www.samajalive.in
Sunday, December 7, 2025
16.1 C
Bhubaneswar

ବଞ୍ଚିବାର ଅଧିକାର ବନାମ ବିଡ଼ମ୍ବିତ ନ୍ୟାୟ

ବିଚାରାଧୀନ କଏଦୀ ଭାବେ ଜେଲ୍‍ରେ ପ୍ରାୟ ପନ୍ଦର ବର୍ଷ କାଟି ନି​‌େ​‌ର୍ଦାଷରେ ଖଲାସ ହେବା ପରେ ଗାଁକୁ ଫେରିଛନ୍ତି ମଞ୍ଜୁଲତା ମୁଦୁଲି। ଜଗତସିଂହପୁର ଜିଲାର ଜଣେ ଯାତ୍ରା କଳାକାରଙ୍କ ବଡ଼ଝିଅ ମଞ୍ଜୁ। ୨୦୦୮ ମସିହାରେ ପୁଲିସ ତାଙ୍କୁ ଗିରଫ କରିବା ବେଳକୁ ସେ ଥିଲେ ୨୧ବର୍ଷର ଅବିବାହିତ ଯୁବତୀ। ୨୦୨୩ରେ ଅଦାଲତ ତାଙ୍କୁ ନି‌େ‌ର୍ଦାଷରେ ଖଲାସ କରିବା ବେଳକୁ ତାଙ୍କ ବୟସ ହୋଇଥିଲା ପ୍ରାୟ ୩୬ବର୍ଷ। ନି‌େ‌ର୍ଦାଷ ମଞ୍ଜୁଙ୍କ ଜୀବନର ଯେଉଁ ମୂଲ୍ୟବାନ ୧୫ବର୍ଷ କାରାଗାରରେ ବରବାଦ ହୋଇଗଲା ତାହାର କ୍ଷତିପୂରଣ ଦେବ କିଏ? ଏକ ଭୂମିହୀନ ଅନୁସୂଚିତ ଜାତି ପରିବାରରେ ଜନ୍ମିତା ମଞ୍ଜୁଙ୍କ ବିରୋଧରେ ଦେଶଦ୍ରୋହଠାରୁ ଆରମ୍ଭ କରି ରାଷ୍ଟ୍ର ବିରୋଧରେ ଯୁଦ୍ଧ ଘୋଷଣା ପର୍ଯ୍ୟନ୍ତ ବିଭିନ୍ନ ସାଙ୍ଘାତିକ ଦଫାରେ ମୋକଦ୍ଦମା ରୁଜୁ ହୋଇଥିଲା। କାରାମୁକ୍ତ ହେବାବେଳକୁ ତାଙ୍କ ବାପା ମରିସାରିଛନ୍ତି ଓ ମା’ ରୋଗଗ୍ରସ୍ତ। ସାନ ଭାଇର ମୁଣ୍ଡ ଉପରେ ପରିବାରର ବୋଝ। ସାଧାରଣ ଲୋକଙ୍କ ଧନ ଜୀବନର ନିରାପତ୍ତା ଯେଉଁ ବ୍ୟବସ୍ଥା ଉପରେ ନିହିତ, ସେହି ବ୍ୟବସ୍ଥା ମଞ୍ଜୁଙ୍କ ଭଳି ହଜାର ହଜାର ଲୋକଙ୍କ ଜୀବନର ସ୍ୱପ୍ନକୁ ଧୂଳିସାତ୍‌ କରିବା ସହିତ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ବଞ୍ଚିବାର ଅଧିକାରକୁ ସତେ ଯେମିତି ଦଳିଚକଟି ନଷ୍ଟ କରିଦେଉଛି।
ଅନ୍ୟ ଏକ ଘଟଣାରେ ଜଣେ ଯୁବକଙ୍କୁ ହତ୍ୟା ମାମଲାରେ ଫସାଇ ଜେଲ୍‍ରେ ରଖାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଯେଉଁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅପରାଧରେ ସେ ଜେଲ୍‍ରେ ବର୍ଷ ବର୍ଷ ଧରି ରହିଲେ, ପ୍ରାୟ ୧୦ବର୍ଷ ପରେ ସେହି ବ୍ୟକ୍ତି ପରିବାରକୁ ଫେରିବାରୁ ମାମଲା ଭିନ୍ନ ମୋଡ ନେଲା ଏବଂ ଶେଷରେ ଅଭିଯୁକ୍ତଙ୍କୁ କାରାମୁକ୍ତ କରାଗଲା। ଏହି ଯୁବକ ତାଙ୍କ ଜୀବନର ଯେଉଁ ଅମୂଲ୍ୟ ସମୟ କାରାଗାରର କାଳ କୋଠରିରେ ବିତାଇଲେ ତାହାକୁ ଆମ ବ୍ୟବସ୍ଥା ଫେରାଇ ପାରିବ ତ? ସେହିଭଳି ଏକ କରୁଣ କାହାଣୀ ହେଉଛି ଫୁଲବାଣୀର ପ୍ରତାପ ନାୟକଙ୍କର। ଏକ ହତ୍ୟା ମାମଲାରେ ଜିଲା ଦୌରାଜଜ୍‍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ହାଇକୋର୍ଟ କିନ୍ତୁ ତାଙ୍କୁ ନି‌େ‌ର୍ଦାଷରେ ଖଲାସ କରିଥିଲେ। ଏହା ସତ୍ତ୍ବେ ବିଭିନ୍ନ ଆଳ ଦେଖାଇ ଜେଲ୍‍ କର୍ତ୍ତୃପକ୍ଷ ତାଙ୍କୁ ମୁକ୍ତ ନକରି ଆଉ ୮ବର୍ଷ ସଜା ଖଟାଇଲେ। ପରବର୍ତ୍ତୀ ସମୟରେ ଏହା ହାଇକୋର୍ଟଙ୍କ ନଜରକୁ ଆସିବା ପରେ ପ୍ରତାପଙ୍କୁ ମୁକ୍ତି ଦେବା ସହ ୮ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନି‌େ‌ର୍ଦଶ ମିଳିବାରୁ ସେ କାରାମୁକ୍ତ ହୋଇଥିଲେ। ମିଛ ମାମଲା ଆଧାରରେ ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ୍ମଣ ନାୟକ, ରଘୁନାଥ ମହାନ୍ତି, ଦିବାକର ପରିଡାଙ୍କ ଭଳି ଜାତୀୟତାବାଦୀ ଯୁବ ନେତାମାନଙ୍କୁ ଫାଶୀ ଦିଆଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିରୁଦ୍ଧରେ ବି ଚୋରାମାଲ୍‍ ବରାମତ୍‍ କରିଥିବା ଅଭିଯୋଗ ପୁଲିସ ଆଣିଥିଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ବି ‘ସମାଜ’ରେ ପ୍ରକାଶିତ ଏକ ଖବର ପାଇଁ ଖୋର୍ଦ୍ଧା ଜେଲ୍‍ରେ ରହିବାକୁ ପଡିଥିଲା। ମା’ ରମାଦେବୀଙ୍କ ବିରୋଧରେ ଝିଅ ଅପହରଣ ମାମଲା ରୁଜୁ ହୋଇଥିଲା। ଅନ୍ୟତମ ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ବିରୋଧରେ ଲଙ୍ଗଳ ଚୋରି ଭଳି ମିଛ ମାମଲା ରୁଜୁ କରିବାକୁ ପ୍ରଶାସନ ଲଜ୍ଜାବୋଧ କରିନଥିଲା। ଅଧ୍ୟାପକ ଗଣନାଥ ପାତ୍ରଙ୍କୁ ବଳଦ ଚୋରି ଅଭିଯୋଗ ଆଣି ବି ଜେଲ୍‍ରେ ରଖାଯାଇଥିଲା। ଜରୁରୀ ପରିସ୍ଥିତି ବେଳେ ମାଳତୀ ଚୌଧୁରୀଙ୍କୁ ଜଣେ ପାଗଳୀ ସହ ରଖାଯାଇଥିବାବେଳେ ଠିକଣା ସମୟରେ ଚିକିତ୍ସା ନଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶରୀରର ଗୋଟିଏ ପଟ ଅଙ୍ଗ ଅଚଳ କରି ଦିଆଯାଇଥିଲା। ଏଭଳି ତାଲିକା ବେଶ୍‍ ଲମ୍ବା।
ଏଡିଆର୍‍ ରିପୋର୍ଟ ସୂଚାଉଛି ଯେ ଆମ ଦେଶର ସାଂସଦମାନଙ୍କ ମଧ୍ୟରୁ ଅନ୍ୟୂନ ଏକ ତୃତୀୟାଂଶଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ଆମ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶ ବିଧାୟକଙ୍କ ବିରୋଧରେ ବି ଫୌଜଦାରୀ ମାମଲା ଥିବା ଏହି ରିପୋର୍ଟର ତଥ୍ୟ କହୁଛି। ଆମ ନେତାମାନଙ୍କ ବିରୁଦ୍ଧରେ ଯେତେ ସଂଖ୍ୟକ ଫୌଜଦାରୀ ମାମଲା ରହିଛି ସେଥିରୁ ଅଧିକାଂଶ ହେଉଛି ସେମାନେ ବିରୋଧୀ ଦଳରେ ଥିବା ସମୟର। ଏମାନଙ୍କ ବିରୁଦ୍ଧରେ ସାମାନ୍ୟ ଘଟଣା ପାଇଁ ସାଂଘାତିକ ଦଫାମାନ ଲଗାଯାଇଥାଏ। ଯେଉଁମାନଙ୍କ ଇଙ୍ଗିତରେ ବିରୋଧୀଦଳ ନେତାମାନଙ୍କୁ ଅଭିଯୁକ୍ତ ସଜାଇ ଦିଆଯାଏ ସେମାନେ କ୍ଷମତାଚ୍ୟୁତ ହୋଇ ବିରୋଧୀ ଦଳକୁ ଆସିବାପରେ କୃତକର୍ମର ଫଳ ଭୋଗନ୍ତି ଏବଂ କ୍ଷମତାର ଚୌକି ପ୍ରତି ସମର୍ପିତ ବ୍ୟବସ୍ଥା ଏମାନଙ୍କ ବିରୁଦ୍ଧରେ ବି ଅନୁରୂପ ଫୌଜଦାରି ଦଫା ଲଗାଇବାକୁ ପଛାଏ ନାହିଁ।
ଗତ ଶତାବ୍ଦୀର ୭୦ ଦଶକରେ ବଲାଙ୍ଗିରର ରାଜରାସ୍ତା ଉପରେ ଯୁବନେତା ପର୍ଶୁରାମ ଶତପଥୀଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ବିଚାର ଶେଷ ହେବାପାଇଁ ବ୍ୟବସ୍ଥାକୁ ଲାଗିଗଲା ୪୦ବର୍ଷରୁ ଅଧିକ ସମୟ। ଫଳରେ କିଛି ଅଭିଯୁକ୍ତ ନିର୍ବାଚିତ ପ୍ରତିନିଧି ହେବାର ଗୌରବ ପାଇଲେ। ୮୦ ଦଶକରେ ସାରା ଦେଶରେ ଝଡ ସୃଷ୍ଟି କରିଥିଲା ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ। ଏହି ମାମଲା ଚୂଡାନ୍ତ ହେବାକୁ ବି ଲାଗିଗଲା ପ୍ରାୟ ୨୪ବର୍ଷ ସମୟ। ଏହି ଦୁଇଟି କେବଳ ଉଦାହରଣ ମାତ୍ର। ଆମ ଦେଶର ବିଭିନ୍ନ ଆଇନ ଅଦାଲତରେ ଏବେ ପ୍ରାୟ ୫କୋଟି ମାମଲା ବିଚାରାଧୀନ ରହିଛି ଏବଂ ସେଥିରୁ ପାଖାପାଖି ୩ କୋଟି ୨୦ଲକ୍ଷ ଫୌଜଦାରୀ ମାମଲା ବୋଲି କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି। ନ୍ୟାସନାଲ୍‍ ଜୁଡ଼ିସିଆଲ୍‍ ଡାଟା ଗ୍ରୀଡ୍‍ର ତଥ୍ୟ ମୁତାବକ ଅାପରାଧିକ ମାମଲାଗୁଡିକ ଭିତରୁ ପ୍ରାୟ ୭୨ ହଜାର ହେଉଛି ୩୦ବର୍ଷରୁ ପୁରୁଣା। ସେହିଭଳି ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଅଦାଲତରେ ଗଡୁଥିବା ଅାପରାଧିକ ମାମଲା ସଂଖ୍ୟା ଆମ ଦେଶରେ ପ୍ରାୟ ୪ ଲକ୍ଷ ୧୨ ହଜାର ଥିବାବେଳେ ୧୦ରୁ ୨୦ ବର୍ଷ ପୁରୁଣା ଫୌଜଦାରୀ ମାମଲା ସଂଖ୍ୟା ପାଖାପାଖି ୨୭ଲକ୍ଷ। ରାଜ୍ୟ ବିଧାନସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ ଓଡ଼ିଶାରେ ୧୭ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ଯେଉଁଥିରୁ ୧୨ଲକ୍ଷରୁ ଅଧିକ ହେଉଛି ଅାପରାଧିକ ମାମଲା। ଓଡ଼ିଶାରେ ବି ୧୦ରୁ ୩୦ ବର୍ଷ ଧରି ଲକ୍ଷ ଲକ୍ଷ ଆପରାଧିକ ମାମଲା ଗଡ଼ୁଛି।
ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋର ସର୍ବଶେଷ ତଥ୍ୟ ମୁତାବକ ବିଚାରାଳୟରେ ଯେତେ ସଂଖ୍ୟକ ଆଇପିସି ମାମଲା ବିଚାର ପ୍ରତୀକ୍ଷାରେ ରହିଛି ସେଥିରୁ ବର୍ଷରେ ମାତ୍ର ୮.୮ ପ୍ରତିଶତ ଫଇସଲା ହୋଇଥିବାବେଳେ ଓଡ଼ିଶାରେ ଏହି ହାର ମାତ୍ର ୧.୩ ପ୍ରତିଶତ। ସେହିଭଳି ଦେଶରେ ଶିଶୁମାନଙ୍କ ପ୍ରତି ଘଟିଥିବା ଆପରାଧିକ ମାମଲାଗୁଡିକରୁ ବର୍ଷରେ ୬ ପ୍ରତିଶତ ବି ଫଇସଲା ହୋଇପାରୁନାହିଁ। ଓଡ଼ିଶାରେ ତ ଏହି ହାର ୩ ପ୍ରତିଶତରୁ କମ୍‍। ଦୁର୍ନୀତି ଭ୍ରଷ୍ଟାଚାରର ବ୍ୟାଧି ଆମ ବ୍ୟବସ୍ଥାକୁ କୋମାକୁ ନେଇ ଯାଉଥିବାବେଳେ ଆର୍ଥିକ ଅପରାଧ ମାମଲାଗୁଡିକରୁ ବର୍ଷକରେ ଆମ ଦେଶରେ ୪ ପ୍ରତିଶତ ଫଇସଲା ହୋଇଛି। ଅନ୍ୟପକ୍ଷରେ ଓଡ଼ିଶାରେ ଏହି ହାର ମାତ୍ର ୦.୫ ପ୍ରତିଶତ। ଆଇପିସି ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ୫.୭ ପ୍ରତିଶତ ଥିବାବେଳେ ଆର୍ଥିକ ଅପରାଧ ମାମଲାରେ ଏହି ହାର ୩.୨ ପ୍ରତିଶତ। ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର ୮.୩ ପ୍ରତିଶତ ଥିବାବେଳେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧରେ ଏହି ହାର ୧୧.୮ ପ୍ରତିଶତ। ହିଂସା, ଅପରାଧ ସମେତ ସକଳ ଦୁଷ୍କୃତିର ଜନନୀ ନିଶା ହୋଇଥିବାବେଳେ ଅବକାରୀ ମାମଲାରେ ଫଇସଲା ଓ ଦଣ୍ଡବିଧାନ ହାର ଅତି ନଗଣ୍ୟ। ଗୋଟିଏ ପଟେ ହିଂସା, ଘୃଣା, ଦ୍ୱେଷ, ନିଶା ଆଦି ଯୋଗୁଁ ଅପରାଧ ବଢୁଥିବାବେଳେ ରାଜନୀତିର ଅପରାଧୀକରଣ ସହ ଅପରାଧର ରାଜନୀତିକରଣ କରାଯାଉଛି ଓ ଅନ୍ୟପଟେ ବିଗୁଡୁଥିବା ବ୍ୟବସ୍ଥାକୁ ନ ସଜାଡି ଅଧିକ ଥାନା ଫାଣ୍ଡି ଓ କୋର୍ଟ କଚେରି ଖୋଲି କୋଟି କୋଟି ଲୋକଙ୍କୁ ମାମଲାରେ ଛନ୍ଦି ସେମାନଙ୍କୁ ମା’ ମଲା ଠାରୁ ଅଧିକ ଦୁଃଖ ଦିଆଯାଉଛି। ଜମିଜମା ମାମଲାର ଫଇସଲା ପାଇଁ ବହୁ କ୍ଷେତ୍ରରେ ପୁରୁଷ ପୁରୁଷ ଧରି ସମୟ ଗଡୁଛି। ନିଯୁକ୍ତି, ପେନ୍‍ସନ୍‍ ଓ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତ ମାମଲାଗୁଡିକର ବି ତ୍ୱରିତ ଫଇସଲା ନହୋଇ ବର୍ଷ ବର୍ଷ ଧରି ଗଡ଼ା ଚାଲିବା ଫଳରେ କର୍ତ୍ତୃପକ୍ଷଙ୍କ ଅନ୍ୟାୟ, ଅନୀତି ଓ ଦୁର୍ନୀତି ଯୋଗୁଁ ଚାକିରିରୁ ବଞ୍ଚିତ ପ୍ରାର୍ଥୀଙ୍କୁ ନ୍ୟାୟ ମିଳିବା ବେଳକୁ ସ୍ଥଳ ବିଶେଷରେ ୧୦/୨୦ ବର୍ଷ ବି ଲାଗିଯାଉଛି। ଚାକିରିରୁ ଅବସର ପରେ ପେନ୍‍ସନ ପାଇଁ ୨୦ରୁ ୪୦ବର୍ଷ ପର୍ଯ୍ୟନ୍ତ ମାମଲା ଗଡିବାର ବହୁ ନଜିର୍‍ ରହିଛି।
ନ୍ୟାୟ ପାଇଁ ନ୍ୟାୟାଳୟକୁ ଦୌଡି ଦୌଡି ଅନେକଙ୍କ ଦେହାନ୍ତ ହେଉଛି। ‘ଲେଟ୍‍ ଦି କୋର୍ଟ ଡିସାଇଡ୍‍ ସିଣ୍ଡ୍ରୋମ୍‍’ ମନୋଭାବ ଯୋଗୁଁ ମାମଲାର ବୋଝ ବଢୁଛି। ପ୍ରାୟ ୩ କୋଟି ୨୦ଲକ୍ଷ ଅାପରାଧିକ ମାମଲା ସମେତ ପାଖାପାଖି ୫ କୋଟି ମାମଲାର ବୋଝ ବୋହି ଆମେ କ’ଣ ଆମକୁ ଏକ ଉନ୍ନତ ତଥା ସଂସ୍କୃତି ସମ୍ପନ୍ନ ଜାତି ଓ ବିଶ୍ୱଗୁରୁ ଭାବେ ଉପସ୍ଥାପନ କରିପାରିବୁ? ଦେଶର ଜେଲ୍‍ଗୁଡିକରେ ଲକ୍ଷ ଲକ୍ଷ ବିଚାରାଧୀନ କଏଦୀ ଥିବା ଘେନି ରାଷ୍ଟ୍ରପତି ଉଦ୍‍ବେଗ ପ୍ରକାଶ କରିଛନ୍ତି। ସମାଜ‌େ‌ର ଶୋଷଣ, ନିର୍ଯାତନା ଓ ଅପରାଧ ବଢି ଚାଲୁଥିବାବେଳେ ବିଳମ୍ବିତ ଓ ବିଡ଼ମ୍ବିତ ନ୍ୟାୟ ବସ୍ତୁତଃ ନାଗରିକମାନଙ୍କ ନିରାପତ୍ତା ପ୍ରତି ଉପହାସ କରୁଛି। କୋର୍ଟକଚେରି ଓ ଥାନା ଫାଣ୍ଡିର ସଂଖ୍ୟା ବଢ଼ାଇ ଦେଲେ ସମସ୍ୟାର ସମାଧାନ ହେବନାହିଁ। ଏଥିଲାଗି ବ୍ୟକ୍ତି ଓ ସମାଜ ଜୀବନ ତଥା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଲୋଡା।

ପ୍ରହଲାଦ କୁମାର ସିଂହ
ଦୂରଭାଷ: ୯୪୩୭୦୧୭୩୯୫ prahalladsinha@gmail.com

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories