ଡେସ୍କ/ସାକ୍ଷୀଗୋପାଳ : ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଷ୍ଟ୍ରୀୟ ରାଇଫଲର ଓଡ଼ିଆ ଯବାନ ଲାନ୍ସ ନାୟକ, ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ଶନିବାର ତାଙ୍କ ଜନ୍ମମାଟି ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହି ଗ୍ରମ ଶ୍ମଶାନରେ ସମ୍ପନ୍ନ ହୋଇଛି। ଅପରାହ୍ନ ଗାଁରେ ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ତାଙ୍କୁ ଶେଷ ଦର୍ଶନ କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ସହିଦଙ୍କ ପାର୍ଥିବ ଶରୀରକୁ ଗାଁକୁ ନିଆଯାଇଥିଲା।
ଦେବାଶିଷ ଅମର “ରହେ, ବୀର ଯବାନ ଅମର ରହେ” ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଜନ୍ମମାଟିରେ ତାଙ୍କୁ ତୋପ ସଲାମୀ ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ପୂର୍ବରୁ ଆଜି ସକାଳେ ସହିଦଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାପରେ ତାଙ୍କୁ ସେଠାରେ ଗାଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତପାତ୍ରଙ୍କ ସମେତ ବହୁ ରାଜନେତା ଓ ବିଭିନ୍ନ ସେନାଧିକାରୀ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଏବଂ ଓଭର ବ୍ରିଜ ଉପରେ ହଜାର ହଜାର ଜନସାଧାରଣ ସହିଦ ଦେବାଶିଷ ଅମର ରହେ ସ୍ଲୋଗାନ ଦେବା ସହ ଓ ସହିଦଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସହିଦଙ୍କ ଜନ୍ମସ୍ଥାନ ଖଣ୍ଡାୟତ ସାହି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଜନ ସମୁଦ୍ର ସୃଷ୍ଟି ହୋଇଥିଲା। ହଜାର ହଜାର ଜନସାଧାରଣ ସହିଦ ଦେବାଶିଷ ବିଶ୍ୱାଳ ଅମର ରହେ, ଜୟ ଯବାନ, ଜୟ କିଷାନ ଓ ବନ୍ଦେ ମାତରଂ ସ୍ଲୋଗାନ ଦେଇ ସହିଦଙ୍କୁ ଫୁଲ ତୋଡ଼ା ଓ ପୁଷ୍ପ ମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସହିଦଙ୍କ ଶିକ୍ଷାନୁଷ୍ଠାନ ଗୁରୁକୁଳ ଆଥଲେଟିକସର ଶିକ୍ଷାନବିଶଙ୍କ ସମେତ ହଜାର ହଜାର ଜନସାଧାରଣ ଏକ ଶୋଭାଯାତ୍ରାରେ ସହିଦଙ୍କ ଗାଡିକୁ ପାଛୋଟି ନେଇଥିଲେ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ନେତା ଓମ ପ୍ରକାଶ ମିଶ୍ର, କୃଷ୍ଣଚନ୍ଦ୍ର ଜଗଦେବ, କାମାକ୍ଷା ପ୍ରଧାନ ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ବିଡ଼ିଓ ଲୋଚନ ଦାସ, ଏସଡ଼ିପିଓ ଦେବଦତ୍ତ ବରାଳ, ଆଇଆଇସି ବିଜୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରାସ୍ତାରେ ସୁଦୃଶ୍ୟ ତୋରଣ ନିର୍ମାଣ ଓ ପାଇକ ଆଖଡ଼ା କ୍ରୀଡା ପ୍ରଦର୍ଶନ ହୋଇଥିଲା। ସଂକୀର୍ତ୍ତନ ପରିବେଷଣ ଓ ମହମବତୀ ଶୋଭାଯାତ୍ରା ହୋଇଥିଲା। ସମସ୍ତେ ଶୋକାକୂଳ ପରିବେଶରେ ସହିଦ ଦେବାଶିଷଙ୍କୁ ବିଦାୟ ଦେଇଛନ୍ତି।
ଗତ ଗୁରୁବାର ଜାମ୍ମୁକାଶ୍ମୀର’ର ପୁଞ୍ଚ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ଅନ୍ୟ ଜଣେ ଓଡ଼ିଆ ପୁଅ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମନ୍ତ୍ରୀଡି ଗ୍ରାମର କାଳିଚରଣ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା କରାଯାଉଛି। ରାଷ୍ଟ୍ରୀୟ ରାଇଫଲ୍ ୟୁନିଟ୍ର ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିଟିକୁ କାଳିଚରଣ ଚଲାଉଥିଲେ।



