www.samajalive.in
Thursday, December 11, 2025
26.1 C
Bhubaneswar

ପରିବେଶ ଅନୁକୂଳ ଜୀବନଶୈଳୀକୁ ଗୁରୁତ୍ବ

ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ୱର : ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶଗ୍ରହଣ କରିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିପୂର୍ବରୁ ମଧ୍ୟପ୍ରଦେଶର ଖଜୁରୋହୋ ଠାରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା। ଏହାପରେ ଦୁଇ ମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ବିଷୟବସ୍ତୁ ଉପରେ ଆଧାରିତ ୱେବିନାର୍‌ରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀରେ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଯଥା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଧ୍ୟାନ ଦିଆଯିବ।
ବୈଠକ ଅବସରରେ ଗଣମାଧ୍ୟମ ନିକଟରେ ପ୍ରକାଶ କରି କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ’ ଏବଂ ‘ଲାଇଫ-ଲାଇଫଷ୍ଟାଇଲ୍‌ ଫର ଏନଭାଇରନ୍‌ ମେଣ୍ଟ’ ବା ପରିବେଶ ପାଇଁ ଜୀବନଶୈଳୀ ବିଷୟରେ ଆଲୋକପାତ କରିଥିଲେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ ଆହୁରି କହିଥିଲେ ଯେ, ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ, ଯୁଗ୍ମ ଐତିହ୍ୟ ସଂରକ୍ଷଣ ପ୍ରକଳ୍ପ ଏବଂ ପାରସ୍ପରିକ ସାଂସ୍କୃତିକ ବିଚାର ବିମର୍ଶ ଭଳି ସହଭାଗୀ କାର୍ଯ୍ୟକ୍ରମକୁ ନେଇ ବିଚାରବିମର୍ଶ କରାଯିବ, ଯଦ୍ଦ୍ବାରା ଆପୋସ ସମ୍ପର୍କ ବଢ଼ାଇବା ଏବଂ ଅଧିକ ସହନଶୀଳ ତଥା ପରସ୍ପର ସହ ସଂଯୁକ୍ତ ସମୁଦାୟ ବିକଶିତ କରାଯାଇପାରିବ। କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏହି ଅବସରରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ସାଂସ୍କୃତି ସମ୍ପତ୍ତିର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ସେ ଆହୁରି କହିଥିଲେ ଯେ, ଦୀର୍ଘସ୍ଥାୟୀ ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢ଼ିର ଉତ୍ତରାଧିକାରକୁ ନେଇ ଆଲୋଚନା ହେବ। ସାଂସ୍କୃତିକ ସ୍ଥଳୀଗୁଡ଼ିକୁ ଆର୍ଥିକ କାର୍ଯ୍ୟକଳାପ ଏବଂ ପର୍ଯ୍ୟଟନ ସହିତ ଯୋଡ଼ାଯିବା ଉଚିତ୍‌ ଯାହାଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ରବିବାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ବାଲୁକା କଳା ପ୍ରଦର୍ଶନୀ ଜରିଆରେ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବାର୍ତ୍ତା ପ୍ରଚାର କରାଯାଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏବଂ କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଉଦଘାଟନ କରିଥିଲେ।

- Advertisement -


ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି କାର୍ୟ୍ୟଗୋଷ୍ଠୀ ପକ୍ଷରୁ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’’ ଅଭିଯାନ ଆରମ୍ଭ କରାଯାଇଛି। ବିବିଧ ସଂସ୍କୃତି ଓ ସମୁଦାୟଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।
ରବିବାର କାର୍ଯ୍ୟକ୍ରମ ଅବସରରେ ବିଦେଶାଗତ ଅତିଥିମାନଙ୍କ ପାଇଁ ଆଦିବାସୀ ଲୋକନୃତ୍ୟ ସିଙ୍ଗାରୀ ଓ ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏସବୁ କଳା ପରିବେଷଣ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବା ସହିତ ପାରମ୍ପରିକ କଳା ସ୍ୱରୂପକୁ ସଂରକ୍ଷିତ ରଖିବା ଉପରେ ଗୁରୁତ୍ବ ଦେଇଥିଲା।
ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଆଲୋଚନା ଅଧିବେଶନ ସୋମବାର ଆରମ୍ଭ ହେବ। ଏହି ଅଧିବେଶନରେ ଜି୨୦ ସଦସ୍ୟ, ନିମନ୍ତ୍ରିତ ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବା ସହିତ ସଂସ୍କୃତି କାର୍ୟ୍ୟଗୋଷ୍ଠୀ ବୈଠକର ଚାରିଟି ପ୍ରାଥମିକତା କ୍ଷେତ୍ରରେ ସେମାନଙ୍କର ବିଚାର ରଖିବେ।
ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ’ ଶୀର୍ଷକ ଏକ ପ୍ରଦର୍ଶନୀ ସୋମବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ଉଦ୍‌ଘାଟିତ ହେବ।
ମେ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଏଠାରେ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ପାରମ୍ପରିକ କଳା ସମ୍ପର୍କରେ ଏକ ମାଷ୍ଟର କ୍ଲାସ୍‌ ଦେଖିବା ଲାଗି ବିଦେଶୀ ଅତିଥିମାନଙ୍କୁ ସୁଯୋଗ ମିଳିବ ଏବଂ ସେମାନେ ସଂଗ୍ରହାଳୟ ବୁଲିଦେଖିବେ।
ଦୁଇ ଦିନ ଧରି ଭୁବନେଶ୍ୱରେ ବ୍ୟାପକ ଆଲୋଚନା କରାଯିବା ପରେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆସନ୍ତା ଜୁଲାଇ ୧୫ରୁ ୧୮ ତାରିଖ ପର୍ୟ୍ୟନ୍ତ କର୍ଣ୍ଣାଟକର ହମ୍ପିରେ ଅନୁଷ୍ଠିତ ହେବ। ଶେଷରେ ବାରାଣସୀ ଠାରେ ଅଗଷ୍ଟ ୨୦୨୩ ଶେଷ ଭାଗରେ ଜି୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories