟ ଅଭିଯାନ ଆରମ୍ଭ କରିଥିଲା। ଭାରତ ଚୂଡାନ୍ତ ଗ୍ରୁପ୍ ମ୍ୟାଚ୍ରେ ଥାଇଲାଣ୍ଡକୁ ୧୭-୦ରେ ହରାଇଥିଲା । ସେମିଫାଇନାଲରେ ମଧ୍ୟ ଭାରତ ଦକ୍ଷିଣ କୋରିଆକୁ ୯-୧ ଗୋଲ୍ରେ ପରାସ୍ତ କରିଥିଲା ।
ବୁଧବାର ପ୍ରଥମ ସେମିଫାଇନାଲରେ ଏକତରଫା ବିଜୟ ହାସଲ କରିଥିବା ଭାରତ ପକ୍ଷରୁ ୧୩ ମିନିଟ୍ରେ ଓଡ଼ିଆ ଖେଳାଳି ସୁନିତ ଲାକ୍ରା ପ୍ରଥମ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ୨ୟ କ୍ବାର୍ଟର ତଥା ୧୯ ମିନିଟ୍ରେ ଭାରତ ପକ୍ଷରୁ ଅରାଇଜିତ ସିଂହ ହୁଣ୍ଡାଲ ୨ୟ ଗୋଲ ଦେଇଥିଲେ । ପ୍ରଥମାର୍ଦ୍ଧରେ ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ୩୧ ମିନିଟ୍ରେ ଭାରତ ପକ୍ଷରୁ ବବି ସିଂହ ଧାମି ୩ୟ, ୩୪ ମିନିଟ୍ରେ ଅଙ୍ଗଦବୀର ସିଂହ ୪ର୍ଥ, ୩୮ ମିନିଟ୍ରେ ଅଧିନାୟକ ଉତ୍ତମ ସିଂହ ୫ମ ଓ ୩୯ ମିନିଟ୍ରେ ବବି ସିଂହ ଧାମି ୬ଷ୍ଠ ଗୋଲ୍ ଦେଇଥିଲେ । ୪୬ ମିନିଟ୍ରେ କୋରିଆ ପକ୍ଷରୁ ହାୱାଙ୍ଗ ଗୋଟିଏ ଗୋଲ ପରିଶୋଧ କରି ମ୍ୟାଚକୁ ୧-୬ ସ୍ତରକୁ ଆଣିଥିଲେ। ୫୧ ମିନିଟ୍ରେ ଭାରତ ପକ୍ଷରୁ ବିଷ୍ଣୁକାନ୍ତ ସିଂହ ୭ମ, ୫୫ ମିନିଟ୍ରେ ଧାମି ବବି ସିଂହ ୮ମ ଓ ୫୭ ମିନିଟ୍ରେ ଶ୍ରଦ୍ଧାନନ୍ଦ ତିୱାରୀ ୯ମ ଗୋଲ ଦେଇ ଦଳକୁ ୯-୧ରେ ବିଜୟୀ କରାଇଥିଲେ। ବବି ସିଂହ ଧାମି ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।
୮ ବର୍ଷର ବ୍ୟବଧାନ ପରେ କନିଷ୍ଠ ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । କୋଭିଡ ଯୋଗୁଁ ୨୦୨୧ର ଟୁର୍ଣ୍ଣାମେଣ୍ଟ ହୋଇପାରିନଥିଲା ।
Comments are closed.